ନକଲି ନୋଟର ମାୟାଜାଲ ; ୧୭ଟି ସୁରକ୍ଷା ସଂକେତରୁୁ ୮ଟି ଜାଲି କରିସାରିଲେଣି ଅପରାଧୀ, ନକଲି ଓ ଅସଲି ନୋଟ ଚିହ୍ନିବା କଷ୍ଟକର

55

କନକ ବ୍ୟୁରୋ : ଆଜି ବିମୁଦ୍ରାୟନକୁ ଏକ ବର୍ଷ ପୁରଣ ହୋଇଛି । ବିମୁଦ୍ରାକରଣର ବର୍ଷ ପୂର୍ତିକୁ ବିରୋଧୀ କଳା ଦିବସ ଭାବେ ଆଜି ସାରା ଦେଶରେ ପାଳନ କରୁଛନ୍ତି । ଅନ୍ୟପଟେ ସମାନ୍ତରାଳ ଭାବେ ସରକାର ତରଫରୁ ଦେଶବ୍ୟାପୀ କଳା ଧନ ବିରୋଧୀ ଦିବସ ପାଳନ କରାଯାଉଛି । ନୋଟବନ୍ଦୀ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡି ପଡିଛି ଓ ଏହା ଏକ ଅପରିମାଣଦର୍ଶ ନିଷ୍ପତି ବୋଲି ବିରୋଧୀ କହୁଛନ୍ତି ।ଅନ୍ୟପଟେ ଏହା ଦ୍ୱାରା ଦୁର୍ନୀତି, ଜାଲ ନୋଟ ଓ ଟେରରଫଣ୍ଡିଙ୍ଗ ଉପରେ ରୋକ ଲାଗି ପାରିଛି ବୋଲି ଦାବି କରୁଛନ୍ତି କେନ୍ଦ୍ର ସରକାର । ତେବେ ଏସବୁ ଭିତରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଜାଲ ନୋଟ ରୋକିବା ନେଇ ସରକାର ଯେଉଁ ବାହାବା ନେଉଁଛନ୍ତି ସେଥିରେ ବ୍ରେକ ଲାଗିଛି । ବଜାରକୁ ଏବେ ବହୁଳ ମାତ୍ରାରେ ନକଲି ୨୦୦୦ ଓ ୫୦୦ ଟଙ୍କା ପ୍ରବେଶ କରିଛି । ଯାହାକୁ ଚିହ୍ନିବା ସାଧାରଣ ଲୋକ ପକ୍ଷେ ସମ୍ଭବପର ନୁହେଁ । ଯାହା ଏବେ ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

rupeesଏଫଆଇସିଏନ୍ ଅନୁଯାୟୀ, ଏବେ ଯେଉଁ ନକଲି ନୋଟ ବଜାରରେ ମିଳୁଛି ତାହା ଅବିକଳ ଅସଲି ନୋଟ ଭଳି ଦେଖିବାକୁ । କିନ୍ତୁ ୨୦୦୦ ଓ ୫୦୦ ଟଙ୍କିଆ ନୋଟ ଯେବେ ପ୍ରଥମେ ବଜାରକୁ ଆସିଥିଲା ସେତେବେଳେ ଏହାର ନକଲି ନୋଟକୁ ବେଶ ଆରମରେ ଜାଣି ହେଉଥିଲା । ତେବେ ସମୟ ବିତିବା ସହ ଧୀରେ ଧୀରେ ଏହି ଉନ୍ନତମାନର ନକଲି ନୋଟକୁ ଚିହ୍ନିବା କଷ୍ଟକର ହୋଇଗଲାଣି । ଏସବୁ ଭିତରେ ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ମୁମ୍ବାଇ, ପୁନେ ଓ ବାଙ୍ଗାଲୋରରୁ ୩୫ ଲକ୍ଷ ଟଙ୍କାର ନକଲି ନୋଟ ଜବତ କରିଛି । ତେବେ ଏହି ନୋଟ ଗୁଡିକ ଏତେ ଉନ୍ନତମାନର ଯେ, ଏହାକୁ ସହଜରେ ଚିହ୍ନବା ମଧ୍ୟ କଷ୍ଟକର । ସାଧାରଣତଃ ଆରବିଆଇ ଯେଉଁ ନୂଆ ୨୦୦୦ ଓ ୫୦୦ ଟଙ୍କା ନୋଟ ପ୍ରଚଳନ କରିଛି ସେଗୁଡିକୁ ଚିହ୍ନିବା ପାଇଁ ୧୭ଟି ସଂକେତ ରହିଥିବା ବେଳେ ଜବତ ହୋଇଥିବା ନକଲି ନୋଟରେ ୮ଟି ସଂକେତ ଦେଖିବାକୁ ମିଳିଛି । ଯାହା ଅସଲି ୨୦୦୦ ଓ ୫୦୦ ଟଙ୍କା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

modi-and-notesଡିଆରଆଇ ଜବତ କରିଥିବା ଏହି ନକଲି ନୋଟ ଗୁଡିକ ଅତି ଉନ୍ନତମାନର । ବିମୁଦ୍ରାକରଣ ପରେ ପରେ ଯେଉଁ ନକଲି ଟଙ୍କା ବଜାରକୁ ଆସୁଥିଲା ତାହାକୁ ଅତି ସହଜରେ ଚିହ୍ନି ହେଉଥିଲା । ତାହା ଏତେ ଉନ୍ନତମାନର ନଥିଲା । କିନ୍ତୁ ଏହା ଭିତରେ ନକଲି ଟଙ୍କା ଚାଲାଣ କରୁଥିବା ର୍ୟାକେଟ ଚାଲାକ ହୋଇଗଲେଣି । ଧୀରେ ଧୀରେ ନିଜ ଜ୍ଞାନକୌଶଳରେ ପରିବର୍ତ୍ତନ ଆଣି ନକଲି ଟଙ୍କାକୁ ଅସଲି ଟଙ୍କାର ରୂପ ଦେଇଛନ୍ତି । ଯାହାକୁ ଚିହ୍ନିବା ସାଧାରଣ ଲୋକ ପକ୍ଷେ କଷ୍ଟକର । ତେବେ ଏସବୁ ଭିତରେ ବଡ ପ୍ରଶ୍ନ ଉଠୁଛି ଏତେ ମାତ୍ରାରେ ନକଲି ଟଙ୍କା ଭାରତକୁ ଆସୁଛି କେମିତି । କିଛି ସୁତ୍ର ଅନୁଯାୟୀ, ଏହି ସବୁ ନକଲି ଟଙ୍କା ବାଲାଂଦେଶ ଓ ପାକିସ୍ତାନ ସୀମା ଦେଇ ଭାରତ ଭିତରକୁ ଆସୁଛି ।
ଏଠି ଗୋଟିଏ ପ୍ରଶ୍ନ ଉଠୁଛି, ମୋଦି ସରକାର ଯେଉଁ ଆଶା ନେଇ ନୋଟବନ୍ଦୀ ଭଳି ବଡ ପଦକ୍ଷେପ ନେଇଥିଲେ ତାହା କଣ ବାସ୍ତବରେ ପୂରଣ ହୋଇଛି । ଯଦି ପୂରଣ ହେଇଛି ତେବେ ପୁଣି କିପରି ଉନ୍ନତମାନର ନକଲି ନୋଟ ବଜାରକୁ ଆସୁଛି ।

ବିମୁଦ୍ରାକରଣର କିଛି ଝଲକ:
ଗତବର୍ଷ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାତି ୮ଟାରେ ଏକ ଜରୁରୀ ଘୋଷଣା କରିଥିଲେ ।
୧ -ମଧ୍ୟ ରାତ୍ରିରୁ ସେହି ସମୟରେ ପ୍ରଚଳିତ ୫ଶହ ଓ ହଜାରେ ଟଙ୍କିଆ ନୋଟକୁ ଅଚଳ କରିଦିଆଗଲା
୨ -ପ୍ରଧାନମନ୍ତ୍ରୀ ସମ୍ବୋଧନରେ କହିଥିଲେ କଳାଧନକୁ ବାହାର କରିବା, ଜାଲ ନୋଟ, ଆତଙ୍କବାଦ ଓ ମାଓବାଦକୁ ପ୍ରତିହତ କରିବା, ଦୁର୍ନୀତି ଉପରେ ଲଗାମ ଲଗାଇବା ପାଇଁ ନୋଟବନ୍ଦୀ ଜରୁରୀ ହୋଇପଡିଛି ।
୩ -ବ୍ୟାଙ୍କରେ ଟଙ୍କା ବଦଳ କରିବା ପାଇଁ କେନ୍ଦ୍ର ସରକାର ଦେଶବାସୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
୪- ବିମୁଦ୍ରାକରଣ ପରେ ଦେଶରେ ଡିଜିଟାଲ କାରବାର ଓ କ୍ୟାସଲେସ ଲେଣଦେଣ ଉପରେ ଯୋର ଦିଆଯାଇଥିଲା ।
୫-ବ୍ୟାଙ୍କ ଓ ଏଟିଏମରୁ ଟଙ୍କା ଉଠାଣ ଉପରେ କଟକଣା ଲାଗୁ କରାଯାଇଥିଲା ।
୬-ବିମୁଦ୍ରାକରଣ ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଶହେରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
୭-ଏହାପରେ ରିଜର୍ଭ ବ୍ୟାଙ୍କ ତରଫରୁ ବଜାରକୁ ନୂଆ ୫ ଶହ ଓ ୨ହଜାର ଟଙ୍କିଆ ନୋଟ ଛଡା ଯାଇଥିଲା
୮- ଏଟିଏମ ଓ ବ୍ୟାଙ୍କରୁ ଟଙ୍କା ଉଠାଣ କଟକଣା ହଟିବା ଓ ବଜାରକୁ ନୂଆ ନୋଟ ଆସିବା ପରେ ଏବେ ପୁଣି ନଗଦ କାରବାର ସୁଗମ ହୋଇଛି ।