ନବୀନଙ୍କ ଭରସା ନୂଆ ପ୍ରାର୍ଥୀ । ୯ ଲୋକସଭା ଆସନରୁ ୮ ଆସନରେ ମୈଦାନକୁ ଓହ୍ଲାଇଲେ ନୂଆ ମୁହଁ

402

କନକ ବ୍ୟୁରୋ : ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ଘୋଷଣା କରିଛନ୍ତି ପ୍ରାର୍ଥୀ ତାଲିକା । ତେବେ ୯ ଲୋକସଭା ମଧ୍ୟରୁ ୮ ଆସନରେ ନୂଆ ପ୍ରାର୍ଥୀକୁ ସାମ୍ନାକୁ ଆଣିଛି ବିଜେଡି । ଅଥାର୍ତ ନୂଆ ପ୍ରାର୍ଥୀଙ୍କ ଉପରେ ଭରସା କରିଛନ୍ତି ନବୀନ । କେବଳ ବଲାଙ୍ଗୀର ସଂସଦୀୟ କ୍ଷେତ୍ରକୁ ଛାଡିଦେଲେ ଅନ୍ୟ ୮ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି । ବଲାଙ୍ଗୀରରେ କଳିକେଶ ନାରାୟଣ ସିଂହଦେଓ ନବୀନଙ୍କ ଭରସା ଜିତିବା ସହ ଟିକେଟ ହାତେଇବାରେ ସକ୍ଷମ ହୋଇଛନ୍ତି ।

ତେବେ ବାକି ୮ଟି ଆସନରୁ ଯେଉଁ ପ୍ରାର୍ଥୀଙ୍କ ଟିକେଟ କଟାଯାଇଛି ସେଥିରେ ଅନେକ ହେଭିୱେଟ ନେତା ସାମିଲ ହୋଇଛନ୍ତି । ବ୍ରହ୍ମପୁରରେ ସିଦ୍ଧାନ୍ତ ମହାପାତ୍ରଙ୍କ ବଦଳରେ ଚନ୍ଦ୍ରଶେଖର ସାହୁଙ୍କ ଉପରେ ଭରସା କରିଛି ଦଳ । କଂଗ୍ରେସ ଛାଡି ବିଜେଡି କ୍ୟାମ୍ପରେ ଯୋଗ ଦେଇଥିବା ଚନ୍ଦ୍ରଶେଖରଙ୍କୁ ବ୍ରହ୍ମପୁରରୁ ଲୋକସଭା ପ୍ରାର୍ଥୀ କରିଛି ଦଳ । ସେହିଭଳି ଅନ୍ୟ ଏକ ଚର୍ଚ୍ଚିତ ଆସନ ନବରଙ୍ଗପୁରରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଥିବା ବେଳେ ତାଙ୍କ ସ୍ଥାନରେ ଦଳ ରମେଶ ମାଝୀଙ୍କୁ ମୈଦାନକୁ ଓହ୍ଲାଇଛି ।

ସେହିଭଳି କୋରାପୁଟ ଆସନରେ ମଧ୍ୟ ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି ବିଜେଡି ସୁପ୍ରିମୋ । କୋରାପୁଟ ସାଂସଦ ଥିବା ଝିନ୍ନ ହିକକାଙ୍କ ବଦଳରେ ତାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ଟିକେଟ ଦେଇ ଦଳ ଖେଳିଛି ମହିଳା କାର୍ଡ । ହାଇପ୍ରୋଫାଇଲ ଆସନ କୁହାଯାଉଥିବା ସୁନ୍ଦରଗଡରେ ବିଜେପିକୁ ଟକ୍କର ଦେବାକୁ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ଗତଥର ଏଠାରୁ ଦିଲ୍ଲୀପ ତୀର୍କି ନିର୍ବାଚନ ଲଢିଥିଲେ ମଧ୍ୟ ବିଜେପିର ଜୁଏଲ ଓରାମଙ୍କ ଠାରୁ ପରାସ୍ତ ହୋଇଥିଲେ । ରାଜ୍ୟର ବିଜେପି ଏହି ଆସନରେ ବିଜୟୀ ହେବା ସହ ଖାତା ଖୋଲିଥିଲା । ତେବେ ଚଳିତ ଥର ବିଜେପିକୁ ମାତ ଦେବାକୁ ଦଳ ଏଠାରେ ସଜ ସଜ କଂଗ୍ରେସ କ୍ୟାମ୍ପ ଛାଡି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଛି ଦଳ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲ୍ଲାର ଦୁଇଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ବ୍ରହ୍ମପୁର ବ୍ୟତୀତ ଆସ୍କାରେ ମଧ୍ୟ ନୂଆ ମୁହଁଙ୍କୁ ସୁଯୋଗ ଦେଇଛି ବିଜେଡି । ଆସ୍କାର ସାଂସଦଙ୍କ ବିୟୋଗ ପରେ ତାଙ୍କ ସ୍ଥାନରେ ଏସଏଚଜି ଗ୍ରୁପର ସଦସ୍ୟ ପ୍ରମିଳା ବିଶୋୟୀଙ୍କୁ ଦଳ ଦେଇଛି ଟିକେଟ । ସେହିଭଳି କଳାହାଣ୍ଡି ଆସନ ପାଇଁ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ମୈଦାନକୁ ଓହ୍ଳାଇଛି ଦଳ  । ଅର୍କକେଶରୀଙ୍କ ବଦଳରେ ପୁଷ୍ପେନ୍ଦ୍ରଙ୍କୁ ଦଳ ଦିଲ୍ଲୀ ପଠାଇବାକୁ ସ୍ଥିର କରିଛି । ତେବେ ସବୁଠୁ ବଡ କଥା ହେଲା ଉଭୟ କନ୍ଧମାଳ ଓ ବରଗଡ ପାଇଁ ଦୁଇ ରାଜ୍ୟସଭା ସାଂସଦଙ୍କୁ ଦଳ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି । କନ୍ଧମାଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । କନ୍ଧମାଳ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ବଦଳରେ ଦଳ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ସେହିଭଳି ବରଗଡରୁ ସାଂସଦ ଥିବା ପ୍ରଭାସ ସିଂଙ୍କ ବଦଳରେ ଦଳ  ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଛି । ନୂଆ ପ୍ରାର୍ଥୀଙ୍କୁ ନେଇ ଦଳ ମୈଦାନକୁ ଓହ୍ଲାଇଥିବା ବେଳେ ଏଥିରେ ୩ ଜଣ ମହିଳା ମଧ୍ୟ ରହିଛନ୍ତି । ଏହାସହ ର୍ପୂବରୁ ମହିଳାଙ୍କୁ ୩୩%  ଟିକେଟ ଦେବାକୁ ନବୀନ ଯେଉଁ କଥା ଦେଇଥିଲେ ତାହାକୁ ମଧ୍ୟ ରକ୍ଷା କରିଛନ୍ତି । କିନ୍ତୁ ନବୀନଙ୍କ ଏହି ନୂଆ ସିପାହୀ ନିର୍ବାଚନ ମୈଦାନରେ କିଭଳି ଫାଇଟ କରୁଛନ୍ତି ଓ ଏହାର ଫଳାଫଳ କଣ ହେବ ତାହା ଉପରେ ପୂରା ରାଜ୍ୟବାସୀଙ୍କ ନଜର ରହିବ ।