ଦାଦନର ଦୟନୀୟ ଚିତ୍ର । ଟଙ୍କା ମାଗିବାରୁ ଦାଦନ ଶ୍ରମିକର ହାତ ଓ ଗୋଡର ୮ ଆଙ୍ଗୁଠି କାଟିଦେଲେ ଦଲାଲ ।

427

କନକ ବ୍ୟୁରୋ : ପୁଣିଥରେ ନୂଆପଡାରୁ ଆସିଛି ଦାଦନର ଦୟନୀୟ ଚିତ୍ର । ଏଥର ଦାଦନ ଖଟିବାକୁ ଯାଇ ସାଥୀ ଶ୍ରମିକଙ୍କ ଆକ୍ରୋଶର ଶୀକାର ହୋଇଛନ୍ତି ନୂଆପଡାର ଜଣେ ବୟସ୍କ ଦାଦନ ଶ୍ରମିକ । ନୂଆପଡାର ଚମରୁ ପହରିଆ ଗତ ଜୁଲାଇ ମାସରେ ନାଗପୁରକୁ ଦାଦନ ଖଟିବାକୁ ଯାଇଥିବା ବେଳେ ସାଥୀ ଶ୍ରମିକଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣର ଶୀକାର ହୋଇଛନ୍ତି । ଏମିତିକି ଦୁଇ ସାଥୀ ଶ୍ରମିକ ଚମରୁଙ୍କ ଗୋଡର ଆଙ୍ଗୁଠି ସବୁକୁ ବି ଧାରୁଆ ଅସ୍ତ୍ରରେ କାଟି ପାକାଇଛନ୍ତି ।

ନୂଆପଡା କୋମନା ବ୍ଲକର ବାସିନ୍ଦା ହେଉଛନ୍ତି ଚମରୁ ପହରିଆ । ବାର୍ଦ୍ଧକ୍ୟ ଭତ୍ତା ବଳରେ ତାଙ୍କ ପରିବାର ଚଳୁଥିବା ବେଳେ ପେଟପାଟଣା ପାଇଁ ସଙ୍ଘର୍ଷ ଜାରି ରହିଥିଲା । ଜୁଲାଇ ମାସରେ ଗାଁର ଦୁଇଜଣ ବ୍ୟକ୍ତି ଡୋଲା ଓ ବିଦେଶୀଙ୍କ ଚକ୍ରାନ୍ତରେ ପଡି ଦାଦନ ସର୍ଦ୍ଦାର ଜାଲରେ ଫଶିଯାଇଥିଲେ । ଭଲ ରୋଜଗାରର ପ୍ରତିଶ୍ରୁତି ସହ ଦାଦନ ସର୍ଦ୍ଦାର ଚମରୁଙ୍କ ସହ ତାଙ୍କ ଦୁଇ ସହଯୋଗୀଙ୍କୁ ନାଗପୁର ପଠାଇଥିଲା । ସେପଟେ କିଛି ଦାଦନ ସର୍ଦ୍ଦାର କିଛି ଅଗ୍ରୀମ ଟଙ୍କା ଦେଇଥିବା ବେଳେ ତାକୁ ଆତ୍ମସାତ କରିଦେଇଥିଲେ ଚମରୁଙ୍କ ଦୁଇ ସାଥୀ ।

ନାଗପୁରରେ ନିର୍ମାଣ ଶ୍ରମିକ ଭାବେ କାମ କରୁଥିବା ବେଳେ ଦୁଇ ସହଯୋଗୀଙ୍କ ସହ ଚମରୁଙ୍କ ବଚସା ହୋଇଥିଲା । ଏହାସହ ଚମରୁଙ୍କ ଦୁଇ ସହଯୋଗୀ ଡୋଲା ଓ ବିଦେଶୀ ଚମରୁଙ୍କ ଗୋଡର ଆଙ୍ଗୁଠିକୁ କାଟି ପକାଇଥିଲେ । ଚେତାଶୂନ୍ୟ ଅବସ୍ଥାରେ ଚମରୁ ନାଗପୁର ରେଳ ଷ୍ଟେସନରୁ ଉଦ୍ଧାର ହେବା ପରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା କରାଗଲା । ହେଲେ କେହି ସମ୍ପର୍କୀୟ ନଆସିବାରୁ ଅସହାୟ ଭାବେ ପୁଣି ତାଙ୍କୁ ଛାଡି ଦିଆଗଲା । ଏହାପରେ କୈାଣସି ମତେ ଚମରୁ ଆସି ନାଗପୁର ରେଳ ଷ୍ଟେସନରେ ପହଁଚିବା ସହ ଓଡିଶା ଫେରି ଆସିଲେ । ଏହାପରେ ନାଗପୁରରେ ଦାଦନ ଶ୍ରମିକଙ୍କ ସହ ହୋଇଥିବା ଅତ୍ୟାଚାରର ପୁରା ଚିତ୍ର ସାମ୍ନାକୁ ଆସିଛି ।

ହେଲେ ପ୍ରଶ୍ନ ଉଠୁଛି ବାରମ୍ବାର ନୂଆପଡା ଜିଲ୍ଲାରୁ ଦାଦନ ଶ୍ରମିକଙ୍କ ଅଭିଯୋଗ ସହ ଉଦ୍ଧାର ହେବାର ଚିତ୍ର ଆସିଥିଲେ ବି କାହିଁକି ପ୍ରଶାସନର ନଜରକୁ ଆସିପାରୁ ନାହିଁ ଏଭଳି ଘଟଣା । ଏହି ପୁରା ଘଟଣାରେ କେମିତି ଅଭିଯୁକ୍ତଙ୍କୁ ଧରିବା ସହ ଦାଦନ ସର୍ଦ୍ଦାର ଉପରେ କାର୍ଯ୍ୟାନୁଷ୍ଠାନ ହେବ ତାଉପରେ ବି ନଜର ରହିଛି ।