ସ୍କୁଲରେ କେତେ ସୁରକ୍ଷିତ ଆମ ପିଲା, ଦିଲ୍ଲୀ ଘଟଣା ପରେ ଉଠିଲା ବଡ଼ ପ୍ରଶ୍ନ ! ସାତ ବର୍ଷର କୁନିପୁଅକୁ ଦୁଷ୍କର୍ମ ଉଦ୍ୟମ କଲା ସ୍କୁଲ ବସ୍ କଣ୍ଡକ୍ଟର

46

କନକ ବ୍ୟୁରୋ : ଦିଲ୍ଲୀ ଗୁରଗାଓଁରେ ୭ବର୍ଷର ଶିଶୁକୁ ହତ୍ୟା ଘଟଣାରେ ତୀବ୍ର ହେଉଛି ବିରୋଧ । ଦୁଷ୍କର୍ମ ଉଦ୍ୟମ ପରେ ଜଣେ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ତାତିଛନ୍ତି ଅଭିଭାବକ । ରିଆନ ସ୍କୁଲ ସାମ୍ନାରେ ଏକାଠି ହୋଇଛନ୍ତି ଶହଶହ ଅଭିଭାବକ । ସ୍କୁଲରେ ଛାତ୍ରଙ୍କୁ ବିଭତ୍ସ ହତ୍ୟା ପରେ ଭୟଭିତ ହୋଇପଡିଥିବା ଅଭିଭାବକମାନେ ସ୍କୃଲ କର୍ତୃପକ୍ଷଙ୍କ ବିରୋଧରେ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

ସେପଟେ କେଉଁ ପରିସ୍ଥିତିରେ ପୁଅକୁ ହତ୍ୟା କରାଗଲା ତାର ସିବିଆଇ ତଦନ୍ତ ଦାବି କରିଛନ୍ତି ମୃତ ଛାତ୍ରଙ୍କ ମାଆ । ୭ଦିନ ଭିତରେ ମାମଲାର ତଦନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ । ପୋଲିସ ଅଭିଯପକ୍ତ ସ୍କୁଲ ବସ କଣ୍ଡକ୍ଟରକୁ ଗିରଫ କରି ତିନି ଦିନିଆ ରିମାଣ୍ଡରେ ନେଇଛି । ପୋଲିସ ନିକଟରେ ଦୋଷ ସ୍ୱୀକାର କରିସାରିଛି ଅଭିଯୁକ୍ତ ଅଶୋକ କୁମାର । ତେବେ ଗୁରଗାଓଁର ଏହି ସାଂଘାତିକ ଘଟଣା ସାରା ଦେଶରେ ଅଭିଭାବକମାନଙ୍କୁ ସେମାନଙ୍କ ପିଲାଙ୍କ ସୁରକ୍ଷା ନେଇ ଚିନ୍ତାରେ ପକାଇ ଦେଇଛି ।

ଏଭଳି ପ୍ରଶ୍ନ ଆପଣଙ୍କ ମନକୁ ଆସିବା ସ୍ୱାଭାବିକ, କାରଣ ଦିଲ୍ଲୀ ଗୁରଗାଓଁରୁ ଆସିଛି ଏମିତି ଏକ ବିଚଳତି କଲାଭଳି ଖବର । ଯେଉଁଠି ଜଣେ ୭ ବର୍ଷର ପୁଅକୁ ପ୍ରଥମେ ଦୁଷ୍କର୍ମ ପାଇଁ ଉଦ୍ୟମ କରି ବିଫଳ ହେବା ପରେ ଅତି ନିର୍ମମ ଭାବେ ହତ୍ୟା କରିଛି ସ୍କୁଲ ବସର କଣ୍ଡକ୍ଟର । ରିଆନ ଇଂଟରନ୍ୟାସନାଲ ସ୍କୁଲରେ କ୍ଲାସ-ଟୁରେ ପଢୁଥିବା ଏହି ଛାତ୍ରକୁ ସ୍କୁଲ ଟଏଲେଟରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା କଣ୍ଡକ୍ଟର ଅଶୋକ କୁମାର । ଆଉ ଧରାପଡିଯିବା ଭୟରେ ଅତି ବିଭତ୍ସ ଭାବରେ ଏକ ଧାରୁଆ ଛୁରିରେ ଗଳା ଓ ଡାହାଣ କାନକୁ କାଟି ପକାଇଥିଲା । ଛାତ୍ରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ସ୍କୁଲ ଟଏଲେଟରୁ ଉଦ୍ଧାର ହୋଇଥିଲା ।

ଏହି ବିଭତ୍ସ ହତ୍ୟାକାଣ୍ଡ ସାରା ଦେଶରେ ଅଭିଭାବକମାନଙ୍କୁ ଭୟଭିତ କରିବା ସହ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ସନ୍ଦେହ ବଢାଇ ଦେଇଛି ।
୧- ସ୍କୁଲ ଟଏଲେଟ ଭିତରେ ଛାତ୍ରଙ୍କୁ ହତ୍ୟା ସଂପର୍କରେ କେହି ଜାଣିପାରିଲେନି କିପରି?
୨- ବସ କଣ୍ଡକ୍ଟର ଜଣକ ସ୍କୁଲ ଭିତରକୁ ସାଙ୍ଗରେ ଛୁରି ଧରି ଆସିଲେ କିଭଳି?
୩- ସ୍କୁଲର ସୁରକ୍ଷା କର୍ମୀ କାହିଁକି କଣ୍ଡକ୍ଟର ଅଶୋକ କୁମାରଙ୍କୁ ଯାଂଚ କରିନଥିଲେ?
୪- ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ଦାୟୀ କରାଯିବ ନାହିଁ କି?

ଏହି ଘଟଣା ସ୍କୁଲର ଅନ୍ୟ ଛାତ୍ରଛାତ୍ରୀଙ୍କ ମନରେ ଭୟ ସୃଷ୍ଟି କରିଛି । ସ୍କୁଲ ଆସିବାକୁ ସେମାନେ ଡରୁଛନ୍ତି । ସେପଟେ ରିଆନ ଇଂଟରନ୍ୟାସନାଲ ସ୍କୁଲ ସାମ୍ନାରେ ଆଜି ଦିନତମାମ ଲାଗିରହିଛି ଉତେଜନା । ଜଣେ ନିରୀହ ଶିଶୁର ବିଭତ୍ସ ହତ୍ୟାକୁ ନେଇ ତାତି ଉଠିଛନ୍ତି ଅଭିଭାବକ । ସ୍କୁଲ କର୍ତୃପକ୍ଷଙ୍କ ଅବହେଳା ବିରୋଧରେ ଆନ୍ଦୋଳନ କରିଛନ୍ତି । ସ୍କଲର ପ୍ରିନ୍ସିପାଲ ନୀରଜ ବତ୍ରାଙ୍କୁ ନିଲମ୍ବିତ କରାଯାଇଥିବାବେଳେ ସୁରକ୍ଷା ଦାୟିତ୍ୱରେ ଥିବା ସଂସ୍ଥାକୁ ବାତିଲ କରାଯାଇଛି । ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ଏକ କମିଟି ଗଠନ କରିଥିବାବେଳେ ୭ ଦିନ ଭିତରେ ତଦନ୍ତ ଶେଷ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଗୁରରାଓଁ ପୋଲିସ କମିଶନର ।

ଦିଲ୍ଲୀ ଗୁରଗାଓଁର ଏହି ଘଟଣା ସାରାଦେଶରେ ଅଭିଭାବକ ମାନଙ୍କ ମନରେ ଭୟ ସୃଷ୍ଟି କରିଛି । କାରଣ ସ୍କୁଲ କର୍ତୃପକ୍ଷଙ୍କ ଭରସାରେ ନିଜ ପିଲାମାନଙ୍କୁ ଛାଡୁଥିବା ବାପା,ମାଆ ସେମାନଙ୍କ ପିଲା ସୁରକ୍ଷିତ ଘରକୁ ଫେରିଆସିବା ନେଇ ବଢିଛି ସନ୍ଦେହ ।