କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ଖବର : ଆସନ୍ତାକାଲି ସପ୍ତମ ବେତନ କମିଶନର ସୁପାରିଶକୁ ଗ୍ରହଣ କରିପାରେ କେନ୍ଦ୍ର କ୍ୟାବିନେଟ

23

କନକ ବ୍ୟୁରୋ : ଖୁବଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପକେଟ୍ ଗରମ ହେବାକୁ ଯାଉଛି । ମାଲାମାଲ ହେବାକୁ ଯାଉଛନ୍ତି କର୍ମଚାରୀ । ଏଣିକି କର୍ମଚାରୀଙ୍କ ମାସିକ ଦରମା ଆଖିଦୃଶିଆ ବୃଦ୍ଧି ହେବାକୁ ଯାଉଛି । ଯାହା କର୍ମଚାରୀଙ୍କ ପାଇଁ ଖୁସି ଖବର ନେଇ ଆସିଛି । ଅର୍ଥାତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମୋଟ୍ ବେତନ ୧୫ରୁ ୨୩ ପ୍ରତିଶତ ପର୍ଯ୍ୟନ୍ତ ବଢିପାରେ । ଆସନ୍ତାକାଲି ହେବାକୁ ଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏନେଇ ଶେଷ ନିଷ୍ପତି ହୋଇପାରେ । ଏହି ଅବସରରେ ମୋଦି ସରକାର ସପ୍ତମ ବେତନ ଆୟୋଗଙ୍କ ସୁପାରିଶକୁ ମଂଜୁରୀ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏହାଦ୍ୱାରା ୫୨ ଲକ୍ଷ ପେନସନଭୋଗୀଙ୍କ ସମେତ ୯୮ ଲକ୍ଷ କର୍ମଚାରୀ ଉପକୃତ ହେବେ । ଗତ ଜାନୁଆରୀ ୧ ତାରିଖରୁ ଏହା ପିଛିଲା ଭାବେ ଲାଗୁ ହେବ । ଏହାଦ୍ୱାରା ଜଣେ କର୍ମଚାରୀଙ୍କ ସର୍ବନିମ୍ନ ମାସିକ ଦରମା ୧୮ ହଜାର ହୋଇପାରେ । ଏହାସହ କ୍ୟାବିନେଟ୍ ସଚିବ ପାହ୍ୟା କର୍ମଚାରୀଙ୍କ ଦରମା ୨ଲକ୍ଷ ୨୫ ହଜାରୁ ଅଢେଇ ଲକ୍ଷ ହୋଇପାରେ । ଏହାସହ ପ୍ରତି କର୍ମଚାରୀଙ୍କ ବାର୍ଷିକ ଇନକ୍ରିମେଂଟ୍ ସର୍ବନିମ୍ନ ତିନି ପ୍ରତିଶତ କରିବାକୁ କମିଶନ ସୁପାରିଶ କରିଥିଲେ । ପୂର୍ବରୁ ୨୦୦୬ରେ ଷଷ୍ଠ ବେତନ କମିଶନଙ୍କ ସୁପାରିଶ ଲାଗୁ ହୋଇଥିଲା । କେନ୍ଦ୍ର ସରକାର ସପ୍ତମ ବେତନ କମିଶନଙ୍କ ସୁପାରିଶକୁ ଲାଗୁ କରିସାରିବାପରେ , ପର୍ଯ୍ୟାୟକ୍ରମେ ସମସ୍ତ ରାଜ୍ୟସରକାର ଏହାକୁ ଲାଗୁ କରିବେ ।