ନବୀନଙ୍କ ପୂଜା ଭେଟି ! ଲାଗୁ ହେଲା ସପ୍ତମ ବେତନ କମିଶନ, ସେପ୍ଟେମ୍ବରରୁ ମିଳିବ ବର୍ଦ୍ଧିତ ଦରମା

132

କନକ ବ୍ୟୁରୋ : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତୀଙ୍କ ଦୁର୍ଗାପୂଜା ଭେଟି । ଲାଗୁ ହେଲା ସପ୍ତମ ବେତନ କମିଶନ । ୧ ଜାନୁଆରୀ , ୨୦୧୬ରୁ ପିଛିଲା ଭାବେ ଏହା ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜ୍ୟର ସରକାରୀ କର୍ମଚାରୀଙ୍କୁ ବହୁ ପ୍ରତୀକ୍ଷିତ ସପ୍ତମ ବେତନ କମିସନ ହାରରେ ଦରମା ଦେବାକୁ ଘୋଷଣା କରିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଏ ସଂକ୍ରାନ୍ତ ସୂଚନା ଦେଇ କହିଲେ, ସପ୍ତମ ବେତନ କମିସନଙ୍କ ରିପୋର୍ଟକୁ ତର୍ଜମା କରିବା ଲାଗି ଗଠିତ କମିଟି ଯେଉଁ ସୁପାରିସ କରିଥିଲେ, ସରକାର ତାହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୧୬ ଜାନୁଆରୀ ପହିଲାରୁ ପିଛିଲା ଭାବେ ଏହାକୁ ଲାଗୁ କରାଯିବ । ମାତ୍ର କର୍ମଚାରୀ ଓ ପେନସନ୍‌ ଭୋଗୀଙ୍କୁ ଆସନ୍ତା ସେପ୍ଟେମ୍ବରର ମାସରୁ ବର୍ଦ୍ଧିତ ହାରରେ ଦରମା ଓ ପେନସନ୍‌ ପ୍ରଦାନ କରାଯିବ ।

ସରକାରଙ୍କ ପକ୍ଷରୁ କୁହାଯାଇଛି, ଯେହେତୁ ସେପ୍ଟେମ୍ବରର ୨୭ରୁ ଦୁର୍ଗାପୂଜା ଛୁଟି ହେଉଛିି, ଏଣୁ ୨୬ ସେପ୍ଟେମ୍ବରରେ ହିଁ କର୍ମଚାରୀ ଓ ପେନସନ୍‌ ଭୋଗୀ ବର୍ଦ୍ଧିତ ଦରମା ଏବଂ ପେନସନ୍‌ ପାଇବେ । ସେ ମାସର ଦରମା ସରକାର ଆଗତୁରା ଦେବାକୁ ସ୍ଥିର କରିଛନ୍ତି । ତେବେ ସରକାରଙ୍କ ଆଜିର ଘୋଷଣା ଦ୍ୱାରା ରାଜ୍ୟର ସାଢେ ଚାରି ଲକ୍ଷ ସରକାରୀ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନ୍‌ ଭୋଗୀ ବା ଅବସରପ୍ରାପ୍ତ କର୍ମଚାରୀ ଉପକୃତ ହେବେ । ରାଜ୍ୟ ସରକାରଙ୍କୁ ଏ ବାବଦରେ ବାର୍ଷିକ ଅଧିକ ୪୫୦୦ କୋଟି ଟଙ୍କା ଆର୍ଥିକ ବୋଝ ମୁଣ୍ଡାଇବାକୁ ପଡ଼ିବ । ତେବେ ବକେୟା ଅର୍ଥ କିଭଳି ପ୍ରଦାନ କରାଯିବ, ସେ ନେଇ ପରବର୍ତ୍ତୀ ସମୟରେ ହିସାବ କରାଯିବ ।

ଜଣେ ଅଧିକାରୀ କହିଛନ୍ତି, ପେନସନ୍‌ଭୋଗୀଙ୍କୁ କିସ୍ତିରେ ଏହି ବକେୟା ଅର୍ଥ ପ୍ରଦାନ କରାଯିବା ସମ୍ଭାବନା ଅଧିକ । ତେବେ ସରକାରୀ କର୍ମଚାରୀଙ୍କ ଜିପିଏଫ୍‌ରେ ଅର୍ଥ ଜମା ନେଇ ଟିକିଏ ସମସ୍ୟା ରହିଛି । କାରଣ ସେ ବାବଦ ସୁଧ ଅର୍ଥ ବି ସରକାରଙ୍କୁ ଦେବାକୁ ପଡିବ । ଏଣୁ ସେମାନଙ୍କୁ ନଗଦ ଦିଆଯିବ କିମ୍ବା ଜିପିଏଫ୍‌ରେ ଜମା କରାଯିବ, ସେ ନେଇ ସରକାର ପରବର୍ତ୍ତୀ ସମୟରେ ଆକଳନ କରି ନିଷ୍ପତ୍ତି ନେବେ ।

ତେବେ ରାଜ୍ୟ ସରକାରଙ୍କ ଏହି ଘୋଷଣା ରାଜ୍ୟର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ମହଲରେ ଆନନ୍ଦ ଖେଳାଇ ଦେଇଛି । ସେମାନଙ୍କର ଦୀର୍ଘ ଦିନର ଦାବିକୁ ସରକାର ଗ୍ରହଣ କରିନେଇଥିବାରୁ ସେମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଭିନ୍ନ କର୍ମଚାରୀ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଛି । ମାତ୍ର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ ପୂର୍ବ ଦରମାରେ ଥିବା ଅସଙ୍ଗତି ଦୂର ହୋଇଛି କି ନାହିଁ ତାହା ଜଣାପଡିବ । ତାହା ପରେ ଏ ନେଇ ପ୍ରତିକ୍ରିୟା ଦିଆଯିବ ବୋଲି କର୍ମଚାରୀ ନେତାମାନେ କହିଛନ୍ତି । ବିଜେପି ମଧ୍ୟ ରାଜ୍ୟ ସରକାରଙ୍କ ଘୋଷଣାକୁ ସ୍ୱାଗତ କରିଛି । ବିଳମ୍ବରେ ହେଲେ ବି ସରକାର କର୍ମଚାରୀଙ୍କୁ ତାଙ୍କ ପ୍ରାପ୍ୟ ଦେଇଛନ୍ତି ବୋଲି ଦଳ ତାର ପ୍ରତିକ୍ରିୟା ରଖିଛି ।

ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି, କେନ୍ଦ୍ରୀୟ ଢାଞ୍ଚାରେ ରାଜ୍ୟ ସରକାର ଏହାକୁ ଲାଗୁ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଏ ନେଇ ଘୋଷଣା କରିଥିଲେ ହେଁ, ଖୁବ୍‌ ଶୀଘ୍ର ସପ୍ତମ ବେତନ କମିସନଙ୍କ ସୁପାରିସ ଲାଗୁ ସଂକ୍ରାନ୍ତ ପ୍ରସ୍ତାବ ରାଜ୍ୟ କ୍ୟାବିନେଟ୍‌ରେ ଉପସ୍ଥାପନ କରାଯିବ । ଏହା ପରେ ସରକାର ବିଶଦ ଭାବେ ବିଜ୍ଞପ୍ତି ଜାରି କରିବେ । ରାଜ୍ୟ ସରକାରୀ କର୍ମଚାରୀଙ୍କ ଦରମା ପୂର୍ବାପେକ୍ଷା ହାରାହାରି ୧୪.୫% ବଢିବ ବୋଲି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କୁ ବିଭିନ୍ନ ଭତ୍ତା ଆଦି ଅଧିକ ମିଳୁଥିିବା ପରିପ୍ରେକ୍ଷୀରେ ସେମାନଙ୍କୁ ୨୩.୫ ପ୍ରତିଶତ ଅଧିକ ଦରମା ମିଳିବ ବୋଲି ଆକଳନ କରାଯାଇଥିଲା ।

ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ସର୍ବଭାରତୀୟ ସେବା ଅଫିସରମାନଙ୍କୁ କେନ୍ଦ୍ରୀୟ ହାର(ସପ୍ତମ ବେତନ କମିସନ ସୁପାରିସ ଅନୁସାରେ) ରେ ଦରମା ଦେବା ଲାଗି ପୃଥକ୍‌ ଏକ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ଲାଗୁ ହେଲେ, ମୁଖ୍ୟଶାସନ ସଚିବ ରାଜ୍ୟରେ ସର୍ବାଧିକ ୨ଲକ୍ଷ ୨୫ ହଜାର ଟଙ୍କା ଦରମା ପାଇବେ । ସେହିଭଳି ପ୍ରମୁଖ ଶାସନ ସଚିବଙ୍କ ଦରମା ସର୍ବନିମ୍ନ ୧ଲକ୍ଷ ୮୨ ହଜାର ଟଙ୍କା, କମିସନର ତଥା ଶାସନ ସଚିବମାନଙ୍କ ସର୍ବନିମ୍ନ ଦରମା ୧ଲକ୍ଷ ୪୪ ହଜାର ଟଙ୍କା, ଅତିରିକ୍ତ ଶାସନ ସଚିବଙ୍କ ସର୍ବନିମ୍ନ ଦରମା ୧ଲକ୍ଷ ୧୮ ହଜାର ୫୦୦ ଟଙ୍କା, ଯୁଗ୍ମ ଶାସନ ସଚିବଙ୍କ ସର୍ବନିମ୍ନ ଦରମା ୭୮ ହଜାର ୮୦୦ ଟଙ୍କା, ଉପଶାସନ ସଚିବଙ୍କ ସର୍ବନିମ୍ନ ଦରମା ୬୭ ହଜାର ୭୦୦ ଟଙ୍କା ହେବ । ଏହା ଉପରେ ଅନ୍ୟାନ୍ୟ ଭତ୍ତା ଓ ବାର୍ଷିକ ଇନକ୍ରିମେଣ୍ଟ ଆଦି ମିଶାଇ କର୍ମଚାରୀଙ୍କୁ ଦରମା ମିଳିବ ।

ତେବେ ରାଜ୍ୟ ସରକାରଙ୍କର କେଉଁ ବର୍ଗର କର୍ମଚାରୀଙ୍କୁ କେତେ ଟଙ୍କା ମିଳିବ, ତାହା ଏଯାଏ ଧାର୍ଯ୍ୟ ହୋଇନାହିଁ । କ୍ୟାବିନେଟ୍‌ ନିଷ୍ପତ୍ତି ପରେ ଖୁବ୍‌ ଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ୨୦୧୬ ଜାନୁଆରିରୁ ବର୍ଦ୍ଧିତ ଦରମା ଲାଗୁ କରାଯାଇଥିବା ପରିପ୍ରେକ୍ଷୀରେ କର୍ମଚାରୀମାନଙ୍କ ଦରମା ସହିତ ୪ ପ୍ରତିଶତ ମହଙ୍ଗା ଭତ୍ତା ମିଶିବ । ଏହି କ୍ରମରେ ଜଣେ ଗ୍ରୁପ ଏ ବର୍ଗର କର୍ମଚାରୀଙ୍କ ମୂଳ ଦରମା ୨୧ ହଜାରରୁ ବୃଦ୍ଧି ପାଇ ୫୬ ହଜାର ୧୦୦ ଟଙ୍କା ହେବ । ସେହିଭଳି ଗ୍ରୁପ୍‌-ବି କର୍ମଚାରୀଙ୍କ ମୂଳ ଦରମା ୧୩ ହଜାର ୫୦୦ ଟଙ୍କାରୁ ବୃଦ୍ଧି ପାଇ ସର୍ବନିମ୍ନ ୩୫ ହଜାର ୪୦୦ ଟଙ୍କା ରହିବ । ଗ୍ରୁପ୍‌-ସି କର୍ମଚାରୀଙ୍କ ଦରମା ୭ହଜାର ୧୦୦ରୁ ବୃଦ୍ଧିପାଇ ସର୍ବନିମ୍ନ ୧୯ ହଜାର ୯୦୦ ଟଙ୍କା ହେବ ଓ ଗ୍ରୁପ୍‌-ଡି କର୍ମଚାରୀଙ୍କ ମୂଳ ଦରମା ୬ହଜାର ୪୫୦ରୁ ବୃଦ୍ଧି ପାଇ ସର୍ବନିମ୍ନ ୧୮ ହଜାର ଟଙ୍କା ଛୁଇଁବ । ଅର୍ଥାତ୍‌ ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀ ସର୍ବନିମ୍ନ ୧୮ ହଜାର ଟଙ୍କା ପାଇବେ ।