ନବୀନଙ୍କ ପୂଜା ଭେଟି ! ରାଜ୍ୟରେ ଲାଗୁ ହେଲା ସପ୍ତମ ବେତନ କମିଶନ

62

କନକ ବ୍ୟୁରୋ : ସରକାରୀ କର୍ମଚାରୀଙ୍କୁ ନବୀନଙ୍କ ପୂଜା ଭେଟି । ମାଲାମାଲ୍ ହେବେ ରାଜ୍ୟ ସରକାରୀ କର୍ମଚାରୀ । ଓଡିଶାରେ ସପ୍ତମ ବେତନ କମିଶନ୍ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ୱାରା ରାଜ୍ୟର ୪.୫ଲକ୍ଷ ସରକାରୀ କର୍ମଚାରୀ ଏବଂ ୩.୫ ଲକ୍ଷ ପେନସନ ଭୋଗୀ ଉପକୃତ ହେବେ । ୧ ଜାନୁଆରୀ , ୨୦୧୬ରୁ ପିଛିଲା ଭାବେ ଏହା ଲାଗୁ କରାଯାଇଛି । ଏଥିସହ ଆସନ୍ତା ୨୭ରେ ପୂଜା ଛୁଟି ପଡୁଥିବାରୁ ତାପୂର୍ବଦିନ ଅର୍ଥାତ୍ ସେପ୍ଟେମ୍ବର ୨୬ ତାରିଖରେ କର୍ମଚାରୀ ବର୍ଦ୍ଧିତ ଦରମା ପାଇବେ ।  ଅନ୍ୟପଟେ ସପ୍ତମ ବେତନ କମିଶନ ଲାଗୁ ହେଲେ ରାଜ୍ୟ ରାଜକୋଷ ଉପରେ ୪୫୦୦କୋଟିର ବୋଝ ।

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ହେବା ପରେ ଏହାକୁ ସ୍ୱାଗତ କରିଛି ବିଜେପି । ଦଳ କହିଛି ବହୁ ଆଗରୁ ସରକାର ଏହା କରିବାର ଥିଲା । ସେପଟେ କଂଗ୍ରେସ କହିଛି, ନିର୍ବାଚନକୁ ଆଖି ଆଗରେ ରଖି ସରକାର ଏବେ ସପ୍ତମ ବେତନ କମିଶନ ଲାଗୁ କରିଛନ୍ତି ।

ସପ୍ତମ ବେତନ କମିଶନ ଲାଗୁ ପାଇଁ ଫିଟ୍‌ମେଣ୍ଟ କମିଟି ଗତ ଜୁନରୁ ରାଜ୍ୟ ସରକାରଙ୍କ ପାଖରେ ରିପୋର୍ଟ ଦେଇସାରିଥିଲେ । କିନ୍ତୁ ବାର୍ଷିକ ୪,୫୦୦ କୋଟିର ଆର୍ଥିକ ବୋଝ ପଡୁଥିବାରୁ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇପାରୁ ନ ଥିଲେ । ୨୦୧୬ ଜାନୁଆରୀରୁ କେନ୍ଦ୍ର ସରକାର ସପ୍ତମ ବେତନ କମିଶନଙ୍କ ସୁପାରିଶ୍ ଲାଗୁ କରିସାରିଥିବାରୁ ରାଜ୍ୟ ସରକାରଙ୍କ ଉପରେ ଏଥିପାଇଁ ଚାପ ବଢୁଥିଲା ।

ଗୋଟିଏ ପଟେ ସପ୍ତମ ବେତନ କମିଶନ ଅନ୍ୟପଟେ ଟଙ୍କା ପାଇଁ ଶିକ୍ଷକଙ୍କ ଆନ୍ଦୋଳନ । ସପ୍ତମ ବେତନ କମିଶନ ଲାଗୁ କରି ସରକାର ରାଜକୋଷ ଉପରେ ୪ ହଜାର ୫ ଶହ କୋଟିର ବୋଝ ସହିବେ । ହେଲେ ୧୪ ଦିନ ହେଲା ରାସ୍ତାରେ ଆନ୍ଦୋଳନ କରୁଥିବା ଶିକ୍ଷକଙ୍କ ପାଇଁ ଯେପରି ସରକାରଙ୍କ ପାଖରେ ୮ ଶହ କୋଟି ନାହିଁ । ବାରମ୍ବାର ବିଫଳ ହେଉଛି ଆଲୋଚନା । ଆନ୍ଦୋଳନରତ ଶିକ୍ଷକ ଓ ଅଧ୍ୟାପକଙ୍କ ସହ ଆଜି ଦ୍ୱିତୀୟ ଥର ପାଇଁ ଆଲୋଚନା କରିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ । ହେଲେ  ଆଜି ବି ସମାଧାନର ବାଟ ବାହାରିପାରିନି । ସରକାର ବ୍ଲକ୍ଗ୍ରାଂଟ୍ ଉଚ୍ଛେଦ କରିବାକୁ ରାଜି ଅଛନ୍ତି ହେଲେ ଅନ୍ୟ ଚାକିରି ସର୍ତାବଳୀ ମାନିବାକୁ ଅମଙ୍ଗ ହେଉଥିବା ଶିକ୍ଷକ ସଂଘ କହିଛି । ଫଳରେ ରାଜରାସ୍ତାରେ ପୂର୍ବଭଳି ଆନ୍ଦୋଳନ ଜାରି ରଖିବାକୁ ସଂଘ ନିଷ୍ପତି ନେଇଛି । ଆସନ୍ତାକାଲି ପୁଣି ସରକାରଙ୍କ ସହ ବୈଠକ ହେବା ସମ୍ଭାବନା ରହିଛି ।