ସପ୍ତମ ବେତନ କମିସନ ଭତ୍ତା ମଞ୍ଜୁର ! ଲାଭବାନ ହେବେ ୪୭ ଲକ୍ଷ କେନ୍ଦ୍ର କର୍ମଚାରୀ,ଜୁଲାଇ ୧ରୁ ହେବ ଲାଗୁ

36

ଦୀର୍ଘ ଦିନର ପ୍ରତୀକ୍ଷା ପରେ କେନ୍ଦ୍ର ସରକାର ସପ୍ତମ ବେତନ କମିସନ ଭତ୍ତା ଉପରେ ଦେଇଥିବା ସୁପାରିସକୁ ୩୪ଟି ସଂଶୋଧନ ସହିତ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହା ଦ୍ୱାରା ଦେଶର ୪୭ ଲକ୍ଷ କେନ୍ଦ୍ର କର୍ମଚାରୀ ଲାଭବାନ ହେବେ । ଏହି ନିଷ୍ପତ୍ତି ଜୁଲାଇ ୧ରୁ ଲାଗୁ କରାଯିବ । ଗତବର୍ଷ କମିସନଙ୍କ ବେତନ ଏବଂ ପେନସନ୍‌ ସୁପାରିସକୁ ସରକାର ମଞ୍ଜୁରି ପ୍ରଦାନ କରିଥିଲେ । ମାତ୍ର ଭତ୍ତା ଉପରେ କୌଣସି ନିଷ୍ପତ୍ତି ଗ୍ରହଣ କରିନଥିଲେ । ଆଜି ଭତ୍ତା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି ।

ଏଥିରେ ମହତ୍ୱପୂର୍ଣ୍ଣ ଘର ଭଡ଼ା ଭତ୍ତା (ଏଚ୍‌ଆର୍‌ଏ) ମଧ୍ୟ ସାମିଲ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟିରେ ଭତ୍ତା ପ୍ରସ୍ତାବକୁ ଆଜି ମଞ୍ଜୁରି ପ୍ରଦାନ କରାଯାଇଛି । ଏହା ଦ୍ୱାରା ସରକାରଙ୍କ ଉପରେ ୩୦, ୭୨୮ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ । ଭତ୍ତା ଉପରେ ସପ୍ତମ ବେତନ କମିସନ ଯେଉଁ ସୁପାରିସ୍‌ କରିଥିଲେ ତାହାର ଅନୁଧ୍ୟାନ କରିବା ପାଇଁ ବିତ୍ତସଚିବ ଅଶୋକ ଲାଭାସାଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିଲା ।

କମିଟି ଗତବର୍ଷ ଅକ୍ଟୋବରରେ ଏହାର ରିପୋର୍ଟ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ପ୍ରଦାନ କରିଥିଲା । ଏହା ପରେ ସଚିବମାନଙ୍କ କ୍ଷମତା ସମ୍ପନ୍ନ କମିଟି ଲାଭସା କମିଟିର ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ତାହାକୁ କ୍ୟାବିନେଟ୍‌ କମିଟିରେ ଉପସ୍ଥାପନ କରାଯାଇଥିଲା । ଗତବର୍ଷ ଜୁନରେ ସରକାର ବେତନ ଏବଂ ପେନସନକୁ ନେଇ ସପ୍ତମ ବେତନ କମିସନଙ୍କ ପ୍ରସ୍ତାବକୁ କାର୍ଯ୍ୟକାରୀ କରିଥିଲେ । ମାତ୍ର ଭତ୍ତା ଉପରେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନଥିଲା ।

କମିସନଙ୍କ ସୁପାରିସ ଅନୁସାରେ ମହଙ୍ଗା ଭତ୍ତା ୫୦% ଟପିଲେ ଘର ଭଡ଼ା ଭତ୍ତା (ଏଚ୍‌ଆରଏ) ଯଥାକ୍ରମେ ସହରର ବର୍ଗ ଅନୁଯାୟୀ ୨୭%, ୧୮% ଏବଂ ୮% ହେବ । କର୍ମଚାରୀ ସଂଘଗୁଡ଼ିକ ୩୦%, ୨୦% ଏ୧୦ ୧୦% ହାରରେ ଏଚଆରଏ ପ୍ରଦାନ କରିବାକୁ ଦାବି କରୁଥିଲେ । ଭତ୍ତା ପରିମାଣ ୫୪୦୦, ୩୬୦୦ ଏବଂ ୧୮୦୦ ଟଙ୍କାରୁ କମ୍‌ ହେବ ନାହିଁ ।  ଭତ୍ତା କେତେ ବଢ଼ିଲା ପେନସନ୍‌ ଭୋଗୀଙ୍କ ପାଇଁ ନିର୍ଦିଷ୍ଟ ମେଡିକାଲ୍‌ ଭତ୍ତା ୫୦୦ ଟଙ୍କାରୁ ବଢ଼ାଇ ୧୦୦୦ ଟଙ୍କା କରାଯାଇଛି ।

ନର୍ସିଂ ଷ୍ଟାଫଙ୍କ ପାଇଁ ଭତ୍ତା ପରିମାଣ ୪୮୦୦ ଟଙ୍କାରୁ ବଢ଼ାଇ ୭୨୦୦ ଟଙ୍କା କରାଯାଇଛି । ଓଟି ଭତ୍ତା ୩୬୦ ଟଙ୍କାରୁ ବୃଦ୍ଧି ପାଇ ୫୪୦ ଟଙ୍କା ହୋଇଛି । ହସ୍‌ପିଟାଲ୍‌ କେୟାର ଭତ୍ତା ୦୭୦-୨୧୦୦ ଟଙ୍କାରୁ ବଢ଼ାଇ ୪୧୦୦-୫୩୦୦ ଟଙ୍କା କରାଯାଇଛି । ସିଆଚେନ୍‌ରେ କାମ କରୁଥିବା ଯବାନମାନଙ୍କ ଭତ୍ତା ପରିମାଣ ୧୪ ହଜାର ଟଙ୍କାରୁ ବଢ଼ାଇ ୩୦ ହଜାର ଟଙ୍କା କରାଯାଇଛି । ଅଧିକାରୀମାନଙ୍କ ଭତ୍ତା ୨୧ ହଜାର ଟଙ୍କାରୁ ବଢ଼ାଇ ୪୨,୫୦୦ ଟଙ୍କା କରାଯାଇଛି ।