ପରିବର୍ଧିତ ଦରମା ହାର ନିୟମାବଳୀ ପ୍ରକାଶ ପାଇଲା : ୭ମ ବେତନ ପ୍ରଦାନ ପାଇଁ ପଥ ପରିଷ୍କାର

41

କନକ ବ୍ୟୁରୋ : ସପ୍ତମ ବେତନ କମିସନଙ୍କ ସୁପାରିସ କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଆଜି ପରିବର୍ଧିତ ଦରମା ହାର ନିୟମାବଳୀ, ୨୦୧୭ (ରିଭାଇଜଡ୍‌ ସ୍କେଲ୍‌ସ ଅଫ୍‌ ପେ ରୁଲ୍‌ସ ୨୦୧୭) ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଜାରି ହେବା ଯୋଗୁଁ ସରକାରୀ କର୍ମଚାରୀଙ୍କୁ ପରିବର୍ଧିତ ହାରରେ ବେତନ ପ୍ରଦାନ ପାଇଁ ପଥ ପରିଷ୍କାର ହୋଇଯାଇଛି। ଆସନ୍ତା ୨୬ ତାରିଖରେ ସେମାନେ ପରିବର୍ଧିତ ହାରରେ ବେତନ ପାଇବେ। ଆଜି ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ୩୧ ପୃଷ୍ଠା ବିଶିଷ୍ଟ ଏହି ବିଜ୍ଞପ୍ତିରେ ସମସ୍ତ ବିବରଣୀ ଉଲ୍ଲେଖ ହୋଇଛି। ଏହା ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହେବ।

୨୦୧୬ ଜାନୁଆରି ୧ ତାରିଖ କିମ୍ବା ତା’ ପରେ ନିଯୁକ୍ତି ପାଇଥିବା କର୍ମଚାରୀ ମଧ୍ୟ ଏହାର ସୁଫଳ ପାଇବେ। ୨୦୧୬ ଜାନୁଆରି ୧ ତାରିଖଠାରୁ ପଦୋନ୍ନତି ପାଇଁ ଉଦ୍ଦିଷ୍ଟ ଆରଏସିପିଏସ୍‌ ବନ୍ଦ ହେବ। ଏହା ବଦଳରେ ସେହି ତାରିଖଠାରୁ କାର୍ଯ୍ୟକାରୀ ହେବ ଏମ୍‌ଏସିପିଏସ୍‌। କର୍ମଚାରୀମାନଙ୍କ ବିଭିନ୍ନ ସ୍କେଲ୍‌ ଅନୁଯାୟୀ ବେତନ ହାର କେତେ ହେବ ସେ ନେଇ ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଯଦି ନିୟମାବଳୀର କୌଣସି ବ୍ୟବସ୍ଥା ନେଇ ଆପତ୍ତି, ଅସଂଗତିର ପ୍ରଶ୍ନ ଉଠେ, ସେ ନେଇ ଅର୍ଥ ବିଭାଗ ସ୍ପଷ୍ଟୀକରଣ ଦେବା ସହିତ ତଦ୍‌ଜନିତ ନିଷ୍ପତ୍ତି ମଧ୍ୟ ନେବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଯେ ୭ମ ବେତନ କମିସନଙ୍କ ସୁପାରିସ କାର୍ଯ୍ୟକାରୀ ନେଇ ରାଜ୍ୟ ସରକାରଙ୍କ ଘୋଷଣା ଫଳରେ ରାଜ୍ୟର ୪.୫ ଲକ୍ଷ ସରକାରୀ କର୍ମଚାରୀ ଏବଂ ପ୍ରାୟ ୩.୫ ଲକ୍ଷ ପେନ୍‌ସନଭୋଗୀ ଉପକୃତ ହେବେ। ଏହା ଲାଗୁ ହେଲେ ରାଜକୋଷ ଉପରେ ବାର୍ଷିକ ପ୍ରାୟ ୪୫୦୦ କୋଟି ଟଙ୍କାର ବୋଝ ସୃଷ୍ଟି ହେବ।