ମ୍ୟାନହୋଲରେ ଗୋଟିଏ ରାତି ! ଅସୁରକ୍ଷିତ ରାଜଧାନୀର ରାସ୍ତା, ୨୦ଫୁଟ ତଳକୁ ଖସିପଡିଲେ ୭୫ ବର୍ଷିୟା ବୃଦ୍ଧା

33

କନକ ବ୍ୟୁରୋ : ସ୍ମାର୍ଟସିଟିର ସ୍ମାର୍ଟ ରାସ୍ତା । ରାସ୍ତା ମଝିରେ ବଡ ବଡ ଗାତ । ଥରେ ଗାତ ଭିତରେ ପଡିଲେ ଉଠିବା ଅସମ୍ଭବ । ସ୍ମାର୍ଟସିଟି ଭୁବନେଶ୍ୱରର ରାସ୍ତାର ଅବସ୍ଥା ଏମିତି । ରାସ୍ତା ମଝିରେ ବଡ ବଡ ମ୍ୟାନହୋଲ ପାଇଁ ଲୋକେ ଅନେକ ସମୟରେ ହଇରାଣ ହେଉଥିବାର କଥା ସାମ୍ନାକୁ ଆସିଛି । ଆଉ ଗତକାଲି ପୁଣିଥରେ ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି । ଏଥର ମ୍ୟାନହୋଲରେ ପଡି ଯାଇଛନ୍ତି ୭୫ ବର୍ଷିୟା ବୃଦ୍ଧା । ମ୍ୟାନହୋଲରେ ପଡି ସାରା ରାତି ଛଟପଟ ହେଲେ ବୃଦ୍ଧା । ଘଟଣାଟି ଘଟିଛି ପୁରୁଣା ଭୁବନେଶ୍ୱରର ବିଏମସି ହସପିଟାଲ ପଛପଟ ଅଞ୍ଚଳରେ ।

ଗତକାଲି ରାତି ୮ଟା ବେଳେ ରାସ୍ତାରେ ଯାଉଥିବା ସମୟରେ ୨୦ଫୁଟର ମ୍ୟାନହୋଲରେ ଖସି ପଡିଥିଲେ ୭୫ବର୍ଷୀୟ ଦୁଃଖୀ ସେଠୀ । ଠିକରେ ଚାଲି ପାରୁନଥିବା ବୃଦ୍ଧା ଜଣକ ମ୍ୟାନହୋଲରେ ଖସି ପଡିବା ପରେ ଉଠିବା ତାଙ୍କ ପକ୍ଷେ ସମ୍ଭବପର ହୋଇ ପାରିନଥିଲା । ସାରା ରାତି ସହାୟତା ପାଇଁ ଚିକ୍ରାର କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିନଥିଲେ । ପୂରା ରାତି କଟିଥିଲା ମ୍ୟାନହୋଲ ଭିତରେ ।

ଆଜି ସକାଳୁ ସ୍ଥାନୀୟ ଲୋକେ ତାଙ୍କ ଚିକ୍ରାର ଶୁଣିବା ପରେ ପୁଲିସକୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଛି । ଏହି ଘଟଣା ପରେ ରାସ୍ତା ମଝିରେ ଥିବା ମ୍ୟାନହୋଲକୁ ଯଥାଶୀଘ୍ର ବନ୍ଦ କରିବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ଭୁବନେଶ୍ୱର ୧ ନମ୍ବର ସ୍ମାର୍ଟସିଟିର ମାନ୍ୟତା ପାଇଛି ସତ କିନ୍ତୁ ରାଜଧାନୀ ରାସ୍ତାର ବାସ୍ତବ ଚିତ୍ର ଏ ଯାଏଁ ମଧ୍ୟ ବଦଳିନାହିଁ । ଯାହା ସରକାରଙ୍କ ଉଦାସୀନତାକୁ ଦର୍ଶାଉଛି ।