ହିରୋସୀମା ଦିବସ : ଜାଣନ୍ତୁ ହିରୋସୀମା ବିଧ୍ୱଂସର ପ୍ରମୁଖ କାରଣ ‘ଲିଟିଲ ବୟ’ ବିଷୟରେ, ଯାହା ନେଇଥିଲା ଜାପାନର ହଜାର ହଜାର ଜୀବନ

70

ଅଗଷ୍ଟ ୬, ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜଣେ ଆମେରିକୀୟ ବି-୨୯ ବୋମା ବର୍ଷଣକାରୀ ଜାପାନର ହିରୋସୀମା ସହରରେ ଦୁନିଆର ପ୍ରଥମ ପରମାଣୁ ବୋମା ପକାଇଥିଲା । ହିରୋସୀମା ବୋମା ଆକ୍ରମଣକୁ ଆଜି ପୁରିଛି ୭୩ ବର୍ଷ । ଆକ୍ରମଣ ଏତେ ଭୀଷଣ ଥିଲା ଯେ, ତୁରନ୍ତ ସହରର ୯୦ ପ୍ରତିଶତ ଭାଗ ଧ୍ୱଂସ ହୋଇଗଲା ଓ ପାଖାପାଖି ୮୦ ହଜାର ଲୋକ ମୃତ୍ୟୁବରଣ କଲେ । ଏହାର ଅନେକ ବର୍ଷ ପରେ ବି ରେଡିଏସନ୍ କାରଣରୁ ହଜାର ହଜାର ଲୋକ ପ୍ରାଣତ୍ୟାଗ କଲେ ।

ବୋମା ଆକ୍ରମଣର ୫ ବର୍ଷ ପରେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ପର୍ଯ୍ୟନ୍ତ ପହଂଚିଯାଇଥିଲା । ଏମାନଙ୍କ ମଧ୍ୟରୁ କେତେକ କ୍ୟାନସର ଓ ଅନ୍ୟ ରୋଗ କାରଣରୁ ଜୀବନ ହାରିଥିଲେ ।

ଜାପାନର ହିରୋସୀମାରେ ଯେଉଁ ବୋମା ଆକ୍ରମଣ କରାଯାଇଥିଲା ତାହାର ନାଁ ‘ଲିଟିଲ ବୟ’ ଥିଲା । କିନ୍ତୁ ଏହାର ପରିଣାମ ନାମର ବିପରୀତ ହୋଇଥିଲା । ବହୁତ ବଡ ବିନାଶ ସୃଷ୍ଟି କରିଥିଲା । ଲିଟିଲ ବୟର ଓଜନ ପାଖାପାଖି ୫ ହଜାର କିଲୋଗ୍ରାମ ଥିଲା । ଯେତେବେଳେ ଏହି ବୋମା ହିରୋସୀମାରେ ନିକ୍ଷେପ କରାଯାଇଥିଲା, ତାହା ସବୁଠାରୁ ଅଧିକ ପ୍ରଳୟ ସୃଷ୍ଟିକାରୀ ବୋମା ଥିଲା ।

ଏହି ବୋମା ସହରରୁ ପାଖାପାଖି ୧୯୦୦ ଫୁଟ୍ ଅର୍ଥାତ୍ ୫୮୦ ମିଟର ଉପରେ ଫାଟିଥିଲା । ଏହି ବୋମା ଫାଟିବା ପରେ ପାଖାପାଖି ୧୫ ହଜାର ଟନ୍ ଉର୍ଜ୍ଜା ବାହାରିଥିଲା । ଏହା ୩ ମିଟର ଲମ୍ବା ଥିଲା ଓ ଏହାର ବ୍ୟାସ ୦.୭ ମିଟର ଅର୍ଥାତ୍ ପାଖାପାଖି ୨୮ ଇଂଚ ଥିଲା । ଏହି ବୋମାରେ ୟୁରାନିୟମ ୨୩୫ର ବ୍ୟବହାର କରାଯାଇଥିଲା । ଯେଉଁ ସମୟରେ ଏହି ବୋମା ଆକ୍ରମଣ ହୋଇଥିଲା ହିରୋସୀମାର ଜନସଂଖ୍ୟା ୩ ଲକ୍ଷ ୫୦ ହଜାର ଥିଲା । ଆମେରିକା ହିରୋସୀମାକୁ ଲକ୍ଷ୍ୟ ସାଧନ କରିବାର କାରଣ ଥିଲା ସୈନ୍ୟ କେନ୍ଦ୍ର । ୧୯୪୫ ମସିହାର ଗରମ ଦିନରେ ହିରୋସୀମାରେ ପାଖାପାଖି ୪୦ ହଜାର ସୈନିକ ମୁତୟନ ଥିଲେ ।