ଆଜି ଦେଶ ପାଳୁଛି ୭୨ ତମ ସ୍ୱାଧୀନତା ଦିବସ ! ଦେଶବ୍ୟାପୀ ଉତ୍ସବର ମାହୋଲ, ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଉଛନ୍ତି ଦେଶବାସୀ ।

53

ଆଜି ଦେଶ ପାଳୁଛି ୭୨ ତମ ସ୍ୱାଧୀନତା ଦିବସ । ଆଉ କିଛି ସମୟ ପରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ସେ ଦିଲ୍ଲୀର ଅମର ଯବାନ ଜ୍ୟୋତି ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ପରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିବେ । ସେହିଭଳି ଭୁବନେଶ୍ୱରର ମହାତ୍ମାଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ପରେଡ଼ କାର୍ୟ୍ୟକ୍ରମ ହେବ । ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବେ ।

ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ତାଙ୍କ ବକ୍ତବ୍ୟରେ ଦେଶ ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀଙ୍କ ମନେ ପକାଇବା ସହ ତାଙ୍କ ଆଦର୍ଶରେ ଜୀବନକୁ ଗଢିବାକୁ ଆହ୍ୱାନ ଦେଇଛନ୍ତି । ଦେଶରେ ଏବେ ହିଂସାର ମାତ୍ରା ବଢିଚାଲିଥିବା ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ହିଂସାର ଶକ୍ତି ଅପେକ୍ଷା ଅହିଂସାର ଶକ୍ତି ଢେର ଅଧିକ । ଏଣୁ ଆମେ ଜାତିର ପିତା ମହାତ୍ମାଗାନ୍ଧିଙ୍କ ପ୍ରଦର୍ଶିତ ଅହିଂସା ପଥରେ ଚାଲିବା ଉଚିତ ।

ଏହା ଛଡା ସେ ନାରୀ ସ୍ୱାଧୀନତା ଓ ନିରାପତ୍ତା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିଛନ୍ତି । ସେ କହିଛନ୍ତି ଯେ ଦେଶ ଏବେ ଖୋଲା ମଳତ୍ୟାଗମୁକ୍ତ, ସମସ୍ତଙ୍କ ପାଇଁ ଘର, ସବୁ ଗାଁକୁ ବିଜୁଳି ଆଦି ସଫଳତା ହାସଲ କରିବାକୁ ଯାଉଛି । ସେ କହିଛନ୍ତି ଦେଶର ଯେଉଁସବୁ ନାଗରିକ ନିଜ ନିଜର କର୍ତ୍ତବ୍ୟ ସୁଚାରୁରୂପେ ସମ୍ପନ୍ନ କରୁଛନ୍ତି ସେମାନେ ଦେଶ ଗଠନ ପାଇଁ ଯୋଗଦାନ ଦେଉଛନ୍ତି ।

ସେହିପରି ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଜେଇ ହୋଇଛି ସାରା ସହର । ବିଶେଷକରି ସଚିବାଳୟ, ବିଧାନସଭା, ରିଜର୍ଭବ୍ୟାଙ୍କ, ଏସବିଆଇର ମୁଖ୍ୟକାର୍ୟ୍ୟାଳୟ ସମେତ ବହୁ ଅନୁଷ୍ଠାନ ମାଳମାଳ ରଙ୍ଗବେରଙ୍ଗ ଲାଇଟରେ ଶୋଭା ପାଇଛି । ଏଭଳି ସାଜସଜାକୁ ଦେଖିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ପାଇଥିଲା ।