ପୁଅ ପାଇଁ ଦେବଦୂତ ସାଜିଲେ ୭୨ ବର୍ଷୀୟା ମା’ : କିଡନୀ ଦେଇ ବଂଚାଇଲେ ପୁଅର ଜୀବନ

କିଡନି ଦେଇ ପୁଅର ଜୀବନ ବଞ୍ଚାଇଲେ ୭୨ ବର୍ଷୀୟା

89

ପ୍ରତ୍ୟେକ ପିତାମାତା ନିଜ ସନ୍ତାନଙ୍କ ସୁରକ୍ଷା କଥା ସବୁବେଳେ ଚିନ୍ତା କରିଥାନ୍ତି। ସେମାନେ କିଭଳି ଭଲରେ ରହିବେ ସେଇ କଥା ହିଁ ଭାବିଥାନ୍ତି। ଆଉ ଯଦି ସନ୍ତାନଙ୍କ ଉପରେ କୌଣସି ଦୁଃଖ ମାଡ଼ିପଡ଼େ, ପିତାମାତାଙ୍କୁ ସବୁଠୁ ଅଧିକ ବାଧିଥାଏ। କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲା ନିବାସୀ ୭୨ ବର୍ଷୀୟା ଭଦ୍ରକଲମ୍ମାଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟିଥିଲା। ନିଜ ୪୨ ବର୍ଷୀୟ ପୁଅର ଦୁଇଟିଯାକ କିଡନି ଅଚଳ ହୋଇଯିବା ପରେ ତାଙ୍କ ମୁଣ୍ଡରେ ଆକାଶ ଛିଣ୍ଡିପଡ଼ିଥିଲା। ଯଥାଶୀଘ୍ର ସତ୍ୟନାରାୟଣଚାରୀଙ୍କ କିଡନି ପ୍ରତିରୋପଣ ହେବା ଆବଶ୍ୟକ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ପତ୍ନୀଙ୍କ ବ୍ଲଡ ଗ୍ରୁପ୍ ନମିଶିବାରୁ ତାଙ୍କ କିଡନି ଲାଗିପାରିନଥିଲା। ଶେଷରେ ପୁଅ ଜୀବନ ବଞ୍ଚାଇବାକୁ ଭଦ୍ରକଲମ୍ମା ନିଜ କିଡନି ଦେବାକୁ ପ୍ରସ୍ତୁତ ହୋଇଥିଲେ।

 

ବାର୍ଦ୍ଧକ୍ୟ ସତ୍ୱେ ନିଜ ଜୀବନ ସମ୍ପର୍କରେ ଚିନ୍ତା ନକରି ପୁଅ ପାଇଁ ଚରମ ସିଦ୍ଧାନ୍ତ ନେଇଥିଲେ। ଏମିତି କି ଡାକ୍ତରଙ୍କୁ ବାରମ୍ବାର ଅନୁରୋଧ କରି ତାଙ୍କୁ ରାଜି କରାଇଥିଲେ। ତାଙ୍କ ଅନୁରୋଧକ୍ରମେ କିଡନି ପ୍ରତିରୋପଣ ସଫଳ ହୋଇଥିଲା ଏବଂ ପୁଅ ନୂଆ ଜୀବନ ପାଇଥିଲେ। ସାଧାରଣତଃ ୬୫ ବର୍ଷ ଅତିକ୍ରମ କରିଥିବା ଲୋକଙ୍କୁ କିଡନି ଡୋନର୍ ଭାବେ ବିବେଚନା କରାଯାଇନଥାଏ। ଏଭଳି ସ୍ଥଳେ ଭଦ୍ରକଲମ୍ମାଙ୍କ କିଡନି କିଭଳି ବ୍ୟବହାର ହେବ ତାହାକୁ ନେଇ ଡାକ୍ତର ଚିନ୍ତାରେ ଥିଲେ। ଶେଷରେ ଅନନ୍ୟୋପାୟ ହୋଇ ତାଙ୍କର ଗୋଟିଏ କିଡନି କଢ଼ାଯାଇଥିଲା। ଦୁଇଟିଯାକ କିଡନି ସୁସ୍ଥ ଏବଂ ଭଲ ଭାବେ କାର୍ଯ୍ୟ କରୁଥିବାରୁ ଡାକ୍ତର ଶେଷରେ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ। ନିଜ ଜୀବନକୁ ଖାତିର ନକରି ଭଦ୍ରକଲମ୍ମା ପୁଅ ସତ୍ୟନାରାୟଣଚାରୀଙ୍କ ଜୀବନ ବଞ୍ଚାଇଛନ୍ତି। ଘଟଣାଟି କର୍ଣ୍ଣାଟକରେ ବେଶ୍ ଚର୍ଚ୍ଚିତ ହୋଇଛି। ଭଦ୍ରକଲମ୍ମା ନିଜ ପୁଅକୁ ଆଉଥରେ ଜନ୍ମ ଦେଲେ ବୋଲି ଅନେକ ମତ ଦେଇଛନ୍ତି।