କଳା ଟଙ୍କାକୁ ନେଇ ସାମ୍ନାକୁ ଆସିଲା ଚମକାଇଲା ଭଳି ସତ ! ସ୍ୱିସ୍ ବ୍ୟାଙ୍କରେ ରହିଛି ଭାରତୀୟଙ୍କ ୭ ହଜାର କୋଟି ଟଙ୍କା, ୨୦୧୭ରେ ଜମା ହୋଇଛି ୫୦ ପ୍ରତିଶତ ଅଧିକ କଳାଟଙ୍କା

21

କଳା ଟଙ୍କା କାରବାର କମିଥିବା କହୁଥିବା ମୋଦି ସରକାରଙ୍କୁ ଝଟକା । ସ୍ୱିସ୍ ନ୍ୟାସନାଲ ବ୍ୟାଙ୍କ ଦେଇଥିବା ତଥ୍ୟ ଏଭଳି ଏକ ଧାରଣା ସୃଷ୍ଟି କରିଛି । ସ୍ୱିସ୍ ବ୍ୟାଙ୍କ ଜାରି କରିଥିବା ତଥ୍ୟ ଅନୁସାରେ ତାଙ୍କ ବ୍ୟାଙ୍କରେ ଭାରତୀୟଙ୍କ ଜମା ଅର୍ଥ ୫୦ ପ୍ରତିଶତ ବଢିଛି । ଏହା ଏବେ ୭ହଜାର କୋଟି ଟଙ୍କାରେ ପହଂଚିଛି ବୋଲି ଏସଏନବି ସୂଚନା ଦେଇଛି । ବ୍ୟାଙ୍କରେ ଭାରତୀୟ ଜମାକାରୀ ସିଧାସଳଖ ୬ ହଜାର ୯ ଶହ କୋଟି ଟଙ୍କା ଜମା କରିଛନ୍ତି । ଅନ୍ୟମାନଙ୍କ ମାଧ୍ୟମରେ ପ୍ରାୟ ୧୧୦ କୋଟି ଟଙ୍କା ଜମା ହୋଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

ହିସାବ ଅନୁସାରେ ସ୍ୱିଜରଲାଣ୍ଡର ଏହି ବ୍ୟାଙ୍କରେ ମୋଟ ୧୦୦ ଲକ୍ଷ କୋଟି ଟଙ୍କା ବିଦେଶୀ ଅର୍ଥ ଜମା ହୋଇ ରହିଛି । କଳାଧନ ବିରୋଧରେ ସାରାଦେଶରେ ଅଭିଯାନ ଚାଲିଥିବା ବେଳେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ଅର୍ଥ ବଢିବା ଚିନ୍ତା ବଢାଇଛି । ୨୦୧୬ରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶି ୪୫ ପ୍ରତିଶତ ହ୍ରାସ ପାଇଥିଲା । କଳାଧନ ବିରୋଧରେ କଡ଼ା ପଦକ୍ଷେପ ନିଆଯିବା ସତ୍ତେ୍ୱ ମଧ୍ୟ ଭାରତୀୟ ମାନେ ନିର୍ଭୟରେ ସ୍ୱିସ ବ୍ୟାଙ୍କରେ ଟଙ୍କା ରଖୁଛନ୍ତି । ସ୍ୱିଜରଲାଣ୍ଡରେ ଅର୍ଥ ରଖିଥିବା ବିଭିନ୍ନ ବିଦେଶୀ ବ୍ୟକ୍ତିଙ୍କ ଜମା ପରିମାଣ ହାରାହାରି ୩ ପ୍ରତିଶତ ବଢିଥିବାବେଳେ ଭାରତୀୟଙ୍କ ଜମା ଅର୍ଥ ଏତେ ପରିମାଣରେ ବଢିବା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି ।