ବିଭାଜନର ୭୦ ବର୍ଷ ! ଜିନ୍ନାଙ୍କ ସେ ବଙ୍ଗଳା ଯାହା ଭାରତ ପାଇଁ ପାଲଟିଛି ‘ଶତ୍ରୁ ସମ୍ପତି’

49

ଆଉ କିଛି ଦିନ ପରେ ଭାରତ ପାକିସ୍ତାନ ବିଭାଜନକୁ ପୁରିବ ୭୦ ବର୍ଷ । ସମସ୍ତେ ଜାଣନ୍ତି ଏହି ବିଭାଜନରେ ସବୁଠାରୁ ବଡ ଏବଂ ମହତ୍ୱପୂର୍ଣ୍ଣ ଭୂମିକା ଥିଲା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କର । ଯାହାଙ୍କୁ ପାକିସ୍ତାନର କୁହାଯାଏ କାୟଦେ ଆଜମ୍ । ଆଉ ସାଧାରଣ ନାଗରିକ ତାଙ୍କୁ ବାବା – ଏ କୋମ୍ କହି ସମ୍ମାନର ସହ ମନେ ପକାନ୍ତି । କିନ୍ତୁ ହିନ୍ଦୁସ୍ତାନରେ ଜିନ୍ନାଙ୍କୁ ଘୃଣା ନଜରରେ ଦେଖନ୍ତି ଦେଶବାସୀ । ଜଣେ ଦେଶଦ୍ରୋହି ଭାବରେ ଭାରତରେ ପରିଚିତ ଜିନ୍ନା । କାରଣ ଦେଶ ବିଭାଜନରେ ଜିନ୍ନା ବଡ଼ ଭୂମିକା ଗ୍ରହଣ କରିଥିଲେ । ଦେଶ ବିଭାଜନ ଉଭୟ ପାକିସ୍ତାନ ଏବଂ ହିନ୍ଦୁସ୍ତାନ ପାଇଁ କୌଣସି ଦୁର୍ଦ୍ଦଶାଠାରୁ କମ୍ ନୁହେଁ । ଏହି ସମୟରେ ହୋଇଥିବା ହିଂସାରେ ଲକ୍ଷାଧିକ ଲୋକ ମୃତ୍ୟୁବରଣ କରିବା ସହ କୋଟି କୋଟି ଲୋକ ବାସହୀନ ହୋଇଯାଇଥିଲେ ।

ତେବେ ଦେଶ ବିଭାଜନର ସେ ଘା’ ଏପର୍ଯ୍ୟନ୍ତ ବି ତାଜା ରହିଛି । ୧୯୪୭ରେ ହୋଇଥିବା ଏହି ବିଭାଜନ ପରେ ମହମ୍ମଦ ଅଲ୍ଲୀ ଜିନ୍ନା ନିଜ ତିଆରି କରିଥିବା ଦେଶ ଅର୍ଥାତ୍ ପାକିସ୍ତାନ ଚାଲିଯାଇଥିଲେ । ଆଉ ସେଠାରେ ପ୍ରଥମ ଗଭର୍ଣ୍ଣର୍ ଜେନେରାଲ୍ ହୋଇଥିଲେ । କିନ୍ତୁ ଜିନ୍ନାଙ୍କର ଗୋଟିଏ ଖାସ୍ ତଥା ଗରୁତ୍ୱପୂର୍ଣର୍ ଜିନିଷ ହିନ୍ଦୁସ୍ତାନରେ ରହିଯାଇଥିଲା । ତାହା ହେଉଛି ମୁମ୍ବାଇରେ ଥିବା ତାଙ୍କ ବଙ୍ଗଳା ।

buildingକୁହାଯାଏ କେବଳ କଶ୍ମୀର ନୁହେଁ, ହିନ୍ଦୁସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ବିବାଦର ଆଉ ଏକ କାରଣ ହେଉଛି ଏହି ବଙ୍ଗଳା । ଯାହା ଗତ ୭୦ବର୍ଷ ଧରି ଚାଲିଛି । ପଡୋଶୀ ପାକିସ୍ତାନ ଏହି ବଙ୍ଗଳାରେ ନିଜର ଅଧିକାର ସାବ୍ୟସ୍ତ କରିବା ସହ ଏହାକୁ ଏକ ତୀର୍ଥ ସ୍ଥାନ ବୋଲି ଭାବନ୍ତି । ଏହି ବଙ୍ଗଳାରେ ଥିବା ସମୟରେ ହିଁ ଜିନ୍ନା ପାକିସ୍ତାନର ମୂଳଦୂଆ ପକାଇଥିଲେ । ଏହିଠାରେ ହିଁ ଥିବା ସମୟରେ ପାକିସ୍ତାନ ପାଇଁ ଲଢିଥିଲେ । ସେଥିପାଇଁ ଏହାକୁ ନିଜର ସଂପତ୍ତି ବୋଲି ଦାବି କରେ ପାକିସ୍ତାନ ।

କିନ୍ତୁ ମୁମ୍ବାଇରେ ମହମ୍ମଦ ଅଲ୍ଲୀଙ୍କର ଏହି ବଙ୍ଗଳାକୁ ଭାରତବାସୀ ଘୃଣା କରନ୍ତି । କାରଣ ଏହିଠାରେ ହିଁ ଜିନ୍ନା ଦେଶ ବିରୋଧରେ ଷଡଯନ୍ତ୍ର କରିଥିଲେ । ତେଣୁ ଦେଶରେ ଜିନ୍ନାଙ୍କର ଏହି ବଙ୍ଗଳାକୁ ‘ଶତ୍ରୁ ସମ୍ପତି’ ଭାବରେ ଘୋଷଣା କରିଛି । ତେବେ ବର୍ତ୍ତମାନ ଏହି ବଙ୍ଗଳା ଖାଲି ପଡିଛି ଏବଂ ଭାରତ ସରକାରର ଏହା ଉପରେ କବଜା ରହିଛି ।

ଅନ୍ୟପଟେ ସ୍ଥାନୀୟ ରାଜନେତା ଯିଏ ରିୟଲ୍ ଇଷ୍ଟେଟ୍ ବ୍ୟବସାୟ ମଧ୍ୟ କରନ୍ତି ସେ ଏହି ବଙ୍ଗଳାକୁ ଭାଙ୍ଗିବା ପାଇଁ ଚାହଁନ୍ତି । କାରଣ ତାଙ୍କ କହିବା ଅନୁଯାୟୀ, ଏହି ବଙ୍ଗଳା ଦେଶ ବିଭାଜନ ସମୟର କଷ୍ଟକୁ ମନେ ପକାଉଛି । ତେଣୁ ଏହି ବଙ୍ଗଳାକୁ ଭାଙ୍ଗି ଏକ ସାଂସ୍କୃତିକ କେନ୍ଦ୍ର ତିଆରି କରିବା ଉଚିତ୍ ।

ଜିନ୍ନାଙ୍କର ଏହି ବଙ୍ଗଳା ନାଁ ହେଉଛି ସାଉଥ୍ କୋର୍ଟ । ଦକ୍ଷିଣ ମୁମ୍ବାଇରେ ଅବସ୍ଥିତ ଏହି ବଙ୍ଗଳା ତିଆରି କରିବାକୁ ସେ ସମୟରେ ଜିନ୍ନା ୨ଲକ୍ଷ ଖର୍ଚ୍ଚ କରିଥିଲେ । ଏହାର ଡିଜାଇନ୍ ଖ୍ୟାତାନାମା ଆର୍କିଟେକ୍ଟ କ୍ଲାଉଡ୍ ବେଟଲ କରିଥିଲେ । ଏଥିରେ ଲାଗିଛି ଇଟାଲିୟନ୍ ମାର୍ବଲ୍ । ଏହି ବଙ୍ଗଳାକୁ ତିଆରି କରିବା ପାଇଁ ଇଟାଲୀରୁ ଖାସ୍ କାରିଗରଙ୍କୁ ଡକାଯାଇଥିଲା । କହିବାକୁ ଗଲେ ଜିନ୍ନା ପାଇଁ ଏହା ଥିଲା ସ୍ୱପ୍ନର ଘର । ଜିନ୍ନା ଭାବିଥିଲେ ଭାରତ ପାକିସ୍ତାନ ବିଭାଜନ ପରେ ଉଭୟ ଦେଶ ଭିତରେ ଭଲ ସଂପର୍କ ରହିବ । ଆଉ ସେ ଯେତେବେଳେ ଚାହିଁବେ ସେତେବେଳେ ଆସି ଏଠାରେ ରହି ପାରିବେ ।

କିନ୍ତ ଦୁଇ ଦେଶକୁ ଅଲଗା କରିବା ପରେ ପରେ ମନ ଭିତରେ ମଧ୍ୟ ପରସ୍ପର ପ୍ରତି ତିକ୍ତତା ଆସିଯାଇଥିଲା । ତେଣୁ ଜିନ୍ନାଙ୍କ ଏହି ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ତେବେ ଏହି ବଙ୍ଗଳାରେ କୌଣସି ୟୁରେପୀୟଙ୍କୁ ଭଡାରେ ରଖିବା ପାଇଁ ନେହରୁଙ୍କୁ ଅନୁରୋଧ କରିଥିଲେ ଜିନ୍ନା । ଆଉ ନେହରୁ ମଧ୍ୟ ଏଥିରେ ରାଜି ହୋଇଯାଇଥିଲେ । ତେବେ ଜିନ୍ନାଙ୍କର ଏହି ଇଚ୍ଛା ପୂରଣ ହେବା ପୂର୍ବରୁ ସେ ମୃତ୍ୟୁବରଣ କରିଥିଲେ ।

ସେବେଠାରୁ ଜିନ୍ନାଙ୍କ ଏହି ସ୍ୱପ୍ନର ଘରକୁ ନେଇ ଆଜି ପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ ବିବାଦ ଲାଗି ରହିଛି । ଜିନ୍ନାଙ୍କ ଝିଅ ଦୀନା ୱାଡିଆ ମଧ୍ୟ ଏହି ଘରେ ନିଜ ଅଧିକାର ଦେଖାଇଥିଲେ । କିନ୍ତୁ ବର୍ତ୍ତମାନ ଏହି ଘର ଭାରତ ସରକାରଙ୍କ କବଜାରେ ଅଛି । ମୁମ୍ବାଇରେ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାର ଠିକ୍ ସାମ୍ନାରେ ଅଛି ଏହି ଶତ୍ରୁ ସମ୍ପତି । ଯାହା ଭାରତ ଓ ପାକିସ୍ତାନ ବିଭାଜନର ଅଧୁରା ବିରାସତ ମଧ୍ୟରୁ ଗୋଟିଏ ।