୭୦ ବର୍ଷର ୭୦ ସ୍ମରଣୀୟ ଦିବସ ! ଯାହା ବନିଯାଇଛି ସ୍ୱାଧୀନ ଭାରତର ଇତିହାସ

236

କନକ ବ୍ୟୁରୋ : ଭାରତ ସ୍ୱାଧୀନତା ପାଇବାର ୭୦ ବର୍ଷ ପୁରା ହେଉଛି । ଏହି ସମୟ ଭିତରେ ଦେଶ ଅନେକ ଉତ୍ଥାନ ପତନର ସାମ୍ନା କରିଛି । କେବେ ଯୁଦ୍ଧରେ ନିଜର ପରାକ୍ରମ ଦେଖାଇଛି ତ ପୁଣି କେବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ରର ପରୀକ୍ଷଣ କରି ଚକିତ କରିଛି ସାରା ବିଶ୍ୱକୁ । ରାଜନୀତି, ଅର୍ଥନୀତି କ୍ଷେତ୍ରରେ ଦେଶ ଆଗକୁ ଯାଇଛି । ଆଜି ସାରା ବିଶ୍ୱରେ ଅନ୍ୟ ଦେଶମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଠିଆହୋଇପାରୁଛି ଆମ ଦେଶ । ତେବେ ଆସନ୍ତୁ ନଜର ପକାଇବା ସ୍ୱାଧୀନତାର ୭୦ ବର୍ଷର କିଛି ଅଭୂଲା ଦିନ ଉପରେ ଯାହା ଆଜି ବି ସ୍ମରଣୀୟ ହୋଇ ରହିଛି ପ୍ରତି ଭାରତୀୟଙ୍କ ହୃଦୟରେ…

୧୫ ଅଗଷ୍ଟ ୧୯୪୭ – ଏହି ସ୍ମରଣୀୟ ଦିନଟିକୁ ସାରା ଦେଶ ସ୍ୱାଧୀନତା ଦିବସ ଭାବେ ପାଳନ କରିଥାଏ । ୧୪ ଅଗଷ୍ଟ ମଧ୍ୟରାତ୍ରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ ଦେଶବାସୀଙ୍କୁ ସମ୍ବୋଧିତ କରି ଇଂରେଜମାନଙ୍କ କବଳରୁ ଭାରତ ମୁକ୍ତ ହୋଇଥିବା ଘୋଷଣା କରିଥିଲେ । ସେହିଦିନ ଠାରୁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହିଦିନଟି ଏକ ମହତ୍ୱପୂର୍ଣ୍ଣ ଦିନ ।

୧୩ ସେପ୍ଟେମ୍ବର ୧୯୪୭ – ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁ ବିଭାଜନ ଦୃଷ୍ଟିରୁ ୪ ମିଲିୟନ ହିନ୍ଦୁ-ମୁସଲମାନଙ୍କୁ ପଳାୟନ ପାଇଁ ପରାମର୍ଶ ଦେଇଥିଲେ ।

୩୦ ଜାନୁଆରୀ ୧୯୪୮– ସାରାଦେଶ ପାଇଁ ଏହି ଦିନ ଏକ ଦୁଃଖଦ ଦିନ । ଦିଲ୍ଲୀ ସ୍ଥିତ ବିରଲା ହାଉସରେ ଥିବା ବେଳେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ଗଡସେ ଗୁଳିମାରି ହତ୍ୟା କରିଥିଲା ଏବଂ ବାପୁ ଏ ଦୁନିଆରୁ ବିଦାୟ ନେଇଥିଲେ ।

୧୫ ନଭେମ୍ବର ୧୯୪୯– ବାପୁଙ୍କୁ ହତ୍ୟା ଅଭିଯୋଗରେ ନାଥୁରାମ ଗଡସେ ଏବଂ ତାଙ୍କ ସହ ଷଡଯନ୍ତ୍ର ରଚିଥିବା ନାରାୟମ ଆପଟେଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା ।

୨୪ ନଭେମ୍ବର ୧୯୪୯– ଏହିଦିନ ସମ୍ବିଧାନ ସଭାର ଶେଷ ବୈଠକ ହୋଇଥିଲା । ସମ୍ବିଧାନରେ ୨୮୪ ସଦସ୍ୟ ଦସ୍ତଖତ କରିଥିଲେ । ପଣ୍ଡିତ ନେହେରୁ ସର୍ବପ୍ରଥମେ ଦସ୍ତଖତ କରିଥିଲେ ।

୨୬ ନଭେମ୍ବର ୧୯୪୯– ଭାରତୀୟ ଗଣତନ୍ତ୍ରରେ ସମ୍ବିଧାନ ସ୍ୱୀକାର କରାଯାଇଥିଲା ଏହିଦିନ । ଏହିଦିନ ଠାରୁ ଭାରତୀୟ ସମ୍ବିଧାନର କିଛି ଅନୁଛେଦକୁ ମଧ୍ୟ ଲାଗୁ କରାଯାଇଥିଲା ।

୨୬ ଜାନୁଆରୀ ୧୯୫୦– ଏହିଦିନ ଭାରତୀୟ ସମ୍ବିଧାନ ପୂର୍ଣ୍ଣାଙ୍ଗ ରୂପ ନେଇଥିଲା । ଏହି ଦିନକୁ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ ।

୨୧ ଅକ୍ଟୋବର ୧୯୫୧– ଡାଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଭାରତୀୟ ଜନସଂଘ ନାମରେ ଏକ ନୂଆ ରାଜନୈତିକ ଦଳ ଗଠନ କରିଥିଲେ ।

୪ ମାର୍ଚ୍ଚ ୧୯୫୧– ନୂଆ ଦିଲ୍ଲୀରେ ଏସିଆନ କ୍ରୀଡାର ଆୟୋଜନ କରାଯାଇଥିଲା । ୧୧ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳା ଯାଇଥିବା ଏହି କ୍ରୀଡାକୁ ପ୍ରଥମ ଏସିଆଡ କ୍ରୀଡା ଭାବେ ମାନ୍ୟତା ମିଳିଥିଲା ।

୧ ଅପ୍ରେଲ ୧୯୫୧– ଭାରତକୁ ବିକାଶ ଦିଗରେ ଅଗ୍ରସର କାରିବା ପାଇଁ ପଞ୍ଚବାର୍ଷିକୀ ଯୋଜନାର ଶୁଭାରମ୍ଭ ହୋଇଥିଲା । ଏହିଦିନ ହିଁ ପ୍ରଥମ ପଞ୍ଚବାର୍ଷିକୀ ଯୋଜନାର ମୂଳଦୂଆ ପଡିଥିଲା ।

୧୧ ଅଗଷ୍ଟ ୧୯୫୧– ଏହିଦିନ ଭାରତୀୟ ଶିକ୍ଷା କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ଦିନ । ଏହିଦିନ ହିଁ ଭାରତର ପ୍ରଥମ ଆଇଆଇଟି ଅର୍ଥାତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ପ୍ରତିଷ୍ଠା କରାଯାଇଥିଲା । କୋଲକାତା ନିକଟ ଖଡଗପୁର ଠାରେ ମୌଲାନା ଅବଦୁଲ କାଲାମ ଆଜାଦ ଏହାକୁ ଉଦଘାଟନ କରିଥିଲେ ।

୨୫ ଅକ୍ଟୋବର ୧୯୫୧– ଭାରତରେ ପ୍ରଥମ ସାଧାରଣ ନିର୍ବାଚନ ଏହିଦିନଠାରୁ ଆରମ୍ଭ ହୋଇଥିଲା । ଏହି ନିର୍ବାଚନ ପ୍ରକିୟା ୨୭ ମାର୍ଚ୍ଚ ୧୯୫୨ ପର୍ଯ୍ୟନ୍ତ ଚାଲିଥିଲା । ମୋଟ ୪୮୯ ସିଟ ପାଇଁ ୫୩ଟି ରାଜନୈତିକ ଦଳମାନଙ୍କ ଦ୍ୱାରା ୧୮୭୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ ।

୧୦ ଫେବୃଆରୀ ୧୯୫୨– ଭାରତୀୟ ଗଣତନ୍ତ୍ର ପାଇଁ ଏହିଦିନଟି ଏକ ସ୍ୱର୍ଣ୍ଣିମ ଦିନ । ଏହିଦିନ ହିଁ ଭାରତର ପ୍ରଥମ ସାଧାରର ନିର୍ବାଚନର ଫଳାଫଳ ଆସିଥିଲା ଏବଂ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ନେତୃତ୍ୱରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ମୋଟ ୪୮୯ ସିଟରୁ ୩୬୪ ସିଟ ଦଖଲ କରିଥିଲା ।

୧୪ ଅକ୍ଟୋବର ୧୯୫୬– ଏହିଦିନ ସମ୍ବିଧାନ ପ୍ରଣେତା ଡାଃ ଭୀମରାଓ ଆମ୍ବେଦକର ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ନାଗପୁର ଠାରେ ପ୍ରାୟ ୫ଲକ୍ଷ ଅନୁଗାମୀଙ୍କୁ ସାଙ୍ଗରେ ନେଇ ଡାଃ ଆମ୍ବେଦକର ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ।

୬ ଡିସେମ୍ବର ୧୯୫୬– ଏହିଦିନ ଭାରତୀୟ ସମ୍ବିଧାନ ପ୍ରଣେତା ଡାଃ ଭୀମରାଓ ଆମ୍ବେଦକରଙ୍କର ବିୟୋଗ ହୋଇଥିଲା । ଦୀର୍ଘଦିନ ଧରି ସେ ଡାଇବେଟିସ ରୋଗରେ ପିଡୀତ ଥାଇ ଚିକିତ୍ସିତ ହେଉଥିଲେ ।

୧୫ ସେପ୍ଟେମ୍ବର ୧୯୫୯– ଏହିଦିନ ପ୍ରଥମ ଦୂରଦର୍ଶନର ଶୁଭାରମ୍ଭ କରାଯାଇଥିଲା । ଦିଲ୍ଲୀ ସ୍ଥିତ ଏକ ଅସ୍ଥାୟୀ ଷ୍ଟୁଡିଓରୁ ପ୍ରଥମ ଥର ପାଇଁ ଟେଲିଭିଜନ ପ୍ରସାରଣ ନେଇ ପରୀକ୍ଷା କରାଯାଇଥିଲା ।

୨୦ ଅକ୍ଟୋବର ୧୯୬୨– ଏହିଦିନ ଭାରତ ଉପରେ ଆକ୍ରମଣ କରିଥିଲା ଚୀନ । ତଥାପି ଯୁଦ୍ଧ ପାଇଁ ଆଦୌ ପ୍ରସ୍ତୁତ ନଥିବା ମାତ୍ର ୧୦-୨୦ହଜାର ଭାରତୀୟ ସେନା ଚୀନର ୮୦ ହଜାର ସୈନିକଙ୍କୁ ମୁକାବିଲା କରିଥିଲେ । ଏହି ଯୁଦ୍ଧ ପୁରା ଏକ ମାସ ଧରି ଚାଲିଥିବା ବେଳେ ଶେଷରେ ୨୧ ନଭେମ୍ବର ୧୯୬୨ରେ ଚୀନ ନିଜ ଆଡୁ ଯୁଦ୍ଧକୁ ସମାପ୍ତ କରାଯାଇଥିବା ନେଇ ଘୋଷଣା କରିଥିଲା ।

୨୭ ମଇ ୧୯୬୪– ସମଗ୍ର ଭାରତ ପାଇଁ ଏହିଦିନ ଥିଲା ଏକ ଦୁଃଖଦ ଦିନ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ ୨୬ ତାରିଖରେ ଡେରାଡୁନରୁ ଦିଲ୍ଲୀ ଫେରିଥିଲେ । କିନ୍ତୁ ୨୭ ତାରିଖ ସକାଳେ ସେ ଗାଧୁଆଘରୁ ବାରିବା ପରେ ହଠାତ ତାଙ୍କ ସ୍ୱାସ୍ଥାବସ୍ଥା ବିଗିଡି ଯାଇଥିଲା ଓ ଦ୍ୱିପହରେ ତାଙ୍କର ଅକାଳ ବିୟୋଗ ହୋଇଥିଲା ।

୨୫ ଅଗଷ୍ଟ ୧୯୬୫– ଏହିଦିନ ଜାମ୍ମୁ କାଶ୍ମୀର ଉପରେ ଆକ୍ରମଣ କରିଥିଲା ପାକିସ୍ତାନ । ଏହାପରେ ସେପ୍ଟେମ୍ବରରେ ଭାରତୀୟ ସେନା ପଶ୍ଚିମ ପାକିସ୍ତାନ ଉପରେ ଆକ୍ରମଣ କରିଦେଇଥିଲେ । ୨୨ ସେପ୍ଟେମ୍ବରରେ ୟୁନାଇଟେଡ ନେସନ୍ସର ମଧ୍ୟସ୍ଥତାରେ ଦୁଇଦେଶ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ କରାଯାଇ ଯୁଦ୍ଧର ଅବସାନ ହୋଇଥିଲା ।

୧୧ ଜାନୁଆରୀ ୧୯୬୬– ଏହିଦିନ ତାସକେଣ୍ଟ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ଏହା ଥିଲା ଏକ ଶାନ୍ତି ବୁଝାମଣା ଯେଉଁଥିରେ ଦୁଇଦେଶ ନିଜର ଶକ୍ତି ପ୍ରଦର୍ଶନ ନକରି ଶାନ୍ତି ଉପାୟରେ ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି ଉଲ୍ଲେଖ ରହିଥିଲା ।

୨୪ ଜାନୁଆରୀ ୧୯୬୬– ଏହିଦିନ ସମଗ୍ର ଭାରତ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଇନ୍ଦିରା ପ୍ରିୟଦର୍ଶୀନି ଗାନ୍ଧୀଙ୍କୁ ପାଇଥିଲା । ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଦେହାନ୍ତ ପରେ କଂଗ୍ରେସର ନେତା ଭାବେ ଇନ୍ଦିରାଙ୍କୁ ମନୋନୟନ କରାଯାଇଥିଲା ।

୨୬ ଜାନୁଆରୀ ୧୯୬୭– ଏହିଦିନ ଦୂରଦର୍ଶନରେ ପ୍ରଥମ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କୃଷି ଓ କୃଷକ ମାନଙ୍କ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମର ନାଁ ରଖାଯାଇଥିଲା କୃଷି ଦର୍ଶନ ।

୧୩ ମଇ ୧୯୬୭– ଏହିଦିନ ଭାରତର ପ୍ରଥମ ମୁସଲିମ ରାଷ୍ଟ୍ରପତି ଶପଥ ନେଇଥିଲେ । ଅଲ୍ଲୀଗଡ ମୁସଲିମ ୟୁନିଭରସିଟିର ଭାଇସ୍ ଚାନ୍ସେଲର ଡାଃ ଜାକୀର ହୁସେନ ଦେଶର ତୃତୀୟ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ।

୧୯ ଜୁଲାଇ ୧୯୬୯– ଏହିଦିନ ଦେଶର ବ୍ୟାଙ୍କିଙ୍ଗ ପ୍ରଣାଳୀରେ ଏକ ବଡ ପରିବର୍ତ୍ତନ ହୋଇଥିଲା । ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ୧୪ ବ୍ୟାଙ୍କର ଜାତୀୟକରଣ କରାଯାଇଥିଲା । ଯାହା ଦେଶର ଆର୍ଥିକ ସ୍ଥିତିରେ ଏକ ମାଇଲ ଷ୍ଟୋନ ହୋଇପାରିଥିଲା ।

୩ ଡିସେମ୍ବର ୧୯୭୧– ଭାରତ-ପାକିସ୍ତାନ ମଧ୍ୟରେ ପୁଣି ଏକ ଯୁଦ୍ଧ ହୋଇଥିଲା । ପାକିସ୍ତାନୀ ବାୟୁସେନା ପକ୍ଷରୁ ଭାରତ ଉପରେ ଆକ୍ରମଣ କରିବା ଦ୍ୱାରା ଯୁଦ୍ଧ ଆରମ୍ଭ ହୋଇଥିଲା । ୧୬ ଡିସେମ୍ବରରେ ଏହି ଯୁଦ୍ଧ ସମାପ୍ତ ହୋଇଥିଲା ।

୨ ଅଗଷ୍ଟ ୧୯୭୨– ଯୁଦ୍ଧ ସମାପ୍ତର ଆଠ ମାସ ପରେ ଭାରତ-ପାକିସ୍ତାନ ମଧ୍ୟରେ ସିମଲା ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ଏହି ବୁଝାମଣା ଦ୍ୱାରା ୯୩ହଜାର ପଣବନ୍ଦୀଙ୍କୁ ଛାଡିବା ପାଇଁ ଭାରତ ପ୍ରତିଶୃତି ଦେଇଥିଲା ।

୧୮ ମଇ ୧୯୭୪- ଏହିଦିନ ସାରା ବିଶ୍ୱ ଦେଖିଥିଲା ଭାରତର ଶକ୍ତି । ରାଜସ୍ଥାନର ପୋଖରନ ଠାରେ ଭାରତ ପ୍ରଥମ ପରମାଣୁ ପରୀକ୍ଷଣ କରିଥିଲା । ମାଟିତଳେ ଏହି ପରୀକ୍ଷଣ କରାଯାଇଥିଲା ।

୫ ଜୁନ ୧୯୭୪– ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମୁଣ୍ଡ ଟେକିଲା ଏକ ବଡ ଆନ୍ଦୋଳନ । ପାଟନାରେ ଜୟପ୍ରକାଶ ନାରାୟଣ ଏକ ଜନସଭାକୁ ସମ୍ବୋଧିତ କରି ସଂପୂର୍ଣ୍ଣ କ୍ରାନ୍ତିର ଆହ୍ୱାନ ଦେଇଥିଲେ ।

୧୯ ଅପ୍ରେଲ ୧୯୭୫- ଏହିଦିନ ଇତିହାସ ରଚିଥିଲା ଇସ୍ରୋ । ଭାରତୀୟ ବୈଜ୍ଞାନିକମାନେ ମହାକାଶକୁ ଦେଶର ପ୍ରଥମ ଉପଗ୍ରହ ଛାଡିଥିଲେ । ଯାହାର ନାମ ରଖାଯାଇଥିଲା ଆର୍ଯ୍ୟଭଟ୍ଟ । ଏହାର ଓଜନ ପ୍ରାୟ ୩୬୦କିଲୋଗ୍ରାମ ଥିଲା ।

୨୫ ଜୁନ ୧୯୭୫– ଇଂରେଜ ଶାସନରୁ ମୁକ୍ତ ଭାରତୀୟ ଆଉ ଏକ ଆନ୍ଦୋଳନର ସାମ୍ନା କରିଥିଲେ । ଜେପି ଆନ୍ଦୋଳନ ଫଳରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ।

୨୪ ମାର୍ଚ୍ଚ ୧୯୭୭– ଦେଶର ରାଜନୈତିକ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ପ୍ରଥମ ଥର ପାଇଁ ଦେଶରେ ଅଣଳଂଗ୍ରେସ ଦଳ କେନ୍ଦ୍ରରେ ସରକାର ଗଢ଼ିଥିଲେ ଓ ମୋରାରଜୀ ଦେଶାଇ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

୧ ଜାନୁଆରୀ ୧୯୭୯- ମୋରାରଜୀ ଦେଶାଇ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଥିଲେ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିନ୍ଦେଶ୍ୱରୀ ପ୍ରସାଦ ମଣ୍ଡଳଙ୍କୁ ପଛୁଆ ବର୍ଗ ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା ।

୬ ଅପ୍ରେଲ ୧୯୮୦- ଜନତା ପାର୍ଟି ଠାରୁ ମେଣ୍ଟ ଭାଙ୍ଗିବା ପରେ ଭାରତୀୟ ଜନସଂଘର ନେତାମାନେ ମିଶି ଏକ ନୂଆଦଳ ଗଠନ କରିଥିଲେ । ଏହାର ନାମ ରଖାଯାଇଥିଲା ଭାରତୀୟ ଜନତା ପାର୍ଟି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହାର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ ।

୩୧ ଡିସେମ୍ବର ୧୯୮୦- ଦୁଇବର୍ଷ ପରେ ମଣ୍ଡଳ କମିଶନ ରିପୋର୍ଟ ପ୍ରଦାନ କରିଥିଲେ କିନ୍ତୁ ଏହିବର୍ଷ ହିଁ ଭାରତୀୟ ଜନତା ପାର୍ଟି ସରକାର ଭାଙ୍ଗି ଯାଇଥିଲା । ଫଳରେ କମିଶନ ଦେଇଥିବା ରିପୋର୍ଟ ଶୀତଳଭଣ୍ଡାରରେ ଚାପି ହୋଇ ରହିଯାଇଥିଲା ।

୧୦ ନଭେମ୍ବର ୧୯୮୨- ଦେଶରେ ନବମ ଏସୀୟ କ୍ରିଡାର ଆୟୋଜନ କରାଯାଇଥିଲା ।

୨୫ ଜୁନ ୧୯୮୩- ଭାରତୀୟ କ୍ରିକେଟ ଟିମ ପ୍ରଥମ ଥର ପାଇଁ ବିଶ୍ୱକପ ଜିତି ଇତିହାସ ରଚିଥିଲା । କପିଲଦେବଙ୍କ ଅଧିନାୟକତ୍ୱରେ ଦଳ ୱେଷ୍ଟଇଣ୍ଡିଜକୁ ୪୩ ରନରେ ଧୂଳିଚଟାଇ ମ୍ୟାଚ ହାତେଇ ନେଇଥିଲା ।

୧୪ ନଭେମ୍ବର ୧୯୮୩- ଗୁଡ୍ଗାଓଁ ଫ୍ୟାକ୍ଟ୍ରିରୁ ପ୍ରଥମ ଥର ପାଇଁ ମାରୁତି ୮୦୦ ମଡେଲର କାର ବଜାରକୁ ଆସିଥିଲା । ଭାରତୀୟ ବାୟୁସେନାର କର୍ମଚାରୀ ହରପାଲ ସିଂ ଏହି ମଡେଲର ପ୍ରଥମ କାରକୁ କିଣିଥିଲେ ।

୨ ଅପ୍ରେଲ ୧୯୮୪- ପ୍ରଥମ ଭାରତୀୟ ଭାବେ ଭାରତୀୟ ବାୟୁସେନାର ସ୍କ୍ୱାଡ୍ରନ ଲିଡର ରାକେଶ ଶର୍ମା ମହାକାଶରେ ପାଦ ଦେଇଥିଲେ । ତାଙ୍କ ସହିତ ଦୁଇଜଣ ସୋଭିଏତ୍ ମହାକାଶଚାରୀ ମଧ୍ୟ ଥିଲେ ।

୧ ଜୁନ ୧୯୮୪- ତକ୍ରାଳୀନ ଇନ୍ଦିରା ଗାନ୍ଧୀ ସରକାର ୧ଜୁନ ୧୯୮୪ରେ ଅପରେସନ ବ୍ଲ୍ୟୁ ଷ୍ଟାର ଆରମ୍ଭ କରିଥିଲେ । ପ୍ରଥମ ଦିନରେ ହିଁ ସ୍ୱର୍ଣ୍ଣ ମନ୍ଦିର ଭିତରେ ଥିବା ଗୁରୁ ରାମ ଦାସ ଲଙ୍ଗର ବିଲ୍ଡିଂ ଉପରେ ସେନା ଆକ୍ରମଣ କରିଥିଲା ଯେଉଁଥିରେ ପାଖାପାଖି ୮-୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ।

୨୪ ଅକ୍ଟୋବର ୧୯୮୪- ଏହିଦିନ ଦେଶରେ ପ୍ରଥମ ମେଟ୍ରୋ ଟ୍ରେନ ଗଡିଥିଲା । କୋଲକାତାକୁ ଯାତ୍ରା କରିଥିବା ଏହି ମେଟ୍ରୋ ଟ୍ରେନ ପ୍ରଥମ ଯାତ୍ରାରେ ୫ଟି ଷ୍ଟେସନ ମଧ୍ୟରେ ୩.୪୦ କିଲୋମିଟର ଅତିକ୍ରମ କରିଥିଲା ।

୩୧ ଅକ୍ଟୋବର ୧୯୮୪- ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ଇନ୍ଦିରାଙ୍କ ପରେ ରାଜୀବ ଗାନ୍ଧୀ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ ।

୨ ଡିସେମ୍ବର ୧୯୮୪- ଏହିଦିନ ବିଳମ୍ବିତ ରାତିରେ ଭୋପାଳର ଏକ କେମିକାଲ ପ୍ଲାଣ୍ଟରୁ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥିଲା । ଯାହାର ସଂସ୍ପର୍ଷରେ ଆସି ଆଜି ପର୍ଯ୍ୟନ୍ତ ପ୍ରାୟ ୮ହଜାର ଲୋକଙ୍କର ଜୀବନହାନି ଘଟିଥିବାର ରିପୋର୍ଟ ହୋଇଛି ।

୨୨ ମଇ ୧୯୮୭- ପଶ୍ଚିମ ୟୁପିରେ ମିରଟର ହାସିମପୁରାରେ ନରସଂହାର ଦେଖିବାକୁ ମିଳିଥିଲା । ପୁଲିସ ଦ୍ୱାରା ହୋଇଥିବା ଆକ୍ରମଣରେ ପ୍ରାୟ ୪୦ ମୁସଲମାନଙ୍କ ମୃତ୍ୟୁ ହୋଇଥିଲା ।

୯ ନଭେମ୍ବର ୧୯୮୯- ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଅଯୋଧ୍ୟାରେ ରାମ ମନ୍ଦିରର ଶିଳାନ୍ୟାସ କାର୍ଯ୍ୟକ୍ରମ କରାଯାଇଥିଲା ।

୭ ଅଗଷ୍ଟ ୧୯୯୦- ତକ୍ରାଳୀନ ପ୍ରଧାନମନ୍ତ୍ରୀ ବି.ପି. ସିଂ ମଣ୍ଡଳ କମିଶନଙ୍କ ରିପୋର୍ଟ ସ୍ୱୀକାର କରିବା ପାଇଁ ଘୋଷଣା କରିଥିଲେ ।

୨୫ ସେପ୍ଟେମ୍ବର ୧୯୯୦- ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାଣୀ ଗୁଜୁରାଟରୁ ଦେଶବ୍ୟାପୀ ରଥଯାତ୍ରାର ଶୁଭାରମ୍ଭ କରିଥିଲେ । ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଏହି ଯାତ୍ରା ଶେଷ ହୋଇଥିଲା । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ଏହି ରଥଯାତ୍ରା କରାଯାଇଥିଲା ।

୨୧ ମଇ ୧୯୯୧- ତାମିଲନାଡୁର ଶ୍ରୀପେରବନ୍ଦର ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ରାଜୀବ ଗାନ୍ଧୀ ପହଞ୍ଚିଥିଲେ । ସେହିଦିନ ରାତି ପ୍ରାୟ ୧୦ଟା ବେଳେ ଏକ ବିସ୍ଫୋରଣରେ ତାଙ୍କର ଦେହାନ୍ତ ହୋଇଥିଲା ।

୨୩ ଅପ୍ରେଲ ୧୯୯୩- ଭାରତ ରତ୍ନ ଓ ଓସ୍କାର ବିଜେତା ସତ୍ୟଜିତ୍ ରାୟଙ୍କର ପରଲୋକ ହୋଇଥିଲା ।

୬ ଡିସେମ୍ବର ୧୯୯୨- ଅଯୋଧ୍ୟାର ବାବ୍ରୀ ମସଜିଦ ଉପରେ ଆକ୍ରମଣ ହୋଇଥିଲା ।

୧୨ ମାର୍ଚ୍ଚ ୧୯୯୩- ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ପାଖାପାଖି ୨୫୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଉଦ୍ଧ୍ୱର୍ ଲୋକେ ଆହତ ହୋଇଥିଲେ ।

୩ ଜୁନ ୧୯୯୫- ୟୁପି ରାଜନୀତିରେ ଏକ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଭାବେ ଦଳିତ ନେତ୍ରୀ ଶୁଶ୍ରୀ ମାୟାବତୀ ନିର୍ବାଚିତ ହୋଇଥିଲେ ।

୫ ସେପ୍ଟେମ୍ବର ୧୯୯୭- ସାରା ଜୀବନ ସେବାରେ ନିମଗ୍ନ ଥିବା ମଦର ଟେରେସାଙ୍କ ପରଲୋକ ଘଟିଥିଲା ।

୧୯ ଫେବୃଆରୀ ୧୯୯୯- ଭାରତ- ପାକିସ୍ତାନ ସମ୍ପର୍କରେ ଏକ ନୂଆ ମୋଡ ଆସିଥିଲା । ଏହିଦିନ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାର ବାଜପେୟୀ ଦିଲ୍ଲୀରୁ ଲାହୋର ପର୍ଯ୍ୟନ୍ତ ବସରେ ଯାତ୍ରା କରିଥିଲେ ।

୨୬ ଜୁଲାଇ ୧୯୯୯- ଭାରତ- ପାକିସ୍ତାନ ମଧ୍ୟରେ ଆଉ ଏକ ଯୁଦ୍ଧ ହୋଇଥିଲା । କାରଗିଲରେ ହୋଇଥିବା ଏହି ଯୁଦ୍ଧରେ ଭାରତ ବିଜୟ ହାସଲ କରିଥିଲା ।

୨୪ ଡିସେମ୍ବର ୧୯୯୯- ଭାରତୀୟ ଯୁଦ୍ଧ ଯାହାଜ ଆଇସି-୮୧୪କୁ ଆତଙ୍କବାଦୀମାନେ ହାଇଜାକ କରିନେଇଥିଲେ । ପରେ ସେମାନେ ଏହାକୁ ଆଫଗାନିସ୍ତାନକୁ ନେଇ ଯାଇଥିଲେ ।

୨୬ ଜାନୁଆରୀ ୨୦୦୧- ସାରା ଦେଶ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଗୁଜୁରାଟରେ ଭୟଙ୍କର ଭୁକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୯ ଥିଲା । ଏହି ଭକମ୍ପ ଫଳରେ ପ୍ରାୟ ୨୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା ଓ ଲକ୍ଷାଧିକ ଲୋକେ ଆହତ ହୋଇଥିଲେ ।

୧୪ ଜୁଲାଇ ୨୦୦୧- କାରଗିଲ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଆଗ୍ରା ସମ୍ମିଳନୀ ରୂପରେ ଏକ ଐତିହାସିକ ପଦକ୍ଷେପ ନିଆଯାଇଥିଲା । ଦୁଇଦିନ ବ୍ୟାପୀ ଚାଲିଥିବା ଏହି ସମ୍ମିଳନୀରେ କାଶ୍ମୀର ବିବାଦ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।

୧୩ ଡିସେମ୍ବର ୨୦୦୧- ଆତଙ୍କବାଦୀ ସଙ୍ଗଠନ ଜୈସ-ଇ-ମହମ୍ମଦ ଓ ଲସ୍କର-ଇ-ତୋଇବା ରାଜଧାନୀ ଦିଲ୍ଲୀରେ ସଂସଦ ଉପରେ ଆକ୍ରମଣ କରିଥିଲେ । ୫ଜଣ ସଶସ୍ତ୍ର ଆତଙ୍କବାଦୀ ସଂସଦ ପରିସରରେ ପଶି ଆଖିବୁଜା ଗୁଳିଚାଳନା କରିବା ଦ୍ୱାରା ପ୍ରାୟ ୧୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ।

୨୪ ଫେବୃଆରୀ ୨୦୦୨- ଗୁଜୁରାଟ ଗୋଧ୍ରାରେ ସାବରମତୀ ଏକ୍ସପ୍ରେସରେ ଆକ୍ରମଣ ହୋଇଥିଲା ଏବଂ ଏଥିରେ ନିଆଁ ଲଗାଇ ଦିଆଯାଇଥିଲା । ଏହାପରେ ପରେ ଗୁଜୁରାଟରେ ଭୟଙ୍କର ଦଙ୍ଗା ହୋଇଥିଲା । ବହୁସଂଖ୍ୟାରେ ମୁସଲମାନଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା ।

୧୮ ଜୁଲାଇ ୨୦୦୫- ୧୯୭୪ର ପରମାଣୁ ପରୀକ୍ଷଣ ପରେ ପୁଣିଥରେ ଭାରତକୁ ଏକ ବଡ ସଫଳତା ମିଳିଥିଲା । ତକ୍ରାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୱାଶିଂଟନ ଠାରେ ଆମେରିକା ରାଷ୍ଟ୍ରପତି ଜର୍ଜ ବୁଶଙ୍କ ସହିତ ନ୍ୟୁକ୍ଲିୟର ବୁଝାମଣା ନେଇ ଚୁକ୍ତି ସ୍ୱାକ୍ଷରିତ କରିଥିଲେ ।

୨୬ ନଭେମ୍ବର ୨୦୦୮- ପୁଣିଥରେ ମୁମ୍ବାଇ ଉପରେ ଆତଙ୍କୀ ହମଲା ହୋଇଥିଲା । ତାଜ ହୋଟେଲ, ନରୀମନ ହାଉସ, ହୋଟେଲ ଓବରେୟରେ ଆତଙ୍କୀ ହମଲା ପରେ ପୁରା ମୁମ୍ବାଇ ଦୋହଲି ଯାଇଥିଲା । ଏହି ଆକ୍ରମଣରେ ପ୍ରାୟ ୧୬୬ ଲୋକଙ୍କର ପ୍ରାଣହାନୀ ଘଟିଥିଲା ।

୨୧ ନଭେମ୍ବର ୨୦୧୨- ୨୬/୧୧ ଆକ୍ରମଣରେ ଧରାପଡିଥିବା ଆତଙ୍କବାଦୀ ଅଜମଲ କସାବକୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ପୁନେର ୟରବଦା ଜେଲରେ ତାକୁ ଫାଶୀ ଦିଆଯାଇଥିଲା ।

୨୬ ମଇ ୨୦୧୪- ଲୋକସଭା ନିର୍ବାଚନରେ ଆଶାତୀତ ସଫଳତା ପାଇବା ପରେ କେନ୍ଦ୍ରରେ ବିଜେପି ନେତୃତାଧୀନ ଏନଡିଏ ସରକାର ଗଠନ ହୋଇଥିଲା । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

୨୭ଜୁଲାଇ ୨୦୧୫- ମିସାଇଲ ମ୍ୟାନ ଭାବେ ଜଣାଶୁଣା ପୂର୍ବତନ ରାଷ୍ଟ୍ରପତି ଡାଃ ଏପିଜେ ଅବଦୁଲ କାଲାମଙ୍କ ପରଲୋକ ହୋଇଥିଲା ।

୨୯ ସେପ୍ଟେମ୍ବର ୨୦୧୬- ଭାରତୀୟ ସେନା ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା । ମୋଦି ସରକାରଙ୍କୁ ଏହାର ଶ୍ରେୟ ଦିଆଯାଇଥିଲା ।

୮ ନଭେମ୍ବର ୨୦୧୬- ଏହିଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଘୋଷଣା କରିଥିଲେ । ପୁରୁଣା ୫ଶହ ଓ ହଜାରେ ଟଙ୍କିଆକୁ ବ୍ୟାନ କରାଯାଇଥିଲା ଓ ଏହାପରେ ନୂଆ ୫ଶହ ଓ ୨ହଜାର ଟଙ୍କିଆ ନୋଟର ପ୍ରଚଳନ କରାଯାଇଛି ।