ହୃଦୟ ଜିଣିଛନ୍ତି ୭ ବର୍ଷିୟା ହୃଦୟା । ବାସ୍ ଗୋଟିଏ ପଦ କଥାରେ ୫୦ ଜଣଙ୍କର ଧୂମପାନ ଅଭ୍ୟାସ ଛଡାଇଲେଣି ।

994

୭ବର୍ଷ ବୟସରେ କିଛି ପରିବର୍ତ୍ତନ ଆଣିବା ବିଷୟରେ ଭାବିବା ଏବଂ ତାହାକୁ ସଫଳ କରିବା ପାଇଁ ଚେଷ୍ଟା କରିବା ନିହାତି ଭାବରେ ଏକ ବଡ଼ କଥା । ସେଭଳି କିଛି ଦେଖିବାକୁ ମିଳିଛି ନାସିକରେ । ଏଠାରେ ରହୁଥିବା ୭ବର୍ଷୀୟା ହୃଦୟା ଏ ପର୍ଯ୍ୟନ୍ତ ୫୦ଜଣଙ୍କର ଧୂମପାନ ଅଭ୍ୟାସ ଛଡ଼ାଇ ସାରିଥିବା ଜଣା ପଡ଼ିଛି । ତେବେ ଏଥିପାଇଁ ହୃଦୟା ଏକ ଭିନ୍ନ ତରିକା ଆପଣାଇଛନ୍ତି । ଦୋକାନ ଆଗରେ ଛିଡା ହୋଇ ସିଗାରେଠ ଟାଣୁଥିବା ଲୋକଙ୍କୁ ଦେଖିଲେ ହୃଦୟା ସେମାନଙ୍କ ପାଖକୁ ଯାଇଥାନ୍ତି । ଆଉ ସିଗାରେଟ ଟାଣୁଥିବା ଲୋକଙ୍କୁ ଡାକି କହିଥାନ୍ତି କିଛି ଦିନ ହେଲା ସିଗାରେଟ ଟାଣିନାହିଁ । ୨-୩ଟି ସିଗାରେଟ ଦିଅ ବୋଲି କୁହନ୍ତି ହୃଦୟା । ଯାହାକୁ ଶୁଣିବା ପରେ ସେଠାରେ ଛିଡା ହୋଇଥିବା ଲୋକେ ସିଗାରେଟ୍ ଫିଙ୍ଗି ଦିଅନ୍ତି । ଏହା ପରେ ହୃଦୟା ସେମାନଙ୍କୁ ‘କୁଇଟ୍ ଟବାକୋ ଅଭିଯାନ’ ନାମକ ହ୍ଵାଟସ୍ଆପ୍ ଗ୍ରୁପରେ ଯୋଡ଼ି ସିଗାରେଟ୍ ଅଭ୍ୟାସ ବନ୍ଦ କରିବା ପାଇଁ କହିଥାନ୍ତି । ଏହି ଅଭିଯାନ ଦ୍ୱାରା ୫୦ଜଣ ଲୋକ ଧୂମପାନ କରିବା ଛାଡ଼ି ସାରିଥିବା ଜଣା ପଡ଼ିଛି ।

ତେବେ ଏଭଳି କରିବା ପଛର କାରଣ ପଚରାଯିବା ପରେ, ମୋର ଦାଦା ଧୂମପାନ କରୁଥିବାରୁ ତାଙ୍କୁ କର୍କଟ ରୋଗ ହୋଇଥିଲା । ଧୂମପାନ କରିବା ଖରାପ ବୋଲି ଜାଣି ମଧ୍ୟ ସେ ଧୂମପାନ କରୁଥିଲେ । ଏହା ପରେ ମୁଁ ବାପାଙ୍କୁ ପଚାରିଥିଲି କି, ଧୂମପାନ କରିବା ଦ୍ୱାରା କର୍କଟ ରୋଗ ହୁଏ ବୋଲି ଲୋକେ ଜାଣିଛନ୍ତି କି? ମୋ ପ୍ରଶ୍ନର ଉତ୍ତର ହଁରେ ଦେଇଥିଲେ ବାପା । ଧୂମପାନ କାହିଁକି ଲୋକେ କରନ୍ତି ବୋଲି ପଚାରିବା ପରେ ସେ ଜାଣି ନାହିଁ ବୋଲି କହିଥିଲେ । ଏହା ପରେ ମୁଁ ଲୋକଙ୍କୁ କହିଲେ ସେମାନେ ପିଇବା ଛାଡ଼ିଦେବେ କି? ବୋଲି ବାପାଙ୍କୁ ପଚାରିବା ପରେ ସେ ମୋତେ ଚେଷ୍ଟା କରି ଦେଖ ବୋଲି କହିଥିଲେ । ଯାହା ପରଠାରୁ ମୋର ଅଭିଯାନ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ହୃଦୟା ।