ଅଭୁଲା ଏପ୍ରିଲ ୨ ! ୭ ବର୍ଷ ପୂର୍ବେ ଆଜିର ଦିନରେ ବିଶ୍ୱକପ ଜିତିଥିଲା ଭାରତ, ଏବେ ବି ରେକର୍ଡ ହୋଇ ରହିଛି ଧୋନିଙ୍କ ସେହି ‘ହେଲିକପ୍ଟର ଛକା’। ଜାଣନ୍ତୁ ୨୦୧୧ ବିଶ୍ୱକପର କିଛି ଅଜଣା କଥା

152

ଏପ୍ରିଲ ୨, ୨୦୧୧ । ଏହି ତାରିଖକୁ ଅଧିକାଂଶ ଭାରତୀୟ କ୍ରିକେଟ ପ୍ରେମୀ କେବେ ଭୁଲିବେ ନାହିଁ । କାରଣ ୭ ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ କ୍ରିକେଟ ଟିମ୍ ଶ୍ରୀଲଙ୍କାକୁ ମାତ ଦେଇ ଦ୍ୱିତୀୟ ବିଶ୍ୱକପ ହାସଲ କରିଥିଲା । ଆଉ ଦୀର୍ଘ ୨୮ ବର୍ଷ ଅପେକ୍ଷାର ଅନ୍ତ ଘଟିଥିଲା । କିନ୍ତୁ ସବୁଠୁ ଅଧିକ ରୋମାଞ୍ଚକର ଥିଲା ମହେନ୍ଦ୍ର ସିଂ ଧୋନିଙ୍କ ବ୍ୟାଟରୁ ବାହାରିଥିବା ବିଜୟ ସୂଚକ ଛକା । ଯାହାକୁ ଏବେ ମଧ୍ୟ ଦେଖିଲେ ରୋମ ଟାଙ୍କୁରି ଉଠେ । ବିଶ୍ୱକପ ଫାଇନାଲରେ ଇତିହାସ ରଚିବା ପାଇଁ ଭାରତକୁ ୧୧ ବଲରେ ୪ ରନର ଆବଶ୍ୟକ ଥିବା ବେଳେ କ୍ରିଜରେ ଥିଲେ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ନୱାନ କୁଲଶେଖରଙ୍କ ବଲକୁ ଧୋନି ଲଙ୍ଗ ଅନରେ ଏକ ଆକର୍ଷଣୀୟ ଛକା ମାରି ଭାରତକୁ ଦେଇଥିଲେ ବହୁ ପ୍ରତୀକ୍ଷିତ ବିଶ୍ୱକପ । ଧୋନିଙ୍କ ହେଲିକପ୍ଟର ସଟରେ ବଲଟି ସୀମାରେଖା ପାର ହେବା ପରେ ଆରମ୍ଭ ହୋଇଥିଲା ସେଲିବ୍ରେସନ ।

ଧୋନି ଓ ଗମ୍ଭୀରଙ୍କ ଦମଦାର ଇନିଂସ ବଳରେ ଭାରତ ୬ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ହାତେଇଥିଲା ଦ୍ୱିତୀୟ ବିଶ୍ୱକପ । ଏହି ମୁହୂର୍ତ୍ତ କ୍ରିକେଟର ଭଗବାନ କୁହାଯାଉଥିବା ସଚିନଙ୍କ ପାଇଁ ଏକ ସୁଖଦ ଅନୁଭୂତି ଆଣିଥିଲା । ପ୍ରଥମ ଥର ପାଇଁ ବିଶ୍ୱକପ ବିଜୟୀ ହେବାର ଅନୁଭୂତି ସାଉଁଟିଥିଲେ ମାଷ୍ଟରବ୍ଲାଷ୍ଟର । ଏହାପୂର୍ବରୁ ୧୯୮୩ ମସିହା ୨୫ ଜୁନରେ ଭାରତ କପିଲ ଦେବଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ବିଶ୍ୱକପ ବିଜୟୀ ହୋଇଥିଲା ।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ଶ୍ରୀଲଙ୍କା ୨୭୫ ରନର ବିଶାଳ ଲକ୍ଷ୍ୟ ଭାରତ ସାମ୍ନାରେ ରଖିଥିଲା । କିନ୍ତୁ ମାଲିଙ୍ଗାଙ୍କ ଘାତକ ବୋଲିଂ ଆଗରେ ସଚିନ ଓ ସେହୱାଗ ଫେଲ ମାରିଥିଲେ । କିନ୍ତୁ ଯୁବ ତାରକା ବିରାଟ କୋହଲି ଓ ଗୌତମ ଗମ୍ଭୀର ଇନିଂସ ସମ୍ଭାଳିବା ସହ ଭାରତକୁ ଏକ ଦୃଢ ସ୍ଥିତିରେ ପହଞ୍ଚାଇଥିଲେ । କିନ୍ତୁ କୋହଲି ଆଉଟ ହେବା ପରେ ପଡିଆକୁ ଓହ୍ଲାଇଥିଲେ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଉପର ଅର୍ଡ଼ରରେ ବ୍ୟାଟିଂ କରିବାକୁ ଆସି ସମସ୍ତଙ୍କୁ ଚକିତ କରିଥିଲେ ଧୋନି । ଆଉ ଏହାପରେ ଗମ୍ଭୀର ଓ ଧୋନି ମିଶି ଭାରତକୁ ଏକ ଦୃଢ ସ୍ଥିତିରେ ପହଞ୍ଚାଇଥିଲେ । ମାତ୍ର ତିନି ରନ ପାଇଁ ଶତକରୁ ବଞ୍ଚିତ ହୋଇଥିବା ଗମ୍ଭୀର ଆଉଟ ହେବା ପୂର୍ବରୁ ଭାରତର ବିଜୟ ପଥକୁ ପରିଷ୍କାର କରି ଦେଇଥିଲେ । ଏହାପରେ ପଡିଆକୁ ଓହ୍ଲାଇଥିଲେ ଭାରତର ବିଶ୍ୱକପ ବିଜୟର ମୁଖ୍ୟ ପୁରୋଧା ଯୁବରାଜ ସିଂହ । ଲିଗ୍ ମ୍ୟାଚରୁ ଆରମ୍ଭ କରି ଫାଇନାଲ ପର୍ଯ୍ୟନ୍ତ ଦଳ ପାଇଁ ଟ୍ରମ୍ପକାର୍ଡ ସାଜିଥିବା ଯୁବରାଜ ଅଧିନାୟକ ଧୋନିଙ୍କ ସହ ମିଶି ଖେଳିଥିଲେ ଦାୟିତ୍ୱପ୍ରୂ୍ଣ୍ଣ ଇନିଂସ । ଆଉ ୪୯ ତମ ଓଭରରେ ଧୋନିଙ୍କ ସେହି ଆକର୍ଷଣୀୟ ଛକା ଭାରତର ୧୨୦ କୋଟି ଲୋକଙ୍କ ପାଇଁ ଏକ ଅଭୁଲା ମୁହୂର୍ତ୍ତ ସୃଷ୍ଟି କରିଥିଲା ।

ଫାଇନାଲରେ ମ୍ୟାଚରେ ୯୧ ରନର ଇନିଂସ ଖେଳିଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ ପୁରସ୍କାର ଦିଆଯାଇଥିବା ବେଳେ ଭାରତର ବିଶ୍ୱକପ ବିଜୟର ମୁଖ୍ୟ ନାୟକ ଯୁବରାଜ ସିଂହଙ୍କୁ ମିଳିଥିଲା ମ୍ୟାନ୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟର ଆୱାର୍ଡ । ୨୦୧୧ ବିଶ୍ୱକପରେ ମୋଟ ୩୬୨ ରନ ସହ ୧୫ଟି ୱିକେଟ ଅକ୍ତିଆର କରି ଦଳ ପାଇଁ ତ୍ରାଣକର୍ତ୍ତା ସାଜିଥିଲେ ଯୁବରାଜ ।

କିନ୍ତୁ ୨୦୧୧ ବିଶ୍ୱକପ ଫାଇନାଲରେ ଏପରି କିଛି ଘଟଣା ଘଟିଥିଲା ଯାହା ସାଧାରଣ ଲୋକ ହୁଏତ ଜାଣି ନଥିବେ ଏବଂ ଏହାପୂର୍ବରୁ ମଧ୍ୟ କୌଣସି ବିଶ୍ୱକପ ଫାଇନାଲ ମ୍ୟାଚରେ ଏଭଳି ଘଟଣା ଦେଖିବାକୁ ମିଳିନଥିଲା । ୨୦୧୧ ମସିହାରେ ବିଶ୍ୱକପ ଟାଇଟଲ ମୁକାବିଲାରେ ଦୁଇ ଥର ଟସ୍ ପଡିଥିଲା । କାରଣ ପ୍ରଥମ ଥର ଟସ୍ ପଡିବା ବେଳେ ଶ୍ରୀଲଙ୍କା କ୍ୟାପଟେନ କଣ କଲ କରିଥିଲେ ତାହା କେହି ଶୁଣି ପାରିନଥିଲେ ।ଫଳରେ ଆଉଥରେ ଟସରେ ସାଙ୍ଗାକାରା ହେଡ୍ କଲ କରି ଟସ୍ ଜିତିବା ସହ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ ।

ଟସ୍ ଜିତି ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଟିମ୍ ୫୦ ଓଭରରେ ୬ ୱିକେଟ ବିନିମୟରେ ୨୭୪ ରନ କରିଥିଲା । ମାହେଲା ଜୟବର୍ଦ୍ଧନ ୧୦୩ ରନର ଇନିଂସ ଶ୍ରୀଲଙ୍କାକୁ ଏକ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ଜବାବରେ ଗୌତମ ଗମ୍ଭୀରଙ୍କ ୯୭ ଓ ଧୋନିଙ୍କ ୯୧ ରନ ସହାୟତାରେ ୧୦ ବଲ ପୂର୍ବରୁ ଭାରତ ବିଶ୍ୱକପ ହାତେଇଥିଲା । କିନ୍ତୁ ବିଶ୍ୱକପ ଫାଇନାଲ ଇତିହାସରେ ପ୍ରଥମ ଥର ପାଇଁ ଶତକ ହାସଲକାରୀ ଦଳ ପରାସ୍ତ ହୋଇଥିଲା ।

ଧୋନିଙ୍କ ଛକା : କ୍ରିକେଟ ବିଶ୍ୱକପ ଫାଇନାଲରେ ପ୍ରଥମ ଥର ପାଇଁ କୌଣସି ଖେଳାଳୀ ଛକା ମାରି ଦଳକୁ ବିଜୟ କରିଥିଲେ । ଆଉ ଏହି ରେକର୍ଡ ନିଜ ନାଁରେ କରିଥିଲେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ବିଜୟ ସୂଚକ ଛକା ମାରି ଦଳକୁ ଏକ ରୋମାଞ୍ଚକର ବିଜୟ ଭେଟି ଦେଇଥିଲେ ଧୋନି ।ଏହାପୂର୍ବରୁ ଶ୍ରୀଲଙ୍କାର ରଣତୁଙ୍ଗା ଓ ଅଷ୍ଟ୍ରେଲିଆର ଲେହମାନ ଫାଇନାଲରେ ଚୌକା ମରି ଦଳକୁ ବିଜୟୀ କରିଥିଲେ । କିନ୍ତୁ ଧୋନିଙ୍କ ହେଲିକପ୍ଟର ସଟ ପାଇଁ ଯେମିତି ରେକର୍ଡ ଅପେକ୍ଷା କରି ରହିଥିଲା ।