ଗୋଟିଏ ଜୁଇରେ ୭ ଚିତା ! ହୀରାଖଣ୍ଡ ଯୋଗୁଁ ଖଣ୍ଡଖଣ୍ଡ ହୋଇଗଲା ପରିବାରର ଖୁସି

43

କନକ ବ୍ୟୁରୋ : ହୀରାଖଣ୍ଡ, କେଉଁ ପରିବାରକୁ ଖଣ୍ଡ ଖଣ୍ଡ କରିଦେଲା ତ ଆଉ କେଉଁ ପରିବାରର ହସଖୁସି ଛଡ଼ାଇ ନେଲା । ଜନ୍ମମାଟିରେ ବି ପହଂଚିପାରିଲାନି ମରଶରୀର । ଗୋଟିଏ ଜୁଇରେ ଜଳିଲା ପରିବାରର ୭ଜଣ ସଦସ୍ୟଙ୍କ ଜୁଇ । ପେଟପାଟଣା ପାଇଁ ଭିଟାମାଟି ଛାଡି ଧାଇଁ ଆସିଥିବା ବିହାରର ଗୋଟିଏ ପରିବାରର ୭ ଜଣ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

ବୁଲା ବିକାଳି ଭାବେ ଯାଯାବର ଜୀବନ ବିତାଉଥିବା ଏହି ପରିବାର ଭବାନୀପାଟଣାରୁ ବିଜୟନଗରମ୍ ଯାଉଥିଲେ । ସାଧାରଣ ବସିରେ ଯାତ୍ରା କରୁଥିଲେ ୯ଜଣ ସଦସ୍ୟ, ହେଲେ ଦୁର୍ଘଟଣା ଛଡ଼ାଇ ନେଲା ୭ ଜଣଙ୍କ ଜୀବନ । ଆଉ ଦୁଇ ଜଣ ଏବେ ଗୁରୁତର ଅବସ୍ଥାରେ ରାୟଗଡ଼ା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଗୋଟିଏ ପଟେ ପ୍ରିୟଜନଙ୍କୁ ହରାଇବାର ଦୁଃଖ, ଅନ୍ୟପଟେ ଆର୍ଥକ ଅନାଟକ ଯୋଗୁଁ ମୃତ ଶରୀରକୁ ବିହାରକୁ ନେବା ପାଇଁ ଅସମର୍ଥ । ସ୍ଥାନୀୟ ପ୍ରଶାସନର ସହଯୋଗରେ ରାୟଗଡ଼ା ସରିଗୁଡ଼ାରେ କରାଯାଇଛି ସମୂହ ଅନ୍ତେଷ୍ଟି କ୍ରିୟା ।

ସେହିପରି ଆଉ ଜଣେ ହେଉଛନ୍ତି ଗୁଣୁପୁରର ତେଜସ୍ୱିନୀ । ଆଉ ଦିନ କେଇଟା ପରେ ବୋହୂ ବେଶରେ ସଜାଇ ହୋଇ ଶାଶୁଘର ଯାଇଥାନ୍ତେ । ଝିଅ ବାହାଘର ଠିକ୍ ହୋଇଥିବାରୁ ବେଶ ଖୁସିରେ ଥିଲେ ବାପା- ରାମ ପ୍ରସାଦ ପଣ୍ଡିତ ଏବଂ ମା’ ଯଶୋଦା ପଣ୍ଡିତ । ଖୁସିରେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ବାହାରିଥିଲେ । ହେଲେ ବିଧିର ବିଧାନ ଥିଲା ଆଉ କିଛି । ଏକାକରି ଛାଡ଼ିଗଲେ ମାବାପା । କେଇ ଘଂଟା ଆଗରୁ ବାହାଘରର ସ୍ୱପ୍ନ ଦେଖୁଥିବା ଏହି ଝିଅ ଏବେ ଜୀବନ ବଂଜିବାର ରାହା ଖୋଜୁଛି ।

ଟ୍ରେନ୍ ଦୁର୍ଘଟଣାରେ ଯେ କେବଳ ହୀରାଖଣ୍ଡ ଖଣ୍ଡ ଖଣ୍ଡ ହୋଇଗଲା ତାହା ନୁହେଁ ଅନେକ ପରିବାରକୁ ଖଣ୍ଡ ବିଖଣ୍ଡିତ କରି ଦୁଃଖର ସାଗରରେ ଭସାଇ ଦେଲା ।