ଲୋକସଭା ଆସନରେ ୯ରୁ ୭ ପ୍ରାର୍ଥୀ ବଦଳାଇଲା ବିଜେଡି ! ନୂଆ ଚେହେରାଙ୍କୁ ଭରସା କରି ୧୯ ନିର୍ବାଚନ ପାର ହେବାକୁ ଚେଷ୍ଟା ।

454

କନକ ବ୍ୟୁରୋ : ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ୯ଟି ଲୋକସଭା ଆସନ ଏବଂ ୩୬ଟି ବିଧାନସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୯ଟି ଲୋକସଭା ଆସନରୁ ୭ଟି ଆସନରେ ପ୍ରାର୍ଥୀ ବଦଳାଇଛି ବିଜେଡି । କେବଳ ପୁରୀ ଓ ବାଲେଶ୍ୱରରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇନାହିଁ ।

ପୁରୀ ଲୋକସଭା ଆସନରେ ୨୦୧୪ ନିର୍ବାଚନରେ ପିନାକୀ ମିଶ୍ର ପ୍ରାର୍ଥୀ ହୋଇଥିବା ବେଳେ ଏଥର ମଧ୍ୟ ଦଳ ତାଙ୍କୁ ପୁରୀରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି । ସେହିପରି ବାଲେଶ୍ୱର ଲୋକସଭା ଆସନରୁ ରବିନ୍ଦ୍ର ଜେନାଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି ଦଳ । ଆଉ ଏହାରି ଭିତରେ ଆଜି ଘୋଷଣା ହୋଇଥିବା ଅନ୍ୟ ୭ଟି ଲୋକସଭା ଆସନରେ ପ୍ରାର୍ଥୀ ବଦଳାଯାଇଛି । ଭୁବନେଶ୍ୱର ଲୋକସଭା ଆସନରୁ ୧୯୯୮ ମସିହାରୁ ପ୍ରାର୍ଥୀ ହୋଇ ଆସିଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କ ଏଥର ଟିକେଟ୍ କଟିଛି । ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ନବୀନ ଘୋଷଣା କରିଥିବା ବେଳେ ଭୁବନେଶ୍ୱରରୁ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ ।

ସେହିପରି ଯାଜପୁର ଲୋକସଭା ପାଇଁ ମଧ୍ୟ ଏଥର ପ୍ରାର୍ଥୀ ବଦଳାଇଛି ଦଳ । ୨୦୧୪ ନିର୍ବାଚନରେ ରୀତା ତରାଇ ପ୍ରାର୍ଥୀ ହୋଇଥିବା ବେଳେ, ଏଥର ସର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେହିପରି କେନ୍ଦ୍ରାପଡା ଲୋକସଭା ଆସନରେ ୨୦୧୪ ନିର୍ବାଚନରେ ବିଜେଡି, ବୈଜୟନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ, ଏଥର ବୈଜୟନ୍ତ ବିଜେପିରୁ ଏହି ଆସନରେ ଲଢୁଛନ୍ତି । ଆଉ କେନ୍ଦ୍ରାପଡାରେ କଡା ଟକ୍କର ହେବାକୁ ଯାଉଥିବା ବେଳେ, ବିଜେଡି ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ସେପଟେ ଜଗତସିଂହପୁରରେ ମଧ୍ୟ ପ୍ରାର୍ଥୀ ବଦଳାଇଛି ଦଳ । ଗତ ନିର୍ବାଚନରେ କୁଳମଣି ସାମଲ ଜଗତସିଂହପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ, ଏଥର ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ଦଳ ।

ସମ୍ବଲପୁର ଲୋକସଭା ଆସନ ପାଇଁ ଏଥର ନଳିନୀକାନ୍ତ ପ୍ରଧାନଙ୍କୁ ବିଜେଡି ପ୍ରାର୍ଥୀ କରିଛି । ୨୦୧୪ ନିର୍ବାଚନରେ ଏହି ଆସନରୁ ନଗେନ୍ଦ୍ର ପ୍ରଧାନ ବିଜେଡି ପ୍ରାର୍ଥୀ ହୋଇଥିଲେ । ସେହିପରି ଭଦ୍ରକ ଲୋକସଭା ଆସନରେ ଗତ ନିର୍ବାଚନରେ ଅର୍ଜୁନ ଚରଣ ସେଠୀଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ଏଥର ମଞ୍ଜୁଲତା ମଣ୍ଡଳଙ୍କୁ ମିଳିଛି ଶଙ୍ଖ ଟିକେଟ୍ । ସେପଟେ ମୟୂରଭଞ୍ଜ ଲୋକସଭା ଆସନରେ ମଧ୍ୟ ଏଥର ପ୍ରାର୍ଥୀ ବଦଳାଇଛି ଦଳ । ଗତ ନିର୍ବାଚନରେ ଦଳ ରାମଚନ୍ଦ୍ର ହାସଁଦାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏଥର ଦେବାଶିଷ ମାରାଣ୍ଡିଙ୍କୁ ମିଳିଛି ଶଙ୍ଖ ଟିକେଟ୍ ।