ଜମୁଛି ବରଗଡ ଧନୁଯାତ୍ରା: ଗୋପପୁରରେ ଚାଲିଛି କୃଷ୍ଣ-ବଳରାମଙ୍କ ଲୀଳାଖେଳା ସେପଟେ କୃଷ୍ଣଙ୍କର ହତ୍ୟା ପାଇଁ ଷଡଯନ୍ତ୍ର ରଚୁଛନ୍ତି ମଥୁରା ନରେଶ

41

କନକ ବ୍ୟୁରୋ: ବରଗଡ ଧନୁଯାତ୍ରାର ଆଜି ଷଷ୍ଠ ଦିନ । ଧନୁଯାତ୍ରାରେ ବରଗଡର ଗୋପପୁର ଓ ମଥୁରାନଗରୀ ଉଠୁଛିପଡୁଛି । ଗୋପପୁରରେ କୃଷ୍ଣ-ବଳରାମଙ୍କ ବାଲ୍ୟଲୀଳା ଚାଲିଛି । କୃଷ୍ଣ କେତେବେଳେ ଲହୁଣୀ ଚୋରୀ କରୁଛନ୍ତି ତ ଆଉ କେତେବେଳେ ଗୋପାଳ ବାଳକଙ୍କ ସହ ବଣଭୋଜିରେ ମାତିଛନ୍ତି । ଆଉ ଅଭିନୀତ ହୋଇଛି ଯମାଳାର୍ଜୁନ ଭଞ୍ଜନ ଓ କାଳୀୟ ଦଳନ । ବ୍ରହ୍ମା ଗୋପୀ ତଥା ରାଧାଙ୍କୁ ବିମୋହିତ କରିବା ପାଇଁ କୃଷ୍ଣଙ୍କୁ ମୋହନ ବଂଶୀ ଦେଇଛନ୍ତି ।

ଏପଟେ ଗୋପୀ ଗୋପାଙ୍ଗନାମାନେ କୃଷ୍ଣଙ୍କଠାରୁ ଲୁଚିଛପି ଯମୁନା ପାର ହୋଇ ମଥୁରାରେ ଦହିବିକ୍ରୀ କରିବାକୁ ପଂହଚିଛନ୍ତି । ସେପଟେ କଂସ କୃଷ୍ଣଙ୍କୁ ନିହତ କରିବା ଉଦ୍ଦେଶ୍ୟରେ ରଙ୍ଗସଭା ଆୟୋଜନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ମଗଧ ଆକ୍ରମଣ କରି ଜରାସନ୍ଧଙ୍କୁ ପରାସ୍ତ କରିଛନ୍ତି ଓ ତାଙ୍କର ଦୁଇ ଝିଅ ହେତି ଓ ପ୍ରହେତିଙ୍କୁ ବିବାହ କରିଛନ୍ତି ।

କଂସ ଦରବାରରୁ ହଳଧରଙ୍କ ଦାବି

ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଚତୁର୍ଥ ସଂଧ୍ୟାରେ ମହାରାଜା କଂସଙ୍କ ରାଜଅତିଥି ଭାବେ ଯୋଗ ଦେଇଥିଲେ ପଦ୍ମଶ୍ରୀ ହଳଧର ନାଗ ଏବଂ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ କୃପାସିନ୍ଧୁ ମିଶ୍ର। ହଳଧର ନାଗ କଂସ ମହାରାଜଙ୍କ ଦରବାରରୁ ଦୁଇଟି ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି। ପ୍ରଥମେ ହଳଧର ଉଠାଇଛନ୍ତି ବରଗଡ଼ (ମଥୁରାନଗରୀ)ରେ କ୍ୟାନସର ହସ୍ପିଟାଲ ସ୍ଥାପନ ପ୍ରସଂଗ। ଭାରତରେ ଦ୍ବିତୀୟ କ୍ୟାନସର ହସ୍ପିଟାଲ ସିଟି ଭାବେ ବରଗଡ଼ ପରିଚିତ। ଟାଟା ମେମୋରିଆଲ ଟ୍ରଷ୍ଟ ପୂର୍ବ ଓଡ଼ିଶାରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଯାଉଛି। ପୂର୍ବ ଓଡ଼ିଶାରେ ଆଗରୁ ଦୁଇଟି କ୍ୟାନସର ହସ୍ପିଟାଲ ରହିଛି। ତେଣୁ ସେଠାରେ ଆଉ କ୍ୟାନସର ହସ୍ପିଟାଲ ଖୋଲିବା ଯୁକ୍ତିଯୁକ୍ତ ନୁହେଁ।

ବରଗଡ଼ ଏଥିପାଇଁ ଦାବିଦାର। ଏଠାରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ନହେଲେ ନବୀନ ନିବାସ ବଗିଚାରେ ଧାରଣାରେ ବସିବି ବୋଲି ହଳଧର ନାଗ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାକୁ ସମ୍ବଲପୁରୀ/କୋଶଲି ଭାଷାରେ ପରିବେଷଣ କରିବାକୁ ହଳଧର ନାଗ ଦାବି ରଖିଛନ୍ତି। ଜାତିସଂଘରେ ଓଡ଼ିଶା ହୀରାକୁଦ, ଭୀମଭୋଇ ଏବଂ ଧନୁଯାତ୍ରା ପାଇଁ ପ୍ରସିଦ୍ଧ। ତେଣୁ ମାଟିର ମର‌୍ୟ୍ୟାଦା ରଖିବାକୁ ହେଲେ ଆମର ମାତୃଭାଷାରେ ଧନୁଯାତ୍ରା ପରିବେଷିତ ହେବା ଉଚିତ ବୋଲି ସେ ଦୃଢ଼ ଦାବି ରଖିଛନ୍ତି।

Comments are closed.