ନୂଆ ସରକାରରେ ସ୍ୱାସ୍ଥ୍ୟକୁ ଫୋକସ୍: ବଢ଼ିଲା ସ୍ୱାସ୍ଥ୍ୟସେବା ପାଇଁ ବ୍ୟୟବରାଦ, ମଳିବ ୧୦ ଲକ୍ଷର ସୁବିଧା

235

କନକ ବ୍ୟୁରୋ: ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ଗୃହରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ବଜେଟରେ ଚାଷୀଙ୍କୁ ଫୋକସ ଦେବା ସହ ସ୍ୱାସ୍ଥ୍ୟକୁ ମଧ୍ୟ ଅଧିକ ଫୋକସ ଦେଇଛନ୍ତି ରାଜ୍ୟ ସରକାର । ନବୀନଙ୍କ ପଞ୍ଚମ ପାଳିରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ଗୁରତ୍ୱ ଦିଆଯାଇଛି । ତେବେ ଚଳିତ ବଜେଟରେ ସ୍ୱାସ୍ଥ୍ୟ ସେବା ପାଇଁ ମୋଟ ୬ ହଜାର ୮୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଯାହାକି ଗତ ବର୍ଷ ତୁଳନାରେ ୧୦ ପ୍ରତିଶତଦ ଅଧିକ ।

ତେବେ ଚଳିତ ବଜେଟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧ ହଜାର ୨୦୩ କୋଟି ବ୍ୟୟବରାଦ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ସମସ୍ତ ଲୋକ ମାଗଣାରେ ସ୍ୱାସ୍ଥ୍ୟ ସେବା ସୁବିଧା ପାଇ ପାରୁଛନ୍ତି । ଗତଥର ଲାଗୁ ହୋଇଥିବା ଏହି ଯୋଜନରେ ସମସ୍ତଙ୍କୁ ମାଗଣାରେ ଚିକିତ୍ସା କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ୭୦ ଲକ୍ଷ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରମାନଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କିମ୍ବା ବାହାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ମହିଳା ମାନଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ ବୀମା ସହାୟତା ପ୍ରଦାନ କରାଯାଉଛି ।

ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ମାଧ୍ୟମରେ ଭିତ୍ତିଭୂମିର ବିକାଶ ପାଇଁ ୫ ଶହ ୭୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଜାତୀୟ ସ୍ୱାସ୍ଥ୍ୟ ସେବା ମିଶନ ଅଧିନରେ ଆମ୍ବୁଲାନ୍ସ ସେବା ପାଇଁ ୧ ହଜାର ୩ ଶହ ୬୫ କୋଟି ବ୍ୟୟବରାଦ କରାଯାଇଛି ।
୧୦ଟି ଭେଷଜ ମହାବିଦ୍ୟାଳୟ ସ୍ଥାପନ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ପ୍ରତ୍ୟେକ କଲେଜରେ ୧୦୦ ଡାକ୍ତରୀ ଛାତ୍ର ପଢିବେ । ତେବେ ଏଥିପାଇଁ ୪୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।