ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟ୍ । ଓଡିଶାରେ ସନ୍ଧ୍ୟା ୬ଟା ସୁଦ୍ଧା ୬୮ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଲେ ନିର୍ବାଚନ କମିଶନ ।

153

କନକ ବ୍ୟୁରୋ : ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଜନତା । ଇଭିଏମରେ ସିଲ ହୋଇଛି ନେତାଙ୍କ ଭାଗ୍ୟ । ତେବେ ଓଡିଶାରେ ସନ୍ଧ୍ୟା ୬ଟା ସୁଦ୍ଧା ୬୮ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ନିର୍ବାଚନ କମିଶନ ଏନେଇ ସୂଚନା ଦେଇଛନ୍ତି । ତେବେ ମତଦାନ ହାର ଆହୁରି ବଢିବାର ମଧ୍ୟ ସମ୍ଭାବନା ରହିଛି । ଓଡିଶାର ୪ଟି ଲୋକସଭା ଆସନ ସମେତ ୨୮ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଜନତା । ଆଜି ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା ।ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ଯେ ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ୬୮ ପ୍ରତିଶତ ମତଦାନ ହୋଇଛି । ଭୋଟ୍ ପ୍ରତିଶତ ଆହୁରି  ବଢିପାରେ ବୋଲି ସେ କହିଛନ୍ତି । ସୂଚନା ଅନୁଯାୟୀ, ଗତ ୨୦୧୪ ନିର୍ବାଚନରେ ଓଡିଶାରେ ୭୩ ପ୍ରତିଶତ ମତଦାନ ହୋଇଥିଲା ।

ପ୍ରଥମ ପର୍ଯ୍ୟାୟରେ ୨୦ଟି ରାଜ୍ୟର ୯୧ଟି ଲୋକସଭା ଆସନରେ ଆଜି ହୋଇଛି  ଭୋଟଗ୍ରହଣ । ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଏହାରି ଭିତରେ ସମସ୍ତଙ୍କ ଅପେକ୍ଷା ଆସନ୍ତା ମେ ମାସ ୨୩ ତାରିଖକୁ । ଯେତେବେଳେ ସ୍ପଷ୍ଟ ହୋଇଯିବ ଜନମତ କାହା ସପକ୍ଷରେ ଯାଉଛି, କାହାକୁ ଭରସୁଛନ୍ତି ଭୋଟର ।