ନୂଆ ଜୀବନ ପାଇଲା ନାତି ! ଜୀବନ ବଂଚାଇଲେ ଜେଜେମା

51

କନକ ବ୍ୟୁରୋ : ନାତି ପ୍ରତିଥିବା ଜେଜେମାର ସ୍ନେହ, ଜେଜେମା ପ୍ରତି ନାତିର ଥିବା ଭଲ ପାଇବା । ଏମିତି ଅନେକ କାହାଣୀ ଶୁଣିଥିବେ, ପଢ଼ିଥିବେ । ହେଲେ ଆପଣ ଜାଣନ୍ତି- ନାତିର ଜୀବନ ପାଇଁ ଜେଜେମା ନିଜର ଜୀବନକୁ ବି ବାଜି ଲଗାଇ ଦେଇପାରେ । ବିଶ୍ୱାସ ହେଉନି ? ଠିକ୍ ଏଭଳି ଏକ ଘଟଣା ଘଟିଛି କଟକ ବାଙ୍କୀରେ । ଯେଉଁଠି ନାତିର ଜୀବନ ପାଇଁ ୩୦ ଫୁଟର କୂଅକୁ ଡେଇଁ ପଡ଼ିଲେ ୬୬ ବର୍ଷିୟ ଜେଜେମା ।

ଘର ବାଡ଼ିପଟରେ ଖୋଲାକୁଅ । ସବୁ ଦିନ ଭଳି କୂଅ ପାଖରେ ଖେଳୁଥିଲେ କୁନି ପୁଅ । ପାଖରେ ଥାନ୍ତି-ଜେଜେମା । ହେଲେ ଖେଳକୁଦ ଭିତରେ କେତେବେଳେ ୩୦ ଫୁଟର ଗଭୀର କୁଅରେ ପଡ଼ିଗଲେ ତିନି ବର୍ଷର ନାତି, ଜେଜେମାଙ୍କ ଖିଆଲ ନାହିଁ । ହଠାତ୍ ଜୋର ଶବ୍ଦ ଶୁଭିଲା, ଆଉ କୂଅକୁ ଅନାଇ ଦେଲାବେଳକୁ ପାଣିରେ କୁନି ପୁଅ । ଜେଜେମା ପାଖରେ ଆଉ କୌଣସି ବିକଳ୍ପ ନଥିଲା । ନାତିକୁ ବଂଚାଇବା ପାଇଁ ଡେଇଁ ପଡ଼ିଲେ ଜେଜେମା ।

କୁନି ପିଲା ଜଣକ ହେଉଛନ୍ତି କଟକ ବାଙ୍କୀ ଚର୍ଚ୍ଚିକା ମନ୍ଦିର ସାହିର ସାଇ ପ୍ରସାଦ ରଣା । ଆଉ ଯାହାଙ୍କ ସାହସ ଆଗରେ ବୟସ ହାର ମାନିଲା ସେ ହେଉଛନ୍ତି-୬୬ ବର୍ଷିୟ ପ୍ରମିଣା ରଣା । ଜେଜେ ମା’ ସଫା କରୁଥିବା ବେଳେ କୂଅ ପାଖକୁ ଚାଲିଆସିଥିଲା ସାଇ ପ୍ରସାଦ । ଖେଳୁ ଖେଲୁ କୂଅର ବାଡ ଉପରେ ଚଢି ଯାଇଥିଲେ । ଜେଜେ ମା ଓ ସାଇ ପ୍ରସାଦ କୂଅରେ ପଡିଥିବା ବେଳେ ପାଟି କରି ଡାକ ପକାଇଥିଲା ନାତୁଣୀ । ଘଟଣାସ୍ଥଳରେ ସାହି ପଡିଶା ଲୋକ ପହଁଚି ଶିଡି ପକାଇ ଉଭୟ ନାତି ଓ ଜେଜେମାଙ୍କୁ ଉଦ୍ଧାର କରିଥିଲେ । ନାତିକୁ ଜେଜେମା ଭଲ ପାଇବାର ଅନେକ ନଜିର ଆପଣ ଦେଖିଥିବେ, ହେଲେ ନାତିର ଜୀବନ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେବା ନଜିର ହୁଏତ ଅତି ବିରଳ ।