ଯାଇଥିଲେ ଭତ୍ତା ପାଇଁ, ଫେରିଲେ ଶବ ହୋଇ । ଆଶା ପୂରଣ ହେବା ପୂର୍ବରୁ ଆଖି ବୁଜିଦେଲେ ୬୫ ବର୍ଷୀୟ ବୃଦ୍ଧ ।

51

କନକ ବ୍ୟୁରୋ: ଭତ୍ତା ପାଇଁ ଜିଲ୍ଲପାଳଙ୍କ ପାଖକୁ ଗୁହାରୀ କରିବା ପାଇଁ ଯାଇଥିଲେ ଆଉ ଶବ ହୋଇ ଗାଁକୁ ଫେରିଲେ । ଭତ୍ତା ଦେଖିବା ପୂର୍ବରୁ ଦୁନିଆ ଛାଡ଼ିଲେ ବଲାଙ୍ଗିର ପାଟଣାଗଡର ୬୫ ବର୍ଷୀୟ ପୁରନ୍ଦର ବାଗ୍ । ଭତ୍ତା ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କରିବା ପାଇଁ ବାଲିପଟା ଗାଁରୁ ପାଟଣାଗଡ ଏନଏସିକୁ ଯାଇଥିଲେ । ଜିଲ୍ଲାପାଳଙ୍କୁ ଭେଟି ମନ କଥା କହିବା ପରେ ଗାଁକୁ ଅନେକ ଆଶା ନେଇ ଫେରୁଥିଲେ । ହେଲେ କାଳରୂପୀ ଜମ ବାଟରେ ଅନେକଇ ବସିଥିଲା ଆଉ ଆଶା ପୁରଣ ହେବା ପୂର୍ବରୁ ଆଖି ବୁଜିଦେଲେ ୬୫ ବର୍ଷୀୟ ବୃଦ୍ଧ ପୁରନ୍ଦର ବାଗ୍ ।

ଏଭଳି ଦୁଃଖଦ ଘଟଣା ଘିଟିଛି ବାଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ । ଭୋକ ଉପାସରେ ଭତ୍ତା ପାଇଁ ଦୌଡି ଆସିଥିଲେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରକୁ । ହେଲେ କିଏ ଜାଣିଥିଲା ଅଫିସ ଆଗରେ ଜଗି ବସିଥିଲା ଜମ । ବଲାଙ୍ଗିର ଜିଲ୍ଲାପାଳଙ୍କ ପାଖରେ ଗୁହାରି କରି ଫେରୁଥିବା ବେଳେ ଅଚାନକ୍ ଅଚେତ ହୋଇପଡିଥିଲେ ପାଟଣାଗଡ ବାଲିପଟା ପଂଚାୟତର ପୁରନ୍ଦର ବାଗ୍ । କେହି କିଛି ବୁଝିବା ଆଗରୁ ପାଟଣାଗଡ ବ୍ରହ୍ମପୁରା ଠାରେ ଆଖି ବୁଜି ସାରିଥିଲେ ପୁରନ୍ଦର ।

୪ ବର୍ଷ ହେଲା ଗାଁର କିଛି ବୃଦ୍ଧମାନେ ଭତା ଗଣ୍ଡାଏ ପାଇଁ ବାରଦୁଆର ବୁଲିଛନ୍ତି । କେତେବେଳେ ସ୍ଥାନୀୟ ଜନପ୍ରତିନିଧି ତ କେତେବେଳେ ବ୍ଲକ ପ୍ରଶାସନକୁ ଭେଟି ଦୁଃଖ ଜଣାଇଛନ୍ତି । ହେଲେ ନିରୋଳା ଆଶ୍ୱାସନା ଛଡା ଆଉ କିଛି ପାଇ ନାହାନ୍ତି ବୟସର ଶେଷ ପାହାଚରେ ଥିବା ବୃଦ୍ଧ ମଣିଷ । ଶେଷରେ ଭତ୍ତା ଆଶା ନେଇ ଜିଲ୍ଲାପାଳଙ୍କ ପାଖକୁ ଆସିଥିବା ବେଳେ ସାଥ ଦେଲାନି ସମୟ ଓ ଜୀବନ । କେବଳ ସେତିକି ନୁହେଁ ଭତ୍ତା ପାଇଁ ଗୁହାରି କରିବାକୁ ଆସିଥିବା ସମସ୍ତ ବୃଦ୍ଧ ଥିଲେ ଭୋକିଲା । ପ୍ରଥମେ ସେମାନଙ୍କ ଖାଇବାକୁ ଦେବା ସହ ପୁରନ୍ଦରଙ୍କ ମୃତଦେହକୁ ଏକ ଗାଡି ଯୋଗେ ଗାଁକୁ ପଠାଇବା ପାଇଁ ବ୍ୟବସ୍ଥା କରିଥିଲେ ଆମ ପ୍ରତିନିଧି ପ୍ରବୀଣ ପୁରୋହିତ ।