କୁନି ଓଠରେ ଭଗବତ୍ ବନ୍ଦନା ! ମାତ୍ର ୬ ବର୍ଷ ବୟସରେ ଅନର୍ଗଳ ଭାଗବତ ଗାନ କରୁଛନ୍ତି ଯାଜପୁରର ବିରଜା

642

କନକ ବ୍ୟୁରୋ : କୁନି ପ୍ରବଚକ । କୁନି ଓଠରେ ଭଗବତ୍ ଚର୍ଚ୍ଚା । ଅତି କମ ବୟସରେ ଓଡ଼ିଆ ଜାତିର ପ୍ରାଣ, ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତ ପୁରାପୁରି ମୁଖସ୍ତ । ଦରୋଟି ଓଠରେ ଅନର୍ଗଳ ଭାଗବତ ଗାନ କରୁଛନ୍ତି ଯାଜପୁର ଜିଲ୍ଳାର ମଙ୍ଗରାଜପୁର ଗାଁର ବିରଜା ଶଙ୍କର ପାଢୀ । ବୟସ ସିନା କମ୍ ହେଲେ କଅଁଳ ବୟସରେ ଚାଲିଛି ଆଧ୍ୟାତ୍ମିକ ଚର୍ଚ୍ଚା । ପିଲାବେଳୁ ଭକ୍ତି ରସରେ ଗଦଗଦ୍ ବିରଜା । ଭାଗବତର ମାହାତ୍ମ୍ୟ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ । ତଥାପି ମୁହେଁ ମୁହେଁ ଭାଗବତ ବାଣୀ ।

ବିରଜା ଶଙ୍କର ପାଢୀ । ବୟସ ମାତ୍ର ୬ବର୍ଷ ।  ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରଥମ ଶ୍ରେଣୀର ଛାତ୍ର ବିରଜା । ପିଲାବେଳୁ ଆଧ୍ୟାତ୍ମିକ ଭାବରେ ବନ୍ଧା । କୁନି ବୟସର ପୁଅ ଠାରେ ଲୁଚି ରହିଛି ବିରଳ ପ୍ରତିଭା । ଖୁବ କମ୍ ବୟସରୁ ଅନର୍ଗଳ ଭାଗବତ ଗାନ କରି ଚର୍ଚ୍ଚାରେ ବିରଜା ଶଙ୍କର । ଯାଜପୁର ବ୍ଲକ ରୁଦ୍ରପୁର ପଂଚାୟତ ବଡବାଗସାହି ଗାଁର ଅଶୋକ ପାଢୀଙ୍କ ପୁଅ ବିରଜା । ହେଲେ ସେ ପିଲାଟି ଦିନରୁ ମାମୁଁଘର ରସୁଲପୁର ବ୍ଲକ ମଙ୍ଗରାଜପୁରରେ ରହିଆସୁଛନ୍ତି । ପ୍ରତିଦିନ ସକାଳେ ବିରଜାଙ୍କ ମାମୁଁ ଘରେ ହୁଏ ଭାଗବତ ଚର୍ଚ୍ଚା । ଆଧ୍ୟାତ୍ମିକ ପରିବେଶରୁ ଆରମ୍ଭ ହୁଏ ଦିନଚର୍ଯ୍ୟା । ପ୍ରତିଦିନ ସକାଳ,ସନ୍ଧ୍ୟାରେ ତାଙ୍କ ମାମୁଁ, ଆଈ, ମାଉସୀ ଭାଗବତ ପଢ଼ନ୍ତି । ଆଉ ତାହା ଦେଖି ଭାଗବତ ପଢିବା ଓ ଗାଇବା ପ୍ରତି ଆକୃଷ୍ଟ ହୋଇଥିଲେ ବିରଜା ।  ନିତିଦିନ ଅଭ୍ୟାସ ଯୋଗୁଁ ସମ୍ପୂର୍ଣ୍ଣ ଭାଗବତ ମୁଖସ୍ତ କରିବାରେ ସକ୍ଷମ ହୋଇଛନ୍ତି ବିରଜା । ଖେଳିବା ବୁଲିବା ଆଉ ଦୁଷ୍ଟାମୀ କରିବା ବୟସରେ ତାଙ୍କ ମୁହଁରୁ ଶୁଣିବାକୁ ମିଳୁଛି ଜଗନ୍ନାଥ ଦାସଙ୍କ ଭାଗବତ ବାଣୀ ।

ବିରଜାଙ୍କ ମା ଜଣେ ଭିନ୍ନକ୍ଷମ ମହିଳା । ନା କଥା କହିପାରନ୍ତି ନା ଶୁଣିପାରନ୍ତି ନାହିଁ । ବାପା ବାହାରେ ରହି ଏକ କମ୍ପାନୀରେ ସୁପରଭାଇଜର କାମ କରନ୍ତି । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ପିଲାଦିନୁ ବିରଜା ମାଙ୍କ ସହ ମାମୁଁ ଘରେ ରହି ପାଠ ପଢୁଛନ୍ତି । ଭାଗବତ ଗାନ କରି ସେ ଅନେକ ପୁରସ୍କାର ପାଇଛନ୍ତି । ବିରଜା ନିଜ ଆଇଙ୍କ ସହ ଦିଲ୍ଲୀ, ପୁରୀ ଭଳି ସ୍ଥାନରେ ଭାଗବତ ଗାଇ ବେଶ୍ ସୁନାମ ଅର୍ଜନ କରିବା ସହ ପୁରସ୍କାର ଓ ମାନପତ୍ର ମଧ୍ୟ ପାଇଛନ୍ତି । ବର୍ତ୍ତମାନ ସମୟରେ ଭାଗବତର ମାହାତ୍ମ୍ୟକୁ ବୁଝିନଥିଲେ ମଧ୍ୟ ବଡହେଲେ ଗାଁ ଗହଳିରେ ବୁଲି ଭାଗବତର ପ୍ରଚାର ପ୍ରସାର କରିବେ ବୋଲି ସେ କହିଛନ୍ତି । ଛୋଟପିଲା ବିରଜାଙ୍କ ଏପରି ଆଧ୍ୟାତ୍ମିକ ଚିନ୍ତନ ଭବିଷ୍ୟତରେ ତାଙ୍କୁ ଜଣେ ସଫଳ ମଣିଷ କରି ଗଢିତୋଳିବ ବୋଲି ଆଶା କରାଯାଉଛି ।