ଝିଅ ହେବ ତ ଏମିତି ! ସ୍ୱାମୀ ପକ୍ଷାଘାତ ରୋଗରେ ପଡିବାରୁ ଘର ଛାଡି ଚାଲିଗଲା ସ୍ତ୍ରୀ, ବାପାଙ୍କ ଦେଖାଶୁଣା କରୁଛି ୬ ବର୍ଷର ଝିଅ

73

ଲୋକେ କୁହନ୍ତି କୌଣସି ଅଭିଯୋଗ ନ କରି ଜୀବନକୁ ଖୁସିର ସହ ବଞ୍ଚିବା ଶିଖ । ଯାହା ଭଗବାନ ଦେଇଛନ୍ତି ସେଥିରେ ଖୁସି ହେବା ଶିଖ । ଏତେ ଛୋଟ କଥାଟିକୁ ଅନେକ ବଡ଼ ବଡ଼ ଲୋକ ବୁଝି ପାରି ନଥିବା ବେଳେ ଚୀନ୍ର ଜଣେ ୬ବର୍ଷୀୟ ନାବାଳିକା ଏହାକୁ ଭଲ ଭାବରେ ବୁଝି ପାରିଛି । ପୂର୍ବରୁ ସୋସିଆଲ ମିଡ଼ିଆରେ ଅନେକ ଫଟୋ ଭାଇରାଲ ହୋଇଛି । କିନ୍ତୁ ଚୀନରେ ରହୁଥିବା ଜିଆ ଜିଆଙ୍କ ଫଟୋ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି ।

ଜନ୍ମକଲା ମା’ ସ୍ୱାର୍ଥପର ହୋଇ ପକ୍ଷାଘାତ ରୋଗରେ ପୀଡ଼ିତ ଥିବା ସ୍ୱାମୀ କଥା ନ ଭାବି ବଡ଼ ପୁଅକୁ ସଙ୍ଗରେ ଧରି ଘର ଛାଡ଼ି ଚାଲି ଯାଇଥିଲେ । ଯାହା ପରେ ଝିଅ ଜିଆ ନିଜ ବାପାଙ୍କ ଦେଖାଶୁଣା ଆରମ୍ଭ କରିଥିଲେ । ପ୍ରତିଦିନ ଜିଆ ସକାଳ ୬ଟାରେ ଉଠି ବାପାଙ୍କୁ ମାଲିସ କରିବା ପରେ ସ୍କୁଲ ବାହାରିଥାନ୍ତି । ଜିଆ ସ୍କୁଲରେ ଥିବା ସମୟରେ ଜିଆଙ୍କ ଜେଜେମା’ ଏବଂ ଜେଜେବାପା ତାଙ୍କ ବାପାଙ୍କର ଯତ୍ନ ନେଇଥାନ୍ତି । ଜିଆଙ୍କ କାହାଣୀ ବିଷୟରେ ଜଣା ପଡ଼ିବା ପରେ ତାଙ୍କୁ କିଛି ଲୋକ ସେ ତାଙ୍କ ମା’ଙ୍କୁ ମନେ ପକାଉଛନ୍ତି କି ନାହିଁ ବୋଲି ପଚାରିଥିଲେ । ଯାହାର କଡ଼ା ଜବାବ ଦେଇ, ମୁଁ ତାଙ୍କୁ ମନେ ପକାଉ ନାହିଁ । କାରଣ ସେ ମୋ ବାପାଙ୍କ କଥା ନ ଭାବି ଘର ଛାଡ଼ି ଚାଲିଗଲେ ବୋଲି ଜିଆ ନିଜର ଉତ୍ତର ରଖିଥିଲେ ।

ସୂଚନା ମୁତାବକ, ମାର୍ଚ୍ଚ ୨୦୧୬ରେ ଜିଆଙ୍କ ବାପା ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଛାତିଠାରୁ ତଳକୁ ତାଙ୍କର କୌଣସି ଅଙ୍ଗ କାମ କରି ନଥିଲା । ମା’ ଯିବା ପରେ ଜିଆ ହିଁ ତାଙ୍କ ବାପାଙ୍କର ସାହାରା ବନିଥିବା ବେଳେ ଏବେ ସେ ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।