ଦିଲ୍ଲୀ ପରେ ଓଡିଶା: ୬ଟି ସହରକୁ ନେଇ ଭାରତ ସରକାରଙ୍କ ରିପୋର୍ଟ ପରେ ଚିକାଗୋ ବିଶ୍ୱବିଦ୍ୟାଳୟର ରିପୋର୍ଟ । ଟ୍ୱିନ୍ ସିଟି ସହ ଅନୁଗୁଳ, ବାଲେଶ୍ୱର, ତାଲଚେର ଓ ରାଉରକେଲାର ସ୍ଥିତି ସଂଗୀନ

907

କନକ ବ୍ୟୁରୋ: ଦେଶରେ ଏବେ ଚିନ୍ତା ବଢାଇଛି ପ୍ରଦୂଷଣ । ଦିଲ୍ଲୀର ସ୍ଥିତି ଅସମ୍ଭାଳ ହୋଇ ପଡିଥିବା ବେଳେ ରାଜ୍ୟରେ ବି ଏହି ବାୟୁ ପ୍ରଦୂଷଣ ସ୍ଥିତି ଦେଖାଦେଇଛି । ତେବେ ପ୍ରଦୂଷିତ ତାଲିକାରେ ରାଜ୍ୟର ୬ଟି ସହର ରହିଛି ।

ଭାରତ ସରକାରଙ୍କ ଜାତୀୟ ବିଶୁଦ୍ଧ ବାୟୁ କାର୍ଯ୍ୟକ୍ରମ – ନ୍ୟାସନାଲ କ୍ଲିନ ଏୟାର ପ୍ରୋଗ୍ରାମର ତଥ୍ୟ ଅନୁସାରେ ଓଡିଶାର ୬ଟି ସହରକୁ ପ୍ରମୁଖ ପ୍ରଦୂଷିତ ସହର ତାଲିକାରେ ରଖିଛନ୍ତି । ଦେଶର ୧୦୨ଟି ପ୍ରମୁଖ ପ୍ରଦୂଷିତ ସହର ତାଲିକା ମଧ୍ୟରେ ରହିଛି – ଅନୁଗୁଳ, ବାଲେଶ୍ୱର, ଭୁବନେଶ୍ୱର, କଟକ, ରାଉରକେଲା ଓ ତାଳଚେର । ତେବେ ଓଡିଶାର ଏହି ୬ଟି ସହର ପ୍ରଦୂଷଣର ବଳୟ ଭିତରେ ଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଏହା ଚିନ୍ତାଜନକ ହୋଇପଡିଛି । ଭାରତ ସରକାରଙ୍କ ଏହି ତାଲିକା ପରେ ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟ ମଧ୍ୟ ଅନୁରୂପ ରିପୋର୍ଟ ପ୍ରକାଶ କରିଛି ।

ଚିକାଗୋ ବିଶ୍ୱବିଦ୍ୟାଳୟର ବାୟୁ ପ୍ରଦୂଷଣ ମାନକ ରିପୋର୍ଟ ଅନୁସାରେ ଏହି ସହର ଗୁଡିକର ପ୍ରଦୂଷଣ ମାତ୍ରା ବି ବେଶ ଉଦବେଗ ଜନକ । ରିପୋର୍ଟ ଅନୁସାରେ ଦେଶର ମାନକ ପ୍ରଦୂଷଣ ମାତ୍ରା ୪୦ ରହିଛି ଏବଂ ଅନୁଗୁଳର ପ୍ରଦୂଷଣ ମାତ୍ରା ୩୮.୯୭, ବାଲେଶ୍ୱରର ପ୍ରଦୂଷଣ ମାତ୍ରା ୪୨.୭୭ ରହିଥିବା ବେଳେ ଭୁବନେଶ୍ୱରର ପ୍ରଦୂଷଣ ମାତ୍ରା ୩୭.୩୮ ରହିଛି । ସେହିପରି କଟକର ପ୍ରଦୂଷଣ ମାତ୍ରା ୩୮.୯୦, ରାଉରକେଲାର ପ୍ରଦୂଷଣ ମାତ୍ରା ୪୫.୫୩ ଏବଂ ତାଳଚେରର ପ୍ରଦୂଷଣ ମାତ୍ରା ୩୮.୯୭ ରହିଛି ।

ତେବେ ବିଶେଷଜ୍ଞଙ୍କ ମତରେ ପ୍ରଦୂଷଣ ଯୋଗୁଁ ବିଶ୍ୱରେ ମଣିଷର ଜୀବନକାଳ ମଧ୍ୟ କମିବାରେ ଲାଗିଛି । ଏହା ସିଗାରେଟ ଜନିତ କୁପ୍ରଭାବଠୁ ବି ଭୟଙ୍କର ହୋଇଯାଇଛି । ପ୍ରଦୂଷଣଠାରୁ କୌଣସି ବଡ ବିପଦ ମାନବ ସମାଜ ପାଇଁ ନାହିଁ । ହିସାବ ଅନୁସାରେ ଭାରତରେ ପ୍ରଦୂଷଣ କାରଣରୁ ପ୍ରତିବର୍ଷ ପ୍ରାୟ ୧୩ଲକ୍ଷ ଲୋକଙ୍କ ଜୀବନହାନୀ ଘଟୁଛି ।