ଗୋଟିଏ ଦିନରେ ସର୍ପାଘାତରେ ୬ ମୃତ: ଅନୁଗୁଳରେ ସାପ କାମୁଡାରେ ଚାଲିଗଲା ଯାଆଁଳ ଭଉଣୀଙ୍କ ଜୀବନ

ବ୍ରହ୍ମପୁରରେ ବି ଆଖିବୁଜିଲେ ୨ ଜଣ; ଯାଜପୁର ଓ କେନ୍ଦୁଝର ତେଲକୋଇରେ ଜଣକର ମୃତ୍ୟୁ

2,464

କନକ ବ୍ୟୁରୋ: ଆଜି ରାଜ୍ୟରେ ଅଲଗା ଅଲଗା ସ୍ଥାନରେ ସାପ କାମୁଡାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳରେ ସାପ କାମୁଡାରେ ୨ ଭଉଣୀଙ୍କ ମୃତ୍ୟୁ ହୋଇଛି । ବେନ୍ତପୁର ଗାଁର ସୁମନ୍ତ ସାହୁଙ୍କ ୨ ଯାଆଁଳ ଝିଅ ରାତିରେ ଶୋଇଥିବା ବେଳେ ସାପ କାମୁଡିଦେଇଥିଲା । ତାଙ୍କୁ କଟକ ସ୍ଥାନାନ୍ତର ବେଳେ ତାଙ୍କର ମୃତ୍ୟୁ ହୋଇଛି ।

ସେହିପରି ବ୍ରହ୍ମପୁରରେ ମଧ୍ୟ ସାପ କାମୁଡାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବିନୁଆଁପଲ୍ଲୀ ଗାଁରେ ସାପ କାମୁଡାରେ ମାଆ ଏବଂ ପୁଅର ମୃତ୍ୟୁ ଘଟିଛି । ରାତିରେ ଶୋଇଥିବା ସମୟରେ ସାପ କାମୁଡି ଦେଇଥିଲା ଏବଂ ମାଆ-ପୁଅଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେହିଭଳି ଯାଜପୁରରେ ବି ସର୍ପାଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଯାଜପୁର ଥାନା ପ୍ରହରାଜପୁର ଗାଁର ମହେଶ୍ୱର ସାମଲ । ରାତିରେ ଶୋଇଥିବା ସମୟରେ ତାଙ୍କୁ କୌଣସି ଏକ ବିଷଧର ସାପ କାମୁଡି ଦେଇଥିଲା । ଫଳରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ ମହେଶ୍ୱର । ଗୁରୁତର ଅବସ୍ଥାରେ ମହେଶ୍ୱରଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେପଟେ, କେନ୍ଦୁଝର ତେଲକୋଇରେ ମଧ୍ୟ ସାପ କାମୁଡାରେ ଜଣକର ମୃତ୍ୟୁ ହୋଇଛି ।