ହାତୀ ପାଇଁ ଚାକିରି ଗଲା । କାର୍ଯ୍ୟରେ ଅବହେଳା ପାଇଁ ୬ ଅଧିକାରୀ ନିଲମ୍ବିତ, ଜଣେ ବହିଷ୍କୃତ

98

କନକ ବ୍ୟୁରୋ : ଢେଙ୍କାନାଳ ବିଦ୍ୟୁତ ଆଘାତରେ ୭ ହାତୀ ମୃତ୍ୟୁ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଆରମ୍ଭ । ଏହି ଘଟଣାରେ ଉଭୟ ଶକ୍ତି ବିଭାଗ ଓ ବନ ବିଭାଗ ପକ୍ଷରୁ କାର୍ଯ୍ୟର୍ାନୁଷ୍ଠାନ ନିଆଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ୬ ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଜଣଙ୍କୁ ବହିଷ୍କୃତ କରାଯାଇଛି । ମେରାମୁଣ୍ଡଳୀ ଜେଇ ସଞ୍ଜୟ ମହାନ୍ତିଙ୍କୁ ବହିଷ୍କୃତ କରାଯାଇଥିବା ବେଳେ ସେସୁ ସୁପରିନଟେଣ୍ଡେଣ୍ଟ ଇଞ୍ଜିନିୟର ନରେଶ ଚନ୍ଦ୍ର ପଟ୍ଟନାୟକଙ୍କୁ ନିଲମ୍ବିତ କରାଯାଇଛି । ସେହିଭଳି ସହକାରୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ନାୟକ ଓ ମେରାମୁଣ୍ଡଳୀ ଲାଇନମ୍ୟାନ୍ କ୍ଷୀରୋଦ ପଣ୍ଡାଙ୍କୁ ନିଲମ୍ବିତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସେସୁ ଲୋକସର୍ମ୍ପକ ଅଧିକାରୀ ।

ଅନ୍ୟପଟେ ବନ ବିଭାଗ ମଧ୍ୟ ଆକ୍ସନମୋଡକୁ ଆସିଛି । ଏହି ଘଟଣାରେ ତିନି ଅଧିକାରୀଙ୍କୁ ନିଲମ୍ବିତ କରିଛି ବନବିଭାଗ । କାର୍ଯ୍ୟରେ ଅବହେଳା ପାଇଁ ଢେଙ୍କାନାଳ ରେଞ୍ଜ ଅଫିସର ପ୍ରସନ୍ନ ବିଶ୍ୱାଳ, ମେରାମଣ୍ଡଳି ସେସନ ଫରେଷ୍ଟର ପ୍ରଭାକର ରଣା, ଫରେଷ୍ଟଗାର୍ଡ ଗିରିଶ ଚନ୍ଦ୍ର ଦେହୁରୀଙ୍କୁ ନିଲମ୍ବିତ କରାଯାଇଛି । ଏହାସହ ବିଦ୍ୟୁତ୍ ବିଭାଗ ତଥା ସେସୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପିସିସିଏଫ୍ ୱାଇଲ୍ଡ ଲାଇଫ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ସେସୁ ଅଧିକାରୀଙ୍କ ବିରୋଧରେ ଶକ୍ତି ବିଭାଗ ପଦକ୍ଷେପ ନେଉ ବୋଲି ଉକ୍ତ ଚିଠିରେ ଦର୍ଶାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ, ଶନିବାର ସକାଳ ନହେଉଣୁ ଆଖି ବୁଜି ସାରିଥିଲେ ସାତ ସାତଟି ହାତୀ । କିଛି କ୍ଷଣ ମଧ୍ୟରେ ଚାଲିଯାଇଥିଲା ବିରାଟକାୟ ହାତୀଙ୍କ ଜୀବନ । ଯାହା ମଧ୍ୟରେ ଥିଲେ ୫ ଟି ମାଇ ହାତୀ, ଗୋଟିଏ ଛୁଆ ଓ ଗୋଟିଏ ଦନ୍ତା ହାତୀ । କେନାଲ ଓ ପାଖ ବିଲରେ ନିସ୍ତେଜ ହୋଇ ପଡି ରହିଥିଲା ହାତୀଙ୍କ ମୃତଦେହ । ଶନିବାର ଭୋର୍ ପ୍ରାୟ ୪ଟା । ଢେଙ୍କାନାଳର କଂଟାବଣିଆ ଅଂଚଳରେ ୨୧ଟି ହାତୀ ଥିବା ଏକ ହାତୀପଲ ସ୍ଥାନୀୟ ଅଂଚଳରେ ଘୁରି ବୁଲୁଥିଲେ । ଶୁକ୍ରବାର ରାତିରେ ହାତୀ ପଲ ନାଳ ପାଖ ଧାନ ବିଲକୁ ପଶିଥିଲେ ଖାଦ୍ୟ ପାଇଁ । ହେଲେ ନାଳ ହୁଡା ଉପରେ ଅଳ୍ପ ଉଚ୍ଚରେ ଯାଇଥିବା ଇଲେଭେନ୍ କେଭି ବିଦ୍ୟୁତ୍ ତାର ହାତୀପଲକୁ ଜୋରଦାର ଝଟକା ଦେଇଥିଲା । ଘଟଣାସ୍ଥଳରେ ଟଳି ପଡିଥିଲେ ସାତ ସାତଟି ହାତୀ ।