ଛଅ ଛାତ୍ରଙ୍କ କାରନାମା ! ବଦଳାଇଲେ ଅନେକଙ୍କ ଜୀବନ,ଗରିବୀ ହଟାଓ ଲଢେଇରେ ସାମିଲ ହେଲେ ଇଂଜିନିୟରିଂ ଛାତ୍ର

75

ଦେଶ ଅର୍ଥନୀତିର ମେରୁଦଣ୍ଡ କୃଷକ । କୃଷକଙ୍କ ବିକାଶ ବିନା ଦେଶର ବିକାଶ ସମ୍ଭବ ନୁହେଁ । ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ କହିଥିଲେ ଜୟ ଜବାନ, ଜୟ କିଷାନ । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ କହିଥିଲେ ଜୟ ଜବାନ, ଜୟ କିଷାନ, ଜୟ ବିଜ୍ଞାନ । ତା ପରେ ବି ସ୍ଥିତି ଯଥା ପୂର୍ବଂ, ତଥା ପରଂ । ତଥାପି ହାର ନମାନି ଆଇଆଇଟି ଖଡଗପୁରର ୬ଜଣ ଛାତ୍ରଙ୍କ ସାହାଯ୍ୟ ଓ ସହଯୋଗ ଅନେକ ଚାଷୀ, ମହିଳା ଓ ଛୋଟ ପିଲାଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛନ୍ତି । ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ବଦଳାଇପାରିଛନ୍ତି ଏହି ୬ଜଣ ଇଂଜିନିୟରିଂ ସାଙ୍ଗ ।

ଭାରତର ୭୦ ପ୍ରତିଶତ ଲୋକ ଗାଁରେ ରହନ୍ତି । ସେମାନେ ମୁଖ୍ୟତଃ କୃଷି ଉପରେ ନିର୍ଭର କରି ବଂଚିଥାନ୍ତି । ଏବେବି ଚାଷୀସମାଜ ଚାଷୀ ଆତ୍ମହତ୍ୟା, ମରୁଡି, ଫସଲ ନଷ୍ଟ ଓ ଗରିବ ଭଳି ସମସ୍ୟାରେ ଜର୍ଜରିତ । ଗ୍ରାମୀଣ କୃଷକଙ୍କ ସମସ୍ୟା ଜାଣିବା ପରେ ବିଶାଳ ସିଂ ଓ ୬ଜଣ ସାଙ୍ଗଙ୍କ ସହ ମିଶି ୨୦୧୨ରେ‘କୈବଲ୍ୟ ବିଚାର ସେବା ସମିତି’ ନାଁରେ ଗୋଟିଏ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଢିଥିଲେ । ଯାହାର ଲକ୍ଷ୍ୟ ଥିଲା, ଚାଷୀଙ୍କୁ ଉପଯୁକ୍ତ ଶିକ୍ଷା, କୃଷି ତାଲିମ, ସ୍ୱାସ୍ଥ୍ୟସେବା ଓ ଚାଷୀଙ୍କ ପରିବାରକୁ ପୋଷାକ ଆଦି ଦେଇ ସେମାନଙ୍କ ଜୀବନଶୈଳୀ ଓ ଚଳଣିରେ ପରିବର୍ତ୍ତନ ଆଣିବା ।

କେମିତି ଆରମ୍ଭ କରିଥିଲେ :

ବିଶାଳ ୨୦୧୧ରେ ଖଡଗପୁର ଆଇଆଇଟିରେ ଏଗ୍ରିକଲଚରାଲ ଓ ଫୁଡ ପ୍ରସେସିଂ ଇଂଜିନିୟରିଂ ପଢୁଥିବାବେଳେ ତାଙ୍କ ଲକ୍ଷ୍ୟ ବିଷୟରେ ସାଙ୍ଗମାନଙ୍କ ସହ ଆଲୋଚନା କରିଥିଲେ । ତାଙ୍କର ଇଚ୍ଛା ଥିଲା କୃଷକଙ୍କୁ ତାଲିମ ଦେଇ ବିଭିନ୍ନ ପ୍ରକାର ଚାପରୁ ମୁକ୍ତ କରିବା । ଜଣେ ଚାଷୀଙ୍କର ପୁଅ ଭାବେ ଚାଷୀଙ୍କ ସମସ୍ୟାକୁ ଅତି ପାଖରୁ ଦେଖିଥିଲେ । ସେ ବାରଣାସୀରେ ରହୁଥିବା ବେଳେ ଭାରତୀୟ ଚାଷୀଙ୍କର ସମସ୍ୟା ଦେଖି ଜାଣିଥିଲେ ଚାଷୀମାନେ ଅବହେଳିତ ଅବସ୍ଥାରେ ରହୁଛନ୍ତି । ତେଣୁ ଚାଷୀଙ୍କୁ ସାହାଯ୍ୟକରିବା ପାଇଁ ସେ ଇଚ୍ଛା କରିଥିଲେ ।

ସମସ୍ତ ଭଲମନ୍ଦ ବିଚାର କରି ୬ଜଣ ସାଙ୍ଗ ୨୦୧୨ରେ କୈବଲ୍ୟ ବିଚାର ସେବା ସମିତି ନାଁରେ ସଂଗଠନଟିଏ ଗଢିଥିଲେ । ହେମନ୍ତ , ଅଜୟ କୁମାର, ଅଜୟ ସ୍ୱର୍ଣ୍ଣକାର ଦୀପକ , ସନ୍ତୋଷ ଓ ବିଶାଲ ନିଷ୍ପତ୍ତିନେଇଥିଲେ ଚାଷୀ ଓ ଗରିବ ଲୋକଙ୍କ ପାଇଁ କାମ କରିବେ । ପ୍ରଥମେ ସେମାନେ ସୋଲାଦାହର ଓ ଗୋପାଳି ଦୁଇଟି ଗାଁ କୁ ମନୋନୀତ କରିଥିଲେ । ସେଠାରେ ବାରମ୍ବାର ସଭା କରି ସେମାନଙ୍କର ସମସ୍ୟାକୁ ବୁଝିବା ସହ ସମାଧାନ କରିଥିଲେ ।

ତାପରେ ସେମାନେ ୩ଟି ପ୍ରକଳ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ସେଗୁଡିକ ହେଲା ଅନ୍ନ ଦାନ, ଶିକ୍ଷା ଦାନ ଓ ବସ୍ତ୍ର ଦାନ । ବର୍ତମାନ କେଭିଏସଏସରେ ୪୦୦ ଜଣ ସ୍ୱେଚ୍ଛାସେବକ ୮ହଜାରରୁ ଅଧିକ ଚାଷୀଙ୍କୁ ଜୈବିକ କୃଷି ଓ ପ୍ରାକୃତିକ କୃଷି ତାଲିମ ଦେଇ ସପଳତା ହାସଲ କରିଛନ୍ତି । ସେହିଭଳି ୫ହଜାର ଆର୍ଥିକ ଅନଗ୍ରସର ପିଲାଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଯୋଗାଇଦେଉଛନ୍ତି । ପ୍ରଥମେ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ କାମ କରିବା ପରେ ୨୦୧୩ରେ ଓଡିଶାର ଚାଷୀଙ୍କ ବିକାଶ ପାଇଁ କାମ କରୁଛନ୍ତି । ଜୈବିକ ସାର ପ୍ରସ୍ତୁତି,କାଟନାଶକ ପ୍ଲାଂଟ ନ୍ୟୁଟ୍ରିଏଂଟ, ମସରୁମ ଚାଷ, ମଂଜି ଉତ୍ପାଦନ ଆଦି ତାଲିମ ଚାଷୀଙ୍କୁ ଦେଇ ସେମାନଙ୍କ ଜୀବନଧାରଣର ମାନ ବଦଳାଇପାରିଛନ୍ତି । ତାସହ ସେମାନଙ୍କର ଆର୍ଥିକ ଅବସ୍ଥା ବଦଳାଇପାରିଛନ୍ତି ।

୨୦୧୬ରେ କେଭିଏସଏସ ଏକ ମଡେଲ ଆରମ୍ଭ କରିଥିଲେ । ଓଡିଶାର କିଛି ସଂଗଠନ ସହାୟତାରେ ମୟୁରଭଂଜ ଓ ବଲାଙ୍ଗିରରେ ‘ଏକ ଏକରରୁ ଏକ ଲକ୍ଷ’ କାର୍ଯ୍ୟକ୍ରମ ବିଶାଲ ଓ ତାଙ୍କ ବନ୍ଧୁମାନେ ଆରମ୍ଭ କରିଛନ୍ତି । ମୟୁରଭଂଜରେ ସାନ୍ତାଳ ଓ ଲୋଧା ସଂପ୍ରଦାୟର ୫ଶହ ଚାଷୀଙ୍କୁ ଔଷଧୀୟ ବୃକ୍ଷ କିପରି ଲଗାଇବେ ସେ ନେଇ ତାଲିମ ଦେଇଛନ୍ତି । ସେହିପରି ବଲାଙ୍ଗିର ଜିଲ୍ଲାରେ ୨୨ଶହ ଚାଷୀଙ୍କୁ କିପରି ଜୈବିକ ଚାଷକରିବେ ସେନେଇ ତାଲିମ ଦେଇଥିଲେ । ଚିଲିକା ଅଂଚଳରେ ୨୦୦ ଚାଷୀଙ୍କୁ ସମୁଦ୍ର କୂଳରେ କିପରି ମ୍ୟାନଗ୍ରୁଭ ଚାଶ କରିବେ ସେ ନେଇ ତାଲିମ ଦେଇଥିବା କହିଛନ୍ତି ବିଶାଲ ।

ଭବିଷ୍ୟତ ଲକ୍ଷ୍ୟ :

ପ୍ରତ୍ୟୋକ ଶିଶୁକୁ ଶିକ୍ଷିତ, ସୁସ୍ଥ ଓ ଖୁସି ରଖିବା ଲକ୍ଷ୍ୟରେ କାମ କରୁଛନ୍ତି ବିଶାଲ ଓ ତାଙ୍କ ସାଙ୍ଗମାନେ । ଆମେ ପ୍ରତିବର୍ଷ ୧୦ହଜାର କୃଷକଙ୍କୁ ତାଲିମ ଦେବାକୁ ଲକ୍ଷ୍ୟ ରଖିଛୁ । ତା ସହ ସେମାନଙ୍କ ଜୀବନଧାରଣରମାନେ ଓ ସମୃଦ୍ଧିଶାଳୀ କରିବା ପାଇଁ ଚେଷ୍ଟା କରୁଛୁୁ । ସେହିପରି ପ୍ରତିବର୍ଷ ଏକ ହଜାର ପିଲାଙ୍କୁ ଶିକ୍ଷିତ କରାଇବା ପାଇଁ ଆଗେଇ ଚାଲିଛନ୍ତି । ଆମେର ଏହି ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବା ପାଇଁ ନିଷ୍ଠାର ସହ କାମ କରୁଛୁ । ଏବେ ସୁଦ୍ଧା ପାଖାପାଖି ୧୦ହଜାର ଚାଷୀଙ୍କୁ ତାଲିମ ଦେଇ ସେମାନଙ୍କ ଜୀବନଶୈଳୀ ବଦଲାଇବା ସହ ୫ହଜାର ଆର୍ଥିକ ଅନଗ୍ରସର ପିଲାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିପାରିଛି କେଭିଏସଏସ ।

ଛଅ ଜଣ ଇଂଜିନିୟରିଂ ଛାତ୍ରଙ୍କ ଏପରି ଉଦ୍ୟମ ଚାଷୀମାନଙ୍କ ମନରେ ଅପୂର୍ବ ସଫଳତା ଆଣିପାରିଛି । ତା ସହ ଅନେକ ଗରିବ ଓ ବାପା ମାଆ ଛେଉଣ୍ଡ ପିଲାଙ୍କୁ ମାଗଣାରେ ଖାଦ୍ୟ ବସ୍ତ୍ର,ସ୍ୱାସ୍ଥ୍ୟ ସେବ ଯୋଗାଇ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ ।