ପୁଣି ଚିନ୍ତା ବଢାଇଲା ବଜ୍ରପାତ: ରାଜ୍ୟରେ ଗୋଟିଏ ଦିନରେ ଗଲା ୬ ଜଣଙ୍କ ଜୀବନ, ବାଲେଶ୍ୱରରେ ବିଜୁଳି ମାଡରେ ୪ ଜଣଙ୍କ ମୃତ୍ୟୁ, ଖୋର୍ଦ୍ଧା ଓ ମୟୂରଭଞ୍ଜରେ ୨ ମୃତ

31

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ନେଇଛି ଜୀବନ । ବଜ୍ରାଘାତରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରେମୁଣାରେ ଜଣେ ଗୁରୁତର ହୋଇଛନ୍ତି । ସେହିଭଳି ବସ୍ତା ବ୍ଲକରେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଜଳେଶ୍ୱର ବ୍ଲକରେ ମଧ୍ୟ ବଜ୍ରାଘାତରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ବୋଲଗଡରେ ବଜ୍ରାଘାତରେ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସେପଟେ ମୟୂରଭଂଜ ଉଦଳାରେ ବଜ୍ରପାତ ନେଇଛି ଜଣଙ୍କ ଜୀବନ ।

ସୂଚନା ମୁତାବକ, କେବଳ ବାଲେଶ୍ୱର ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ଜିଲ୍ଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସିଖରପୁର ପଞ୍ଚାୟତର ମହୁଲିଆ ଗାଁର ଯୋଗେନ୍ଦ୍ର ବେହେରା(୩୪) ଗାଈ ଚରାଇବାକୁ ଯାଇଥିବା ବେଳେ ବଜ୍ରଘାତର ତାଙ୍କର ମୃତ୍ୟୁ ଘଟିଛି। ସେହିପରି ବସ୍ତା ଥାନା ଅନ୍ତର୍ଗତ ବରୁଣଗାଡ଼ିଆ ଗାଁର ରୁଦ୍ରରାଜ ବେହେରା(୨୪) ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟିବାରୁ ତାଙ୍କର ମୃତ୍ୟୁ ଘଟିଛି। ଥାନାର ମାଙ୍କଡ଼ାଗାଡ଼ିଆର ମଧୂସୁଦନ ବେହେରା(୪୫)ଙ୍କର ମଧ୍ୟ ବିଲରେ କାମ କରୁଥିବା ଅବସ୍ଥାରେ ବଜ୍ରଘାତ ଘଟି ମୃତ୍ୟୁ ଘଟିଛି। ସେହିପରି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ବ୍ଲକସ୍ଥିତ ବଡ଼କୁମାରୀ ପଞ୍ଚାୟତର ମାଣିକପୁର ଗ୍ରାମରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ୩୫ ବର୍ଷିଅ ଭଗବାନ ସାହୁ। ଆହତ ୨ ହେଉଛନ୍ତି ନିରଂଜନ ବିଶୋଇ ଓ ରବି ଦାସ। ଆହତମାନେ ବର୍ତ୍ତମାନ ଖୋର୍ଦ୍ଧା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏପରି ଅଘଟଣା ଘଟିଯାଇଛି। ଜିଲ୍ଲାର ମୋରଡ଼ା ବ୍ଲକରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସୁନାହଜାର ଗ୍ରାମର ମହେନ୍ଦ୍ର ମହାନ୍ତଙ୍କ ପତ୍ନୀ ସାରଥୀ ମହାନ୍ତ ବିଲରେ କାମ କରୁଥିବା ବେଳେ ଏହି ଅଘଟଣା ଘଟିଥିଲା। ସେହିପରି ମାଣିତ୍ରୀ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତସ୍ଥିତ ଶ୍ରୀରାମପୁର ଗ୍ରାମରେ ବଜ୍ରପାତରେ ଲକ୍ଷ୍ମଣ ମୁର୍ମୁଙ୍କର ମୃତ୍ୟୁ ଘଟିଛି। ଲକ୍ଷ୍ମଣ ବିଲରେ କାମ କରୁଥିବା ବେଳେ ଏପରି ଅଘଟଣ ଘଟିଥିବା ସୂଚନା ରହିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପୂର୍ବରୁ ଜିଲ୍ଲାର ଖୁଣ୍ଟା ବ୍ଲକ ଅନ୍ତର୍ଗତ ଦୁକୁରା ଗ୍ରାମରେ ବଜ୍ରପାତ ଘଟି ଭାସ୍କର ବେହେରାଙ୍କ ପୁଅ ରାଜେନ୍ଦ୍ର ବେହେରାଙ୍କର ମୃତ୍ୟୁ ଘଟିଛି । କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ବ୍ରାହ୍ମଣୀସାହି ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣସାହି ଗାଁର ନୃସିଂହ ଜେନା(୫୬) ନାମକ ଜଣେ ଚାଷୀଙ୍କର ଆଜି ସକାଳେ ବଜ୍ରପାତରେ ମୃତ୍ୟୁ ଘଟିଛି। ବିଲରେ ତଳି ଉପାଡୁଥିବା ବେଳେ ଏହି ଅଘଟଣ ଘଟିଥିବା ଜାଣିବାକୁ ମିଳିଛି।