ବିହାରରେ ଟ୍ରେନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ: କେମିତି ଟ୍ରାକରୁ ଖସିଲା ଟ୍ରେନ୍ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ସୀମାଂଚଳ ଏକ୍ସପ୍ରେସର ୧୧ଟି ବଗି ଲାଇନଚ୍ୟୁତ ହୋଇ ୭ଜଣଙ୍କର ହୋଇଥିଲା ମୃତ୍ୟୁ

88

କନକ ବ୍ୟୁରୋ: ଆଜି ସକାଳୁ ସକାଳୁ ବିହାରରେ ଏକ ବଡ ଟ୍ରେନ ଦୁର୍ଘଟଣା ଘଟିଯାଇଛି । ସୀମାଂଚଳ ଏକ୍ସପ୍ରେସର ୧୧ଟି କୋଚ ଲାଇନଚ୍ୟୁତ ହେବା ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁର୍ଘଟଣା ଆଜି ଭୋର ପ୍ରାୟ ୪ଟାରେ ହୋଇଛିା ସୀମାଂଚଳ ଏକ୍ସପ୍ରେସ ବିହାରର ଯୋଗବନୀରୁ ଦିଲ୍ଲୀ ଯାଉଥିଲା ବେଳେ ଦୁର୍ଘଟଣାର ଶିକାର ହୋଇଛି ।

ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଓ ରେଳବାଇର ବରିଷ୍ଠ ଅଧିକାରୀ ପହଂଚି ଲୋକଙ୍କୁ ଉଦ୍ଧାର କରିଥିଲେ ।ହେଲପନାଇନ ନମ୍ବର ବି ଜାରି କରାଯାଇଛି । ତେବେ ଦୁର୍ଘଟଣାର କାରଣ ଏଯାବତ ଜଣାପଡିନାହିଁ । ଅନେକ ଆହତଙ୍କ ଅବସ୍ଥା ଗୁରୁତର ମଧ୍ୟ ରହିଛି । ତେବେ ଅଧିକ କ୍ଷତିଗ୍ରସ୍ତ କୋଚ ମଧ୍ୟରେ ରହିଛି ଗୋଟିଏ ଜେନେରାଲ ବଗି, ଗୋଟିଏ ଏସି ବଗି ଓ ୩ଟି ସ୍ଲିପର ବଗି । ଭୋରରୁ ଦୁର୍ଘଟଣା ଘଟିଥିବାରୁ ଅନ୍ଧାର ଯୋଗୁଁ ବିଳମ୍ବରେ ଉଦ୍ଧାରକାରୀ ଟିମ ପହଂଚିଥିଲେ ।

ଏହି ରେଳ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ଏବଂ କେମିତି ଟ୍ରାକରୁ ଟ୍ରେନଟି ଖସିଲା? ଏନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ । ଅନ୍ୟପଟେ, ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଁଏ ସହୟତା ଘୋଷଣା କରାଯାଇଛି । ସେହିଭଳି ଗୁରୁତରଙ୍କୁ ଲକ୍ଷେ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଁଏ ସହାୟତା ମିଳିବ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଦୁର୍ଘଟଣାର କାରଣ ଜଣାପଡିନଥିଲେ ବି ରେଳଟ୍ରାକରେ ଫାଟ ଥିବା ଜଣାପଡିଛି ।