୭ ବର୍ଷରେ ଭୁଷୁଡିଛି ୬ଟି ପୋଲ । ଚାଲିଯାଇଛି ୨୮ ଲୋକଙ୍କ ଜୀବନ । ଏଭଳି ବଡ ଦୁର୍ଘଟଣା ପାଇଁ ଦାୟୀ କିଏ ?

58

ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ ରେଳଷ୍ଟେସନର ୧ ନମ୍ବର ପ୍ଲାଟଫର୍ମକୁ ସଂଯୋଗ କରୁଥିବା ଏକ ଫୁଟ୍ ଓଭରବ୍ରିଜ୍ ଭୁଷୁଡି ପଡିବାରୁ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି । ତେବେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ । ଏହା ପୂର୍ବରୁ ମଧ୍ୟ ଦେଶର ଆର୍ଥିକ ରାଜଧାନୀରେ ୬ଟି ପୋଲ ଭୁଷୁଡି ପଡିଥିଲା । ବର୍ଷ ୨୦୧୨ ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ, ପ୍ରତିବର୍ଷ କିଛି ଏଭଳି ଘଟଣା ସାମ୍ନାକୁ ଆସୁଛି ।

ଜୁନ୍ ୨୦୧୮ – ଅନେ୍ଧରୀର ଜିକେ ଗୋଖଲେ ରୋଡ୍ ଓଭରବ୍ରିଜ୍ ଭୁଷୁଡି ପଡିବାରୁ ଦୁଇ ଜଣ ଲୋକଙ୍କ ଜୀବନ ଯାଇଥିଲା । ଏହି ଘଟଣାରେ ପଶ୍ଚିମ ରେଳବାଇର ୬ଜଣ ଅଧିକାରୀ ଏବଂ ବିଏମସିକୁ ଦାୟୀ କରାଯାଇଥିଲା ।

ଅକ୍ଟୋବର ୨୦୧୭ – ଚରନୀ ରୋଡ୍ ଷ୍ଟେସନରେ ଏକ ଫୁଟ୍ ଓଭରବ୍ରିଜର ସିଡି ଭାଙ୍ଗିଯିବା ଫଳରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ ।

ସେପ୍ଟେମ୍ବର ୨୦୧୭ – ମୁମ୍ବାଇର ଏଲଫିଷ୍ଟନ୍ ରେଲୱେ ବ୍ରିଜରେ ଲୋକମାନଙ୍କ ଧାଁଦୌଡ କାରଣରୁ ୨୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୪୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ବ୍ରିଜରେ ସଟ୍ ସର୍କିଟ୍ ହୋଇଥିବା ଖବର ପ୍ରଚାରିତ ହେବା ପରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା ।

ଡିସେମ୍ବର ୨୦୧୫ – ମଲାଡ୍ ଅଞ୍ଚଳରେ ଏକ ପୋଲ ଖସିଯିବାରୁ ୯ ଜଣ ଲୋକ ଆହତ ହୋଇଥିଲେ ।

ଫେବୃଆରୀ ୨୦୧୩ – ଅନେ୍ଧରୀ ଇଷ୍ଟରେ ଏଲିବେଟେଡ୍ କରିଡରର ନିର୍ମାଣ ବେଳେ, ସେଥିରୁ କିଛି ଅଂଶ ଖସିଯିବାରୁ ତିନି ଜଣ ଲୋକ ଆହତ ହୋଇଥିଲେ ।

ସେପ୍ଟେମ୍ବର ୨୦୧୨ – ଅନେ୍ଧରୀ ଘାଟକୋପର କରିଡରର ମେଟ୍ରୋଲ୍ ରେଳ ପୋଲ ଭୁଷୁଡି ପଡିବାରୁ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଲୋକ ଆହତ ହୋଇଥିଲେ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ସାରା ଦେଶରେ ପାଖାପାଖି ୧୫ ବର୍ଷରେ ପୋଲ ଭୁଷୁଡିବା ଘଟଣାରେ ୧,୨୧୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ତେବେ ପ୍ରଶ୍ନ ଉଠୁଛି ଏଭଳି ବଡ ଦୁର୍ଘଟଣା ପାଇଁ ପ୍ରକୃତରେ ଦାୟୀ କିଏ ?