ହୋମ୍‌ ପାଇପ୍‌ ଭିତରୁ ବାହାରିଲା ୬ଟି ବିଶାଳ ଅଜଗର ସାପ । ଗ୍ରାମବାସୀ ଭୟଭୀତ ।

663

କନକ ବ୍ୟୁରୋ : ଢେଙ୍କାନାଳ ସହର ଉପକଣ୍ଠ ସପ୍ତଶଯ୍ୟା ପଞ୍ଚାୟତ ବାରସବାଣିଆ ଗ୍ରାମ ନିକଟସ୍ଥ ଗୋଜାପଡ଼ା ପ୍ରୋଜେକ୍ଟ ବନ୍ଧ ହୁଡ଼ାରେ ପାଣି ନିଷ୍କାସନ ପାଇଁ ପଡ଼ିଥିବା ହୋମ୍‌ ପାଇପ୍‌ ଭିତରେ ୬ଟି ବିଶାଳ ଅଜଗର ସାପ ଥିବା ଜଣାପଡ଼ିଥିଲା । ଏହି ଅଜଗର ସାପ ସମ୍ପର୍କ ଖବର ପାଇ ଘଟଣାସ୍ଥଳରେ ‘ସାପ ବନ୍ୟ ଫାଉଣ୍ଡେସନ’ ଅନୁଷ୍ଠାନର ସଦସ୍ୟମାନେ ପହଞ୍ଚି ୬ଟି ବିଶାଳ ଅଜଗର ସାପକୁ ଉଦ୍ଧାର କରି ମେଘା ସରଂକ୍ଷିତ ଜଙ୍ଗଲରେ ଛାଡ଼ିଛନ୍ତି ।

ସପ୍ତଶଯ୍ୟା ପାହାଡ଼ ପାଦଦେଶସ୍ଥିତ ଗୋଜାପଡା ବନ୍ଧ ହୁଡ଼ାରେ ପାଣି ନିଷ୍କାସନ ପାଇଁ ପ୍ରାୟ ୮୦ ଫୁଟ ଲମ୍ବ ଓ ୫ଫୁଟ ଗୋଲେଇର ହୋମ୍‌ ପାଇପ୍‌ ବିଛା ଯାଇଥିଲା । ତେବେ ସେହି ପାଇପ୍‌ର ଏକ ପାଖକୁ ରାସ୍ତା ତିଆରି ବେଳେ ବନ୍ଦ କରି ଦିଆଯାଇଥିବାରୁ ସେଥିରେ ପାଣି ନିଷ୍କାସନ ହେଉନଥିଲା । ଦୀର୍ଘ ଦିନ ଧରି ହୋମ୍‌ ପାଇପ୍‌ ଭିତର ଖାଲି ଥିବା ସୁଯୋଗ ନେଇ ସେଠାରେ ବଡ଼ବଡ଼ ଅଜଗର ସାପ ବସବାସ କରି ରହୁଥିଲେ ।

ଗତ ଦୁଇଦିନ ତଳେ ସେଠାରୁ ଏକ ଅଜଗର ସାପକୁ ଗ୍ରାମବାସୀମାନେ ଉଦ୍ଧାର କରିଥିବା ବେଳେ ତା’ ଭିତରେ ଅନେକ ସାପ ଥିବା ସନ୍ଧାନ ପାଇଥିଲେ । ଏ ସଂପର୍କରେ ସେମାନେ ବନ ବିଭାଗ ଏବଂ ସାପ ବନ୍ୟ ଫାଉଣ୍ଡେସନକୁ ଖବର ଦେଇଥିଲେ । ଫାଉଣ୍ଡେସନର ସଦସ୍ୟ ସେକ୍‌ ଲାଲୁ, ପପୁନ୍‌ ଦାସ, ମନୋଜ ଦାସ, ଆଲୋକ ମହାନ୍ତି, କାହ୍ନଚରଣ ମହାନ୍ତି ପ୍ରମୁଖ ଆଜି ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ଗ୍ରାମବାସୀମାନେ ଏକ ଜେସିବି ସହଯୋଗରେ ହୋମ୍‌ ପାଇପ୍‌ ମୁହଁକୁ ଖୋଲିବା ପରେ ଫାଉଣ୍ଡେସନର ସଦସ୍ୟମାନେ ତା’ ଭିତରେ ପଶି ସେଠାରୁ ୧୮, ୧୬, ୧୨, ୧୦, ୯ ଓ ୮ ଫୁଟ ଲମ୍ବର ୬ଟି ଅଜଗର ସାପକୁ ଉଦ୍ଧାର କରିଥିଲେ । ସାପକୁ ଉଦ୍ଧାର କରିବା ପରେ କପିଳାସ ପାହାଡ଼ ପାଦଦେଶସ୍ଥିତ ମେଘା ସରଂକ୍ଷିତ ଜଙ୍ଗଲରେ ନେଇ ଛାଡି ଦିଆଯାଇଥିବା ଫାଉଣ୍ଡେସନର ସଦସ୍ୟମାନେ ପ୍ରକାଶ କରିଛନ୍ତି ।