ସତ୍ୟବାଦୀ ଟ୍ରିପଲ୍ ମର୍ଡର ଘଟଣାରେ ୬ ଗିରଫ । ବିଚ୍ ରାସ୍ତାରେ ଗୋଡାଇ ହାଣିଥିଲେ ଅଭିଯୁକ୍ତ, ଜାଣନ୍ତୁ ହତ୍ୟାକାଣ୍ଡ ପାଇଁ କେମିତି ହୋଇଥିଲା ପୁରା ଯୋଜନା ।

892

କନକ ବ୍ୟୁରୋ : ସତ୍ୟବାଦୀରେ ଟ୍ରିପଲ ମର୍ଡର ଘଟଣାରେ ମାଷ୍ଟରମାଇଣ୍ଡ ସହ ୬ ଜଣ ଗିରଫ । ସୁବଳ ବେହେରା, ଶଙ୍କର ବେହେରା, ପୁନିଆ ବେହେରା, ଭିକାରୀ ବେହେରା, ସହଦେବ ବେହେରା ଏବଂ ହରି ବେହେରା । ପୋଲିସ ହାତରେ ଧରାପଡିଛନ୍ତି ସତ୍ୟବାଦୀ ପଟନାୟକିଆ ଛକରେ ଘଟିଥିବା ଟ୍ରିପଲ ମର୍ଡରର ୬ ଜଣ ଅଭିଯୁକ୍ତ । ଯାହା ମଧ୍ୟରେ ରହିଛନ୍ତି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ସୁବଳ ବେହେରା ଓ ଶଙ୍କର ବେହେରା । ପୋଲିସ ୧୩ ଜଣଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛନ୍ତି ।

ସିସିଟିଭିରେ କଏଦ ହୋଇଛି ହତ୍ୟାକାଣ୍ଡର ଦୃଶ୍ୟ । ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହାଣିଥିଲେ ଅଭିଯୁକ୍ତ । ପୋଲିସର ସୂଚନା ଅନୁସାରେ, ରବିବାର ବିଚ୍ ରାସ୍ତାରେ ପୂର୍ଣ୍ଣ ବେହେରାଙ୍କୁ ଗୋଡାଇ ଗୋଡାଇ ହଣାଯାଇଥିବା ଦୃଶ୍ୟ ସିସିଟିଭିରେ ଧରାପଡିଛି । ଯେଉଁଥିରେ ପୂର୍ଣ୍ଣଙ୍କୁ ଅଭିଯୁକ୍ତ ମିଟୁ ବେହେରା, ରବି ବେହେରା, ପୁନିଆ ବେହେରା ଏବଂ ନିରଂଜନ ବେହେରା ହତ୍ୟା କରୁଥିବା ଦୃଶ୍ୟ କଏଦ ହୋଇଛି । ତେବେ କୃଷ୍ଣ ବେହେରା ଓ ପଂଚୁ ବେହେରାଙ୍କୁ ହତ୍ୟା ବେଳର ସିସିଟିଭି ଭିଜୁଆଲ ନଥିବାରୁ ଅଭିଯୁକ୍ତ ଚିହ୍ନଟ ହୋଇନାହାଁନ୍ତି ।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ହତ୍ୟାକାଣ୍ଡ ପାଇଁ ପୂର୍ବରୁ ଯୋଜନା ହୋଇଥିଲା । ଗାଁ ପାଖରେ ବସିଥିଲା ମିଟିଂ । ଏବଂ ଯୋଜନା ମୁତାବକ ଆଗୁଆ କ୍ୟାବିନ୍ ତଳେ ଖଣ୍ଡା, ଫାର୍ସା ଲୁଚାଇ ରଖିଥିଲେ ଅଭିଯୁକ୍ତ । ସେପଟେ ମୃତକଙ୍କ ସମ୍ପର୍କୀୟ କହିଛନ୍ତି, ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହତ୍ୟାକାଣ୍ଡରେ କେବଳ ସହଯୋଗ କରିଛନ୍ତି । ଆହୁରି ୩-୪ଜଣ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି ।

ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ମାନେ ତିନି ଭାଇଙ୍କୁ ଗୋଡାଇ ଗୋଡାଇ ହତ୍ୟା କରୁଥିବା ବେଳେ ପୋଲିସ ଉପସ୍ଥିତ ଥିଲା । ଏବଂ ଅଭିଯୁକ୍ତଙ୍କୁ ଡରି ପୋଲିସ ମଧ୍ୟ ଘଟଣାସ୍ଥଳରୁ ଦୌଡି ପଳାଇଥିଲା । ଗାଁ ଲୋକଙ୍କ କହିବା ଅନୁସାରେ, ଗାଁରେ ସାଥଶଂଖ ମେଳନ ଦିନ ପାୱାର କଟ୍ ହୋଇଥିଲା । ବିଜୁଳି କାଟକୁ ନେଇ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ବି ହୋଇଥିଲା । ଏବଂ ଅଭିଯୁକ୍ତ ଜେଲ ବି ଯାଇଥିଲେ । ଏଥିସହ ଉଭୟ ପରିବାର ମଧ୍ୟରେ ପୂର୍ବରୁ ଜମିବାଡି ବିବାଦ ବି ରହିଥିଲା । ଯାହାର ପରିଣାମ ସ୍ୱରୁପ ୩ ଜଣଙ୍କୁ ହତ୍ୟା କରାଯାଇଛି ।