ଶ୍ରୀମନ୍ଦିରରେ ପାନଛେପ ଦେଖି ଭୀଷଣ ରାଗିଗଲେ ପାଣ୍ଡିଆନ । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଯିବାବେଳେ ଏଭଳି ଦୃଶ୍ୟ ଦେଖି ଖପ୍ପା ହୋଇଗଲେ, ଚେତାବନୀ ଦେଲେ…?

1,228

କନକ ବ୍ୟୁରୋ: ପାନଛେପ ଦେଖିଲେ, ଭୀଷଣ ରାଗିଲେ । ଶ୍ରୀମନ୍ଦିରରେ ପାନଛେପ ଦେଖି ରାଗିଗଲେ ପାଣ୍ଡିଆନ । ଶ୍ରୀମନ୍ଦିର ଭିତରେ ଘଟିଥିବା ଏକ ଘଟଣା ଆଜି ଦିନ ତମାମ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସି କାହିଁକି ରାଗି ଖପ୍ପା ହୋଇଗଲେ ଫାଇଭ-ଟି ସଚିବ ? ମନ୍ଦିର ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଏହାକୁ ନେଇ ଆଲୋଚନା ଚାଲିଥିବା ବେଳେ ପାଣ୍ଡିଆନଙ୍କ ଭୀଷଣ ରାଗ ପଛର କାରଣ ପାନଛେପ ବୋଲି ଜଣାପଡିଛି । ମନ୍ଦିର ଭିତରେ ପାନଛେପ ପଡିଥିବା ଦେଖି ବିରକ୍ତି ହୋଇଥିଲେ ଫାଇଭ-ଟି ସଚିବ ।

ତେବେ ଆଜି ସକାଳେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଶ୍ରୀମନ୍ଦିର ଘଣ୍ଟିଦ୍ୱାର ନିକଟରେ ପାନଛେପ ପଡିଥିବା ଦେଖିଥିଲେ ପାଣ୍ଡିଆନ । ଏହା ପରେ କାହାକୁ କିଛି ନକହି ସିଧା ମନ୍ଦିର ପରିସରରେ ଥିବା ଶାଖା କାର୍ଯ୍ୟାଳୟରେ ପହଞ୍ଚିିଲେ ଆଉ ଦାୟିତ୍ୱରେ ଥିବା କର୍ମଚାରୀଙ୍କ କାରଣ ପଚାରିଥିଲେ ।
ସବୁଠାରୁ ବଡକଥା ହେଉଛି ପୂର୍ବରୁ ମଧ୍ୟ ମନ୍ଦିରରେ ଏଭଳି ଦୃଶ୍ୟ ଦେଖି ଭୀଷଣ ରାଗିଥିଲେ ପାଣ୍ଡିଆନ । ବିରକ୍ତି ହେବା ସହ ଚୂନ ବାଲଟି ଦିଅ ମୁଁ ନିଜେ ସଫା କରିଦେବି ବୋଲି କହିଥିଲେ । ଆଉ ଆଗାମୀ ଦିନରେ ଏହାର ପୁନରାବୃତି ନହେବାକୁ ମଧ୍ୟ ଚେତାବନୀ ଦେଇଥିଲେ । ଯଦି ଆର ଥରକୁ ଆସିଲା ବେଳେ ଶ୍ରୀମନ୍ଦିର ପରିସରରେ କେଉଁଠି ପାନଛେପ ପଡିଥିବା ଦେଖିବି ତେବେ ନିଜେ ଝାଡୁ ନେଇ ଧୋଇଦେବି ବୋଲି କହିଥିଲେ । ତେବେ ଆଜି ସମାନ ଭୁଲର ପୁନରାବୃତି ଦେଖି ବିରକ୍ତି ହୋଇଥିଲେ ପାଣ୍ଡିଆନ ।

ସେପଟେ ଶ୍ରୀମନ୍ଦିରକୁ ପାନ, ଗୁଟଖା ପ୍ରବେଶ ନେଇ ବ୍ୟାନ କରାଯାଇଛି । ୨୦୧୯ ଜୁଲାଇ ମାସରେ ଶ୍ରୀମନ୍ଦିର ଭିତରକୁ ପାନ, ଗୁଟଖା ପ୍ରବେଶ ଉପରେ ନିଷିଦ୍ଧାଦେଶ ଜାରି କରାଯାଇଥିଲା । କୌଣସି ସେବାୟତ କିମ୍ବା ଭକ୍ତ ମନ୍ଦିର ମଧ୍ୟକୁ ପାନ କିମ୍ବା ଗୁଟଖା ନେଇ ଯାଇପାରିବେନି । ବାରଣ ସତ୍ତେ୍ୱ ଯଦି କେହି ଏହାକୁ ବେଖାତିର କରି ମନ୍ଦିର ଭିତରକୁ ଏସବୁ ନେଇ ଯାଉଥିବା ଧରାପଡନ୍ତି ତେବେ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବା ସହ ତାଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ନିୟମ ହେବା ପରେ ପାନ ଗୁଟଖାର ଯାଞ୍ଚ ମଧ୍ୟ କଡାକଡି ହୋଇଥିଲା । ଧରାପଡିଲେ ହଜାର ଟଙ୍କା ଫାଇନ ସହ ନିୟମ ବାବଦରେ ସିଂହଦ୍ୱାର ସାମ୍ନାରେ ଫଳକ ମଧ୍ୟ ଲାଗିଛି । ହେଲେ ଏବେ ଶ୍ରୀମନ୍ଦିର ଭିତରେ ପୁଣି ପାନଛେପ ଦୃଶ୍ୟ ନିୟମ, ନିଷ୍ପତ୍ତି ଉପରେ ଆଙ୍ଗୁଳି ଉଠାଇଛି । ମନ୍ଦିର ପ୍ରଶାସନର କଡା ନିୟମ ସତ୍ତେ୍ୱ ବଡ ଦେଉଳ ଭିତରକୁ କେମିତି ଯାଉଛି ପାନ ? ଏତେ କଡାକଡି ଯାଞ୍ଚ ପରେ ବି ମନ୍ଦିର ଭିତରେ କିଏ ଖାଉଛି ପାନ ? ସେବାୟତ ମାନେ ନେଉଛନ୍ତି ନା ଭକ୍ତମାନେ? ପାଣ୍ଡିଆନ ଖପ୍ପା ହେବା ପରେ ଏ ସମସ୍ତ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି ।

ତେବେ ଗୋଟିଏ ପଟେ ପୁରୀ ଓ ଶ୍ରୀମନ୍ଦିରକୁ ବିଶ୍ୱ ଐତିହ୍ୟସ୍ଥଳୀରେ ମାନ୍ୟତା ଦେବାକୁ ରାଜ୍ୟ ସରକାର ବଡବଡ ଘୋଷଣା କରୁଛନ୍ତି । ଶ୍ରୀମନ୍ଦିର ଚାରିପାଖର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ବିକାଶ ମୂଳକ କାମ କରୁଛନ୍ତି ହେଲେ ଏତେ ସବୁ ପରେ ଯଦି ମନ୍ଦିର ଭିତରେ ଏମିତି ପାନଛେପ ପଡିବ ତାହାଲେ ଓଡିଶା ବାହାରୁ ଆସୁଥିବା ପର୍ଯ୍ୟଟକ କେଉଁ ବାର୍ତ୍ତା ନେଇ ଯିବେ ତାହା ଏବେ ପ୍ରଶ୍ନର ମେଘନାଦ ପାଚେରୀ ଛିଡା କରିଛି ।