ଜାଣିଲେ ଜିଣିବି, ପାଠପଢ଼ା ନିଶା ଆଗରେ ହାର ମାନିଛି ବୟସ : ୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେବେ ଯାଜପୁର ଧର୍ମଶାଳାର ଅର୍ଚ୍ଚନା 

456

କନକ ବ୍ୟୁରୋ : ଜାଣିଲେ ଜିଣିବି  । ପାଠପଢ଼ା ନିଶା ଆଗରେ ହାର ମାନିଛି ବୟସ  । ପଢ଼ିବାର କୌଣସି ବୟସ ନଥାଏ  । ଏମିତି ମନୋବୃତ୍ତି ନେଇ ୫୭ ବର୍ଷ ବୟସରେ ମ୍ୟାଟ୍ରିକ ପରୀକ୍ଷା ଦେବାକୁ ମନବଳାଇଛନ୍ତି ଯାଜପୁର ଧର୍ମଶାଳା ବ୍ଲକ କପିଳେଶ୍ୱରପୁର ଗାଁର ଅର୍ଚ୍ଚନା ସର  । ଏଥିପାଇଁ ତାଙ୍କ ପରିବାର ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ମିଳୁଛି ।  ସୁଯୋଗ ମିଳିଲେ ଆଗକୁ ମଧ୍ୟ ପଢା ଜାରି ରଖିବେ ବୋଲି ସେ କହିଛନ୍ତି  ।

ଧର୍ମଶାଳା ବ୍ଲକ କପିଳେଶ୍ୱରପୁର ଗାଁର ଅର୍ଚ୍ଚନା ସର । ବୟସ ୫୭ବର୍ଷ । ପୁଅ ଝିଅ ବଡ ହୋଇ କଲେଜରେ ପାଠ ପଢିଲେଣି  । ପରିବାରରେ ସମସ୍ତେ ଉଚ୍ଚଶିକ୍ଷିତ । ହେଲେ ଅର୍ଚ୍ଚନାଙ୍କ ପାଠପଢ଼ା ଅଧାରୁ ଡୋରୀ ବନ୍ଧା ହୋଇଥିଲା ।  ଏବେ ସେ ପୁଣିଥରେ ପାଠ ପଢିବା ଲାଗି ମନବଳାଇଛନ୍ତି । ଅର୍ଚନା ଫୁରସତ ସମୟରେ ସାଧାରଣ ଗୃହିଣୀଙ୍କ ପରି ଘରକାମ କରିବା ସହ ପାଠ ପଢାରେ ମନଦେଇଛନ୍ତି  । ଜାଣିଲେ ଜିଣିବେ ବୋଲି ମନରେ ଆଶାବାନ୍ଧି ବିଳମ୍ବରେ ହେଲେ ମଧ୍ୟ ଦିନକୁ ୫ରୁ ୬ଘଣ୍ଟା ପାଠ ପଢୁଚନ୍ତି । ଏଥିପାଇଁ ପରିବାରରୁ ମିଳୁଛି ପୁରା ସହଯୋଗ । ଅର୍ଚ୍ଚନା ପତ୍ରବିନିମୟ ପାଠ୍ୟକ୍ରମରେ ମ୍ୟାଟ୍ରିକ ପରୀକ୍ଷା ଦେବେ  । ଜଣେ ସାଧାରଣ ମ୍ୟାଟ୍ରିକ ପରୀକ୍ଷା ପରୀକ୍ଷାର୍ଥୀ ପରି ପରୀକ୍ଷା ଦେବେ ।

ଅନ୍ୟପଟେ ଅର୍ଚ୍ଚନା ପରୀକ୍ଷାରେ  ନିଶ୍ଚିତ ସଫଳତା ପାଇବେ ବୋଲି ସେ ଓ ତାଙ୍କ ପରିବାର ଲୋକ ବେଶ୍ ଆଶାବାଦୀ ଅଛନ୍ତି । ଏ ବୟସରେ ପାଠପଢି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆଗ୍ରହ ଦେଖାଇଥିବା ଅର୍ଚ୍ଚନା ନିଶ୍ଚୟ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବେ ।