ରାସ୍ତାରେ ଚାଲିଲା ବେଳେ ସାବଧାନ ! ସଡକ ଦୁର୍ଘଟଣାରେ ପ୍ରତି ଦିନ ୫୬ ପଥଚାରୀଙ୍କ ଯାଉଛି ଜୀବନ ।

26

ଦୁର୍ଘଟଣାରେ ବଢିଚାଲିଛି ପଥଚାରୀଙ୍କ ମୃତ୍ୟୁ ସଂଖ୍ୟା । ରାସ୍ତାରେ କେବଳ ଗାଡି ଚାଳକ ନୁହେଁ ପଥଚାରୀମାନେ ମଧ୍ୟ ଦୁର୍ଘଟଣାର ଶିକାର ହେଉଛନ୍ତି । ଯଦି ଆମେ ସରକାରୀ ଆକଳନକୁ ନଜର କରିବା ତେବେ ୨୦୧୭ ମସିହାରେ ଦେଶରେ ସଡକ ଉପରେ ପ୍ରତିଦିନ ପ୍ରାୟ ୫୬ ଜଣ ଲୋକଙ୍କ ଦୁର୍ଘଟଣା କାରଣରୁ ମୃତ୍ୟୁ ହେଉଛି । ଏହି ଆକଳନ ଅନୁସାରେ ୨୦୧୪ରୁ ଆରମ୍ଭ କରି ୨୦୧୭ ମସିହା ମଧ୍ୟରେ ୬୬ ପ୍ରତିଶତ ପଥଚାରୀ ସଡକ ଦୃର୍ଘଟଣାରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ୨୦୧୪ରେ ମୃତ୍ୟୁ ସଂଖ୍ୟା ୧୨,୩୩୦ ଥିବା ବେଳେ ୨୦୧୭ରେ ପଥଚାରୀଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨୦,୪୫୭ରେ ପହଞ୍ଚିଛି ।

ସୂଚନା ମୁତାବକ, ଦେଶରେ ହେଉଥିବା ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରୁ ଅଧିକାଶଂ ପଥଚାରୀ, ସାଇକେଲ ଚାଳକ ଏବଂ ଦୁଇଚକିଆ ଯାନ ଚାଳକ ସାମିଲ ରହିଛନ୍ତି । ୨୦୧୭ରେ ହୋଇଥିବା ଏକ ସରକାରୀ ଆକଳନରୁ ଜଣାପଡିଛି କି, ପୂର୍ବ ବର୍ଷ ସଡକ ଦୁର୍ଘଟଣାରେ ପ୍ରତିଦିନ ୧୩୩ ବାଇକ ଚାଳକ ଏବଂ ୧୦ ସାଇକେସ ଚାଳକଙ୍କ ମୃତ୍ୟୁ ହୋଇଛି । ଠିକ ସେହିଭଳି ପଥଚାରୀଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବେଶ ଅଧିକ ରହିଛି । ଖାସକରି ତାମିଲନାଡୁରେ ଅଧିକାଂଶ ପଥଚାରୀ ଗତ ବର୍ଷ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ।

୨୦୧୭ରେ ହୋଇଥିବା ସର୍ଭେ ଅନୁଯାୟୀ, ତାମିଲନାଡୁ ପ୍ରଥମ ସ୍ଥାନରେ ରହିଛି । ୨୦୧୭ରେ ଏଠାରେ ହୋଇଥିବା ସଡକ ଦୁର୍ଘଟଣାରେ ପ୍ରାୟ ୩,୫୦୭ ପଥଚାରୀଙ୍କ ମୃତ୍ୟୁ ହୋଇଛି । ଦ୍ୱିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ର । ଗତ ବର୍ଷ ଏଠାରେ ପ୍ରାୟ ୧,୮୩୧ ଜଣ ପଥଚାରୀ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବେଳେ ତୃତୀୟ ସ୍ଥାନରେ ରହିଛି ଆନ୍ଧ୍ରପ୍ରଦେଶ । ଏଠାରେ ପୂର୍ବ ବର୍ଷ ପ୍ରାୟ ୧.୩୭୯ ପଦଚାରୀଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।