ଷ୍ଟେଟ ବ୍ୟାଙ୍କରେ ୬ ମାସ ମଧ୍ୟରେ ୫୫୫୫ କୋଟି ଟଙ୍କାର ଘୋଟାଲା । ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଲା ସାଂଘାତିକ ସତ

73

ପିଏନବି ବ୍ୟାଙ୍କ ପରେ ଏବେ ଭାରତର ସବୁଠୁ ବଡ ବ୍ୟାଙ୍କ କୁହାଯାଉଥିବା ଷ୍ଟେଟ ବ୍ୟାଙ୍କର ଠକେଇ ମାମଲା ସାମ୍ନାକୁ ଆସିଛି । ଗତ ୬ ମାସ ମଧ୍ୟରେ ୫୫୫୫.୪୮ କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି । ମୋଟ ୧୩୨୯ଟି ମାମଲାରେ ଏତେ ଟଙ୍କାର ଠକେଇ ହୋଇଛି । ଆରଟିଆଇ ରିପୋର୍ଟରୁ ଏଭଳି ସାଂଘାତିକ ସତ ସାମ୍ନାକୁ ଆସିଛି ।

ମଧ୍ୟପ୍ରଦେଶର ନିମଚ ନିବାସୀ ଚନ୍ଦ୍ରଶେଖର ଗୌଡଙ୍କୁ ଆରଟିଆଇ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷର ପ୍ରଥମ ତ୍ରୈମାସିକ ଏପ୍ରିଲରୁ ଜୁନ୍ ମଧ୍ୟରେ ଏସବିଆଇ ବ୍ୟାଙ୍କରେ ୬୬୯ଟି ମାମଲାରେ ୭୨୩.୦୬ କୋଟି ଟଙ୍କାର ଠକେଇ ହୋଇଥିବା ସୂଚନା ମିଳିଛି । ଠିକ୍ ସେହିଭଳି ଦ୍ୱିତୀୟ ତ୍ରୈମାସିକ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ମୋଟ ୬୬୦ଟି ମାମଲାରୁ ୪୮୩୨.୪୨ କୋଟି ଟଙ୍କା ଠକେଇ ହୋଇଥିବା ଜଣାପଡିଛି ।

ଏହି ଅବଧି ମଧ୍ୟରେ କେତେ ଟଙ୍କାର ଘୋଟାଲା ହୋଇଛି ତାହା ଜାଣିବାକୁ ଚାହିଁଥିଲେ ଚନ୍ଦ୍ରଶେଖର । କିନ୍ତୁ ବ୍ୟାଙ୍କ ପକ୍ଷରୁ ମିଳିଥିବା ଉତ୍ତରରେ କେତେ ଟଙ୍କା ଘୋଟାଲା ହୋଇଛି ତାହା ସ୍ଥିର କରାଯାଇପାରିବ ନାହିଁ ବୋଲି କୁହାଯାଇଛି । ଆରଟିଆଇ ମାଧ୍ୟମରେ ଏହା ମଧ୍ୟ ଜାଣିବାକୁ ଚାହିଁଛନ୍ତି ଯେ, କେତେଜଣ ଗ୍ରାହକ ଏହି ଘୋଟାଲାର ଶିକାର ହୋଇଛନ୍ତି ଓ ସେମାନଙ୍କୁ କେତେ ଟଙ୍କା ହରାଇବାକୁ ପଡିଛି ।

ସାର୍ବଜନୀନ କ୍ଷେତ୍ରରେ ଥିବା ବ୍ୟାଙ୍କ ଗୁଡିକର ସମ୍ବନ୍ଧିତ ପ୍ରଶ୍ନର ଉତ୍ତର ଦିଆଯାଇପାରିବ ନାହିଁ । ତେଣୁ ସୂଚନା ଅଧିକାର ଆଇନ ୨୦୦୫ ଅନୁସାରେ ଏହା ଦିଆଯାଇନାହିଁ । ନିରବ ମୋଦି ଓ ବିଜୟ ମାଲ୍ୟା ବ୍ୟାଙ୍କରୁ ଟଙ୍କା ନେଇ ଦେଶରୁ ପଳାୟନ କରିବା ପରେ ଅନେକ ଗୁଡିଏ ବ୍ୟାଙ୍କ ଠକେଇ କଥା ସାମ୍ନାକୁ ଆସିଥିଲା । ଯେଉଁଥିପାଇଁ କଂଗ୍ରେସ ଓ ବିଜେପି ପରସ୍ପରକୁ ଦୋଷ ଦେଉଛନ୍ତି ।

News Courtesy : khabar.ndtv.com