୨୦୧୮ ରେଳ ବଜେଟ୍ ! ରାଜ୍ୟ ଦାବି କରିଥିଲା ୬ହଜାର ୫ଶହ କୋଟି କିନ୍ତୁ ମିଳିଲା . . .

52

କନକ ବ୍ୟୁରୋ: ଓଡିଶାକୁ ମିଳିଲା ରେଳ ଅନୁଦାନ । ରେଳ ବଜେଟ୍ରେ ଓଡିଶାକୁ ମିଳିଲା ୫ ହଜାର ୨୫୨ କୋଟିା ଟ୍ୱିଟ୍ ଯୋଗେ ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥର ରେଳ ବଜେଟ୍ରେ ୩୬ଟି ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଇଛି । ତେବେ ୨୦୦୯ରୁ ୨୦୧୪ ତୁଳନାରେ ୫୨୭ପ୍ରତିଶତ ଅଧିକ ଅନୁଦାନ ଦିଆଯାଇଛି ବୋଲି ଟ୍ୱିଟରେ କହିଛି ରେଳ ମନ୍ତ୍ରାଳୟ । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଓଡିଶାକୁ ରେଳ ଅନୁଦାନ ୫ ହଜାର ୨୫୨ କୋଟି ଟଙ୍କା ମିଳିଛି । ଓଡିଶାର ଦାବି ୬ ହଜାର ୫ ଶହ କୋଟି ଟଙ୍କା ଥିଲା । ତେବେ ଗତ ବର୍ଷ ରେଳ ବଜେଟ୍ରେ ଓଡିଶାକୁ ୫ ହଜାର ୧୦୨ କୋଟି ମିଳିଥିବା ବେଳେ ଏଥର ଓଡିଶାକୁ ମିଳିଛି ଅଧିକ ୧୫୦ କୋଟି ।

ଏବେ ନଜର ପକାନ୍ତୁ ଓଡିଶାର ଦାବି କଣ ରହିଥିଲା

• ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ପାଇଁ ୬ ହଜାର ୫ଶହ କୋଟି ଟଙ୍କା ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

• ଖୋର୍ଦ୍ଧା ରୋଡ-ବଲାଙ୍ଗୀର, ତାଳଚେର-ବିମଳାଗଡ, ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନଗିରି ରେଳପ୍ରକଳ୍ପକୁ ଅଗ୍ରାଧିକାର ଦେବା ପାଇଁ ଦାବି କରିଥିଲେ ।

• ପାଇବ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଖୋର୍ଦ୍ଧା-ମୁମ୍ବାଇ ମଧ୍ୟରେ ବକ୍ସି ଜଗବନ୍ଧୁ ଏକ୍ସପ୍ରେସ ଚଳାଇବାକୁ ପ୍ରସ୍ତାବ ଦିଆଯାଇଥିଲା ।

• ଶିଳ୍ପାଂଚଳର ସୁବିଧା ଲାଗି ତାଳଚେର – ଅନୁଗୁଳ ଭାୟା ଏଫସିଆଇ, ପାରାଦୀପ-ଧାମରା, ଚମ୍ପୁଆ-ଆନନ୍ଦପୁର-ଯାଜପୁର ଓ ବରସୁଆଁ-ବଂଶପାଳ ଓ ବଡବିଲ ପ୍ରସ୍ତାବିତ ରେଳ ପ୍ରକଳ୍ପ ପାଇଁ ବି ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର କରିବାକୁ ଦାବି ରଖାଯାଇଥିଲା ।

• ବ୍ରହ୍ମପୁର-ଫୁଲବାଣୀ-ସମ୍ବଲପୁର, ବରଗଡ-ନୂଆପଡା ଭାୟା ପଦ୍ମପୁର, ଭଦ୍ରାଚଳମ –ମାଲକାନଗିରି, ତାଳଚେର-ଗୋପାଳପୁର ଏବଂ ଲାଞ୍ଜିଗଡ-ତାଳଚେର ରେଳ ଲାଇନ ଉପରେ ଅଧିକ ଫୋକସ କରିବାକୁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ।

• ପୁରୀ-କୋଣାର୍କକୁ ଯୋଡିବା ଲାଗି ନିର୍ମାଣ ଖର୍ଚର ୫୦ ପ୍ରତିଶତ ଖର୍ଚ ବହନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା ।

• ସେହିଭଳି ଗଞ୍ଜାମର ଶୀତଳାପଲ୍ଲୀ ୱାଗନ କାରଖାନା ପାଇଁ ଅର୍ଥ ମଞ୍ଜୁର କରିବାକୁ ବି ଦାବି କରାଯାଇଥିଲା ।

୨୦୧୩-୧୪ ଆର୍ଥିକ ବର୍ଷରେ ରାଜ୍ୟକୁ ମିଳିଥିଲା ୮୬୯ କୋଟି ଟଙ୍କା

୨୦୧୪-୧୫ରେ ୧୪୨୦ କୋଟି

୨୦୧୫-୧୬ରେ ୩୪୦୦ କୋଟି

୨୦୧୬-୧୭ରେ ୪୬୮୨ କୋଟି ଟଙ୍କା ପାଇଥିଲା ଓଡ଼ିଶା

୨୦୧୭-୧୮ ଆର୍ଥିକ ବର୍ଷରେ ଓଡ଼ିଶା ପାଇଥିଲା ୫୧୦୨ କୋଟି ଟଙ୍କା

ସେପଟେ, ରେଳ ବଜେଟକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛି ଓଡିଶା । ରେଳ ବଜେଟ ଅନୁଦାନ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ନୃସିଂହ ସାହୁ ଏହାକୁ ନୈରାଶ୍ୟଜନକ ବୋଲି କହିଛନ୍ତି ।ନୃସିଂହଙ୍କ କହିବା ମୁତାବକ, ଓଡ଼ିଶା ଯାହା ଦାବି କରିଥିଲା ତାହା ମିଳିଲା ନାହିଁ’  । ଗତ ବର୍ଷ ଠାରୁ ଚଳିତ ବର୍ଷ ୨.୯% ରେଳ ବଜେଟ୍ ବଢ଼ିଛି । ଆମେ ୬୫୦୦ କୋଟି ରେଳ ବଜେଟ୍ ପାଇଁ ଦାବି କରିଥିଲୁ ବୋଲି ନୃସିଂହ ସାହୁ ପ୍ରତିକ୍ରିୟା ଦେଇଛନ୍ତି ।