ବିମାନ ବନ୍ଦରରେ ନିୟମ ଉଲ୍ଲଂଘନ କଲେ ୫୦୦୦ ଟଙ୍କା ଜରିମାନା !

39

ବିମାନ ବନ୍ଦରରେ ନିୟମ ଉଲ୍ଲଂଘନ କରିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫୦୦୦ ଟଙ୍କାର ଜରିମାନା ଦେବାକୁ ପଡ଼ିବ । ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ବିମାନ ବନ୍ଦରରେ ନିୟମ ଉଲ୍ଲଂଘନ ନେଇ ଦେବାକୁ ପଡ଼ୁଥିବା ଜରିମାନା ରାଶିରେ ସଂଶୋଧନ ଆଣିବାରୁ ଜରିମାନା ରାଶି ବୃଦ୍ଧି ପାଇବ । ପୂର୍ବରୁ ନିୟମ ଉଲ୍ଲଂଘନ କରିଲେ ୫୦୦ ଟଙ୍କା ଜରିମାନା ଦେବାର ବ୍ୟବସ୍ଥା ରହିଥିଲା । ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଦ୍ୱାରା ଦେଶରେ ୧୨୬ଟି ବିମାନ ବନ୍ଦର ପରିଚାଳିତ ହେଉଛି ।

ବିମାନ ବନ୍ଦର ପରିଚାଳନା ନିୟମ -୨୦୦୩ରେ ସଂଶୋଧନ ଆଣି ଜରିମାନା ରାଶିରେ ବୃଦ୍ଧି ଅଣାଯାଇଛି । ପରବର୍ତ୍ତିତ ପରିସ୍ଥିତି ଅନୁଯାୟୀ ପୂର୍ବ ଜରିମାନା ରାଶି ଉପଯୁକ୍ତ ନାହିଁ । ତେଣୁ ଏଥିରେ ସଂଶୋଧନ ଅଣାଯାଇଛି ବୋଲି ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର କହିଛନ୍ତି । ତେବେ ନିକଟ ଅତୀତରେ କେତେକ ଯାତ୍ରୀଙ୍କ ଖରାପ ଆଚରଣ ପାଇଁ ଜରିମାନା ରାଶି ବୃଦ୍ଧି କରାଯାଇଛି କି ବୋଲି ପଚାରିବାରୁ ଶ୍ରୀ ମହାପାତ୍ର ଏହା ନୁହେଁ ବୋଲି କହିଛନ୍ତି ।

ନିକଟ ଅତୀତର ଘଟଣା ସହିତ ଜରିମାନା ରାଶି ବୃଦ୍ଧିର କୌଣସି ସମ୍ପର୍କ ନାହିଁ । ଗତ କିଛିମାସ ହେଲା ଜରିମାନା ରାଶି ବୃଦ୍ଧି ପାଇଁ ବିଚାର କରାଯାଉଥିଲା ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗତମାସରେ ଟିଡିପି ଏମ୍‌ପି ଜେ. ସି. ଦିବାକର ରେଡ୍ଡୀ ବିଶାଖାପାଟନମ୍‌ ବିମାନ ବନ୍ଦରରେ ଇଣ୍ଡିଗୋର ଗ୍ରାଉଣ୍ଡ୍‌ ଷ୍ଟାଫଙ୍କ ସହିତ ପାଟିତୁଣ୍ଡ କରିଥିଲେ । ହାଇଦ୍ରାବାଦ ଯିବାକୁ ଥିବା ବିମାନର ବୋର୍ଡିଂ ବନ୍ଦ ହୋଇ ସାରିଲାଣି ବୋଲି କର୍ମଚାରୀ ଜଣକ ତାଙ୍କୁ ଜଣାଇବା ପରେ ସେ କାଉଣ୍ଟରରେ ଥିବା ପ୍ରିଣ୍ଟରକୁ ଫିଙ୍ଗିଥିବା ନେଇ ଅଭିଯୋଗ ହୋଇଥିଲା ।