ପଥର ଫିଙ୍ଗାଳିଙ୍କୁ ସାବାଡ଼ କରିବେ ‘ସୁପର ୫୦୦’ ମହିଳା କମାଣ୍ଡୋ । ସେନା କ୍ୟାମ୍ପରେ ଦିଆଯାଉଛି ସ୍ପେଶାଲ ଟ୍ରେନିଂ

20

କାଶ୍ମୀରରେ ସେନା ଉପରକୁ ପଥର ଫିଙ୍ଗୁଥିବା ଲୋକଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ ଛୁଆଙ୍କୁ ଦେଖିବାକୁ ମିଳୁଛି । ଏପରିକି ସ୍କୁଲ ଛାତ୍ରୀ ମାନେ ଭାରତୀୟ ସେନା ଉପରକୁ ମଧ୍ୟ ପଥର ଫିିଙ୍ଗୁଥିବା ଅନେକ ସମୟରେ ଦେଖାଦେଇଛି । ତେଣୁ ଏହାକୁ ଦମନ କରିବା ପାଇଁ ବିଏସଏଫ ତରଫରୁ ୫୦୦ ମହିଳା କମାଣ୍ଡୋଙ୍କୁ ଏହି ମିଶନରେ ନିୟୋଜିତ କରାଯାଇଛି । କାଶ୍ମୀରରେ ପଥର ଫିଙ୍ଗାଳୀକୁ ରୋକିବାକୁ ଏହି ମହିଳା ସୁପର କମାଣ୍ଡୋମାନଙ୍କୁ ଶ୍ରୀନଗରଠାରେ ସ୍ପେଶାଲ ଟ୍ରେନିଂ ଦିଆଯାଇଛି ।

ମହିଳା କମାଣ୍ଡୋ ମାନେ ନିଜେ କିଭଳି ଭାବରେ ଆକ୍ରମଣରୁ ନିଜକୁ ରକ୍ଷା କରିବେ ସେ ବାବଦରେ ପ୍ରଥମେ ଟ୍ରେନିଂରେ ଶିକ୍ଷା ଦିଆଯିବ । ଏହି ଟ୍ରେନିଂକୁ ତିନୋଟି ସ୍ତରରେ ବିଭକ୍ତ କରାଯାଇଛି । ପ୍ରଥମେ ସୋପାନରେ ଢେଲା ପଥର ମାଡକୁ ନିୟନ୍ତ୍ରଣ କରିବା , ଦ୍ୱିତୀୟରେ ଆକ୍ରମଣ କରୁଥିବା ପଥରଫିଙ୍ଗାଳିଙ୍କୁ ଏହା ନକରିବା ପାଇଁ ବୁଝାଇବା ଏବଂ ଯଦି ଦୁଇଟି ଫର୍ମୁଲା କାମ ନକରେ ଶେଷରେ ବଳ ପ୍ରୟୋଗ କରି ଏହାକୁ ଦମନ କରି କାଶ୍ମୀରରେ ଶାନ୍ତି ଫେରାଇ ଆଣିବା ଏହାର ମୂଳ ଲକ୍ଷ ରହିଛି ।

ଗତ କିଛି ବର୍ଷ ହେବ ସୁରକ୍ଷାବଳ ଉପରେ ଏପରି ଅଭିଯୋଗ ହୋଇଛି କି, ସେମାନେ ମାନବ ଅଧିକାରକୁ ଉଲ୍ଲଙ୍ଘନ କରୁଛନ୍ତି । ତେଣୁ ଏହି ସ୍ଥିତିରୁ ବାହାରିବା ପାଇଁ ବିଏସଏଫ ଏପରି ରଣନୀତି ଆପଣାଇଛି । ମାତ୍ର ଏକ ମାସର ଟ୍ରେନିଂ ପରେ ଏହି ସୁପର କମାଣ୍ଡୋ ପ୍ରସ୍ତୁତ ହୋଇ ପଥର ପିଙ୍ଗାଳୀଙ୍କ ସହ ଦୃଢ ମୁକାବିଲା କରିବେ । କେବଳ ସେତିକି ନୁହେଁ ଏହି ସୁପର କମାଣ୍ଡୋ କାଶ୍ମୀରରେ ଆତଙ୍କବଦୀଙ୍କ ମୁକାବିଲା କରିବା ସହ ଅସୁବିଧାରେ ପଡିଥିବା ଲୋକମାନଙ୍କୁ ରକ୍ଷାକରିବା ସହ ଅନ୍ୟାନ୍ୟ ବଡ ବଡ ବିଏସଏଫ ଅପରେସନରେ ମଧ୍ୟ ସାମିଲ ହେବ ।