ଅନୁପ୍ରବେଶ ଅପେକ୍ଷାରେ ୫୦୦ ଆତଙ୍କବାଦୀ !

39

କନକ ବ୍ୟୁରୋ : ଅନୁପ୍ରବେଶ ଅପେକ୍ଷାରେ ଆତଙ୍କବାଦୀ । ପାକିସ୍ତାନ ଅଧିକୃତ କାଶ୍ମୀରରେ ୫୦୦ ଆତଙ୍କବାଦୀ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିବା ପାଇଁ ଅପେକ୍ଷାରେ ଥିବା ଗୁଇନ୍ଦା ସୂଚନା ଦେଇଛି । ସର୍ଜିକାଲ୍ ଷ୍ଟ୍ରାଇକକୁ ଏକବର୍ଷ ପୂରଣ କରିଥିବା ବେଳେ ଏବେ ପୁଣି ଆତଙ୍କବାଦୀମାନେ ଭାରତରେ ଆତଙ୍କବାଦୀ ଆକ୍ରମଣ ଘଟାଇବା ପାଇଁ ସୁଯୋଗ ଅପେକ୍ଷାରେ ଅଛନ୍ତି । ଗତବର୍ଷ ସେପ୍ଟେମ୍ବର ୨୮ରେ ଭାରତୀୟ ସେନା ପାକିସ୍ତାନ ଅଧିକୃତ କାଶ୍ମୀର ଅଂଚଳରେ ଥିବା ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଉରି ସେକ୍ଟରରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା । ସେବେଠାରୁ ଆତଙ୍କବାଦୀମାନେ ଭୟରେ ପଳାୟନ କରିଥିବା ବେଳେ ଏବେ ପୁଣି ପାକିସ୍ତାନ ସେନା ସହାୟତାରେ ୫୦୦ ଆତଙ୍କବାଦୀ ୧୫ଟି ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରରେ ରହି ପ୍ରଶିକ୍ଷଣ ନେଉଛନ୍ତି ।

ଲକ୍ସର ଓ ହିଜବୁଲ ଆତଙ୍କବାଦୀମାନେ ବିଶେଷ କରି ପୁଂଛ ସେକ୍ଟର, କୃଷ୍ଣା ଘାଟି ସେକ୍ଟର, କେରି ସେକ୍ଟର ,Surgical-strikes ବାଲାକୋଟ, ଶାହପୁର, ବିଜି ସେକ୍ଟରର ଅପରପାଶ୍ୱର୍ରେ ଥିବା କ୍ୟାମ୍ପରେ ପ୍ରଶିକ୍ଷଣ ନେଉଛନ୍ତି । ପାକିସ୍ତାନ ଅଧିକୃତ କାଶ୍ମୀରର ଦୁଲ୍ଲୀ, ମସ୍କର, କୋଟଲୀ, ସମାନି, ନିକେୟାଲ, ବରନାଲ ଅଂଚଳରେ ଏହି ଆତଙ୍କବାଦୀଙ୍କ ଶିବିର ଚାଲିଛି । ପାକିସ୍ତାନ ସେନା ଏହି ଆତଙ୍କବାଦୀମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରୁଛି । ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନ ସେନା ପାକିସ୍ତାନ ଅଧିକୃତ କାଶ୍ମୀରରେ ସ୍ପେସିଆଲ ସର୍ଭିସ ଗ୍ର୍ରୁପ୍ କମାଣ୍ଡୋ ନିଯୁକ୍ତ କରିଛି ।

ସେମାନେ ବିଶେଷ ଟ୍ରେନିଂ ନେବା ସହ ଭାରତୀୟ ସେନାଙ୍କ ଉପରକୁ ଅଚାନକ ଗୁଳି ଚଳାଇ ବିଶେଷ କ୍ଷତି ଘଟାଉଛନ୍ତି । ପାକିସ୍ତାନର ଏହି କମାଣ୍ଡୋମାନେ ଅନେକ ସମୟରେ ଭାରତୀୟ ଯବାନଙ୍କ ଉପରକୁ ଅଚାନକ ଗୁଳି ଚଳାଇ କିଛି ସେନାଙ୍କୁ ସହୀଦ ମଧ୍ୟ କରିଛନ୍ତି । ତେବେ ଏହାର ମୁହଁତୋଡ଼ ଜବାବ ମଧ୍ୟ ଭାରତୀୟ ସେନା ପକ୍ଷରୁ ଦିଆଯାଇ ଅନେକ ସ୍ପେସିଆଲ କମାଣ୍ଡୋକୁ ମୃତାହତ କରାଯାଇଛି । ଗତବର୍ଷ ସର୍ଜିକାଲ ଷ୍ଟ୍ରାଇକ୍ ବେଳେ ଭାରତୀୟ ସେନା ପାକିସ୍ତାନ ସୀମା ଭିତରେ ପଶି ୭ଟି ଆତଙ୍କବାଦୀ ଶିବିର ନଷ୍ଟ କରିଦେଇଥିବା ବେଳେ ୪୦ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ ।