୫୦୦ ଟଙ୍କିଆ ଏବଂ ୨୦୦୦ ଟଙ୍କିଆ ନୋଟ୍ ଦେଖିବାକୁ କିଭଳି ! ଦେଖନ୍ତୁ ଏହି ରିପୋର୍ଟ

49

କନକ ବ୍ୟୁରୋ : ବଜାରକୁ ଆସିଛି ନୂଆ ୫୦୦ ଟଙ୍କିଆ ଏବଂ ୨୦୦୦ ଟଙ୍କିଆ ନୋଟ୍ । ଏହି ନୋଟ୍ ଦେଖିବାକୁ କେମିତି ରହିଛି ତା’ଉପରେ ଏବେ ରହିଛି ସମସ୍ତଙ୍କ ନଜର । ୨୦୦୦ ଟଙ୍କିଆ ନୋଟ୍ ଦେଖିବାକୁ ଗୋଲାପି । ନୋଟ୍ ଦେଖିବା ଯଦି, ୪୫ ଡିଗ୍ରୀ ବଙ୍କେଇ ଦେଖିଲେ ଟଙ୍କା ପରିମାଣର ଛାୟା ଦୃଷ୍ଟିକୁ ଆସିବ ।

ଏଥିରେ ଦେବନାଗରୀ ଲିପିରେ ମଧ୍ୟ ୨୦୦୦ ଲେଖାଯାଇଛି । ମହାତ୍ମା ଗାନ୍ଧୀଙ୍କ ଚିତ୍ର ନୋଟ୍ ମଝିରେ ସ୍ଥାନ ପାଇଛି । ସୁରକ୍ଷା ପଟିରେ ଭାରତ, ଆରବିଆଇ ୨୦୦୦ ଲେଖା ରହିଛି, ସୁରକ୍ଷା ପଟି ସବୁଜରୁ ନୀଳ ରଙ୍ଗକୁ ପରିବର୍ତନ ହୋଇଛି ।

ନୋଟର ଦକ୍ଷିଣ ପାଖରେ ଆରବିଆଇର ସଙ୍କେତ ରହିଛି । ମହାତ୍ମା ଗାନ୍ଧୀଙ୍କ ଚିତ୍ର ସହ ୨୦୦୦ ଟଙ୍କାର ୱାଟରମାର୍କ ସ୍ଥାନ ପାଇଛି । ବାମ ପାଖରେ ଉପରେ ଏବଂ ଦକ୍ଷିଣ ପାଖରେ ତଳେ ନୋଟର ନମ୍ବର ଛୋଟରୁ ବଡ ଆକାରରେ ରହିଛି ।

ଟଙ୍କାର ସଙ୍କେତ ଓ ପରିମାଣ ସବୁଜରୁ କ୍ରମଶଃ ନୀଳ ରଙ୍ଗରେ ପରିବର୍ତନ ହୋଇଛି, ଏବଂ ଦକ୍ଷିଣ ପାଖରେ ରହିଛି ଅଶୋକ ସ୍ତମ୍ଭ । ଏହି ନୋଟରେ ଦୃଷ୍ଟିହୀନ ମାନଙ୍କ ପାଇଁ ମଧ୍ୟ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା । ମହାତ୍ମା ଗାନ୍ଧୀଙ୍କ ଚିତ୍ର, ଏବଂ ଅଶୋକ ସ୍ତମ୍ଭ ଉଚ୍ଚ ମୁଦ୍ରଣ ହୋଇ ରହିଛି । ବାମ ଓ ଦକ୍ଷିଣ ପାଖରେ ୭ ଟି ଲେଖାଏଁ ଲାଇନର ଉଚ୍ଚ ମୁଦ୍ରଣ ରହିଛି ।

ଏବେ ନଜର ପକାଇବା ୫୦୦ ଟଙ୍କିଆ ନୋଟ୍ ଉପରେ । ନୋଟର ଆଗପଟ ପାଉଁଶିଆ ରଙ୍ଗ ରହିଛି । ଦେବନାଗରୀ ଲିପିରେ ବାମ ପଟେ ୫୦୦ ଓ ଦକ୍ଷିଣ ପଟେ ଇଂରାଜୀରେ ୫୦୦ ଲେଖାଯାଇଛି । ମହାତ୍ମା ଗାନ୍ଧୀଙ୍କ ଚିତ୍ର ନୋଟର ମଝିରେ ସ୍ଥାନ ପାଇଛି । ସୁରକ୍ଷା ପଟିରେ ଭାରତ, ଆରବିଆଇ ଲେଖା ରହିଛି, ସୁରକ୍ଷା ପଟି ସବୁଜରୁ କ୍ରମଶଃ ନୀଳ ରଙ୍ଗରେ ପରିବର୍ତନ ହୋଇଛି ।

ଦକ୍ଷିଣ ପାଖରେ ଗ୍ୟାରେଂଟି କ୍ଲଜ, ଗଭର୍ଣ୍ଣରଙ୍କ ଦସ୍ତଖତ, ଆରବିଆଇର ଲୋଗୋ ରହିଛି । ଇଲେକଟ୍ରୋ ଟାଇପ ୱାଟର ମାର୍କ ରହିଛି । ବାମ ପାଖରେ ଉପରେ ଏବଂ ଦକ୍ଷିଣପାଖର ତଳେ ନୋଟର ନମ୍ବର ଛୋଟରୁ ବଡ ଆକାରରେ ରହିଛି । ରୁପିର ସିମ୍ବଲ ଓ ଟଙ୍କାର ପରିମାଣ ସବୁଜ ଓ ନୀଳ ରଙ୍ଗରେ ଲେଖାଯାଇଛି । ଦକ୍ଷିଣ ପାଶ୍ୱର୍ରେ ଅଶୋକ ସ୍ତମ୍ଭ ସ୍ଥାନ ପାଇଛି ।

ଦୃଷ୍ଟିହୀନଙ୍କ ପାଇଁ ଦକ୍ଷିଣ ପାଶ୍ୱର୍ରେ ୫୦୦ ଟଙ୍କାର ଉଚ୍ଚ ମୁଦ୍ରଣ ଏବଂ ଦକ୍ଷିଣ ଓ ବାମ ପଟରେ ୫ଟି ଲେଖାଏଁ ଲାଇନର ଉଚ୍ଚ ମୁଦ୍ରଣ ରହିଛି । ମହାତ୍ମା ଗାନ୍ଧୀଙ୍କ ଚିତ୍ର ଓ ଅଶୋକ ସ୍ତମ୍ଭର ଉଚ୍ଚ ମୁଦ୍ରଣ ମଧ୍ୟ ରହିଛି । ୫୦୦ ଟଙ୍କିଆ ନୋଟର ପଛ ପଟ ବାମ ପାଖରେ ନୋଟ୍ ମୁଦ୍ରଣ ବର୍ଷ, ସ୍ୱଚ୍ଚ ଭାରତ ଲୋଗୋ, ଓ ସ୍ଲେଗାନ୍, ମଧ୍ୟ ଭାଗରେ ବିଭିନ୍ନ ଭାଷାରେ ଟଙ୍କାର ପରିମାଣ, କେନ୍ଦ୍ରରେ ଜାତୀୟ ପତାକା ସହ ଲାଲ କିଲ୍ଲା ସ୍ଥାନ ପାଇଛି । ଦକ୍ଷିଣ ପାଖର ଉପରେ ଦେବନାଗରୀ ଲିପିରେ ମଧ୍ୟ ୫୦୦ ଲେଖାଯାଇଛି ।