ରାଜ୍ୟରେ ଯୁବକଙ୍କ ପାଇଁ ଭରପୁର ନିଯୁକ୍ତି ସୁଯୋଗ ! ଅବସର ପରେ ଚାକିରି କରୁଥିବା ୫୦ ହଜାର କର୍ମଚାରୀ ହେବେ ଛଟେଇ

163

କନକ ବ୍ୟୁରୋ : ଛଟେଇ ହେବେ ଅବସର ପରେ ନିଯୁକ୍ତି ପାଇଥିବା ସରକାରୀ ଚାକିରିଆ । ଅବସର ପରେ ନବୀକରଣ ଜରିଆରେ ମିଳୁଥିବା ନିଯୁକ୍ତିକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଯାହା ଫଳରେ ପ୍ରାୟ ୫୦ ହଜାର କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡ଼ିବ । ଏତେ ସଂଖ୍ୟାରେ କର୍ମଚାରୀ ହଠାତ୍ ଚାକିରିରୁ ବାହାରିବା ପରେ ସରକାରଙ୍କ ପାଖରେ କ’ଣ ରହିଛି ତୁରନ୍ତ ବିକଳ୍ପ ବ୍ୟବସ୍ଥା । ଏହି ନିଷ୍ପତି ରାଜ୍ୟରେ ନୂଆ ନିଯୁକ୍ତି ସୃଷ୍ଟି କରିବ କି?

ସରକାର ନେଇଥିବା ଏହି ନିଷ୍ପତି, ରାଜ୍ୟର ବିଭିନ୍ନ ବିଭାଗରେ କାର୍ଯ୍ୟକରୁଥିବା ପ୍ରାୟ ୫୦ ହଜାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡ଼ିବ । ଗତ ୪ବର୍ଷ ଭିତରେ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ଏଭଳି ସରକାରୀ କର୍ମଚାରୀଙ୍କୁ ଚାକିରିରୁ ଅବ୍ୟାହତି ହେବା ନେଇ ନିଷ୍ପତି ହୋଇଛି । ଏହା ସହ ଏଣିକି ଅବସର ପରେ ଆଉ ମିଳିବ ନାହିଁ ନୂଆ ନିଯୁକ୍ତି । ଗତ ମାସ ୧୦ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତି ହୋଇଥିଲା । ଆଉ ସେହି ଅନୁସାରେ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ପତ୍ର ଲେଖି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।

ଗତକାଲି ଏହି ମର୍ମରେ ଶକ୍ତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ଓଡ଼ିଶା ହାଇଡ୍ରୋ-ପାୱାର କର୍ପୋରେସନ୍, ଓପିଟିସିଏଲ୍, ଗ୍ରିଡ଼କୋ, ସେସୁ ଆଦି କର୍ତୃପକ୍ଷଙ୍କୁ ଚିଠି ଲେଖି-ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ନକରିବା ସଂପର୍କରେ ଜଣାଇଛନ୍ତି । ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ନେଇ ହୋଇଥିବା ଏହି ନିଷ୍ପତି ଏବେ ସୃଷ୍ଟି କରିଛି ଅନେକ ପ୍ରଶ୍ନବାଚୀ ।
-ନୂଆ ନିଯୁକ୍ତି ପାଇଁ ସରକାର ଏଭଳି ନିଷ୍ପତି ନେଇଛନ୍ତି କି?
-ଏହି ନିଷ୍ପତି ନୂଆ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବ କି ?
-ହଠାତ୍ କର୍ମଚାରୀଙ୍କ ଛଟେଇ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବ କି ?
-ଅବସରପ୍ରାପ୍ତ କର୍ମଚାରୀ କରୁଥିବା କାର୍ଯ୍ୟକୁ ତୁରନ୍ତ କରିବେ କିଏ ?

ଏବେ ଦେଶରେ ପ୍ରାୟ ୨୪ ଲକ୍ଷ ସରକାରୀ ଚାକିରି ଖାଲି ପଡ଼ିଥିବା ବେଳେ ବେକାରୀ ସମସ୍ୟାର ମୁକାବିଲା ନେଇ ସବୁଆଡେ ବିତର୍କ ହେଉଛି । ଆଉ ଏଭଳି ସ୍ଥିତିରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ କାର୍ଯ୍ୟରୁ ବିରତ ରଖି ତାଙ୍କ ସ୍ଥାନରେ ନୂଆ ନିଯୁକ୍ତି ଦିଆଗଲେ, ଚାକିରି ପାଇଁ ସଂଘର୍ଷ କରୁଥିବା ଯୁବପୀଢ଼ିଙ୍କ ପାଇଁ ବେଶ ସହାୟକ ହୋଇପାରେ ।