କେନ୍ଦୁଝରର ବାହୁବଳି ବିଧାୟକ ସନାତନ ମହାକୁଡଙ୍କ ଘରକୁ ଆସୁଥିଲା ବ୍ୟାଙ୍କ : ଅଧବାଟରେ ଅଟକାଇଦେଲା ପୁଲିସ

39

କନକ ବ୍ୟୁରୋ :  ବିଡାବିଡା ଟଙ୍କା ଧରି କେନ୍ଦୁଝର ଖଣି ଅଂଚଳର ବାହୁବଳି ବିଧାୟକଙ୍କ ଘରକୁ ଯାଉଥିଲେ ଖୋଦ ବ୍ରାଂଚ ମ୍ୟାନେଜର ଓ କର୍ମଚାରୀ । ନିଜସ୍ୱ ଗାଡିରେ ୫୦ ଲକ୍ଷ ଟଙ୍କା ଧରି ବିଧାୟକ ସନାତନ ମହାକୁଡଙ୍କ ଘରକୁ ଯାଉଥିବାବେଳେ କାବୁ କରିନେଇଥିଲା ପୁଲିସ । ଇଣ୍ଡସ ଇଣ୍ଡ ବ୍ୟାଙ୍କ ଯୋଡା ଶାଖାରୁ ଟଙ୍କା ଧରି ଚମ୍ପୁଆ ଆସୁଥିବାବେଳେ ବାସୁଦେବ ନିକଟରେ ଅଟକାଇ ଦେଇଥିଲା ପୁଲିସ । ହିସାବ ଦେଇନପାରିବାରୁ ଥାନାକୁ ଉଠାଇ ନେଇଥିଲା ।

ଗୁରୁତ୍ୱପୂର୍ଣ୍ଣ କଷ୍ଟମରଙ୍କ ଘରକୁ ଟଙ୍କା ନେଇ ଯିବାରେ କୌଣସି ଅସୁବିଧା ନାହିଁ । ଘରୋଇ ବ୍ୟାଙ୍କଗୁଡିକ ଏଭଳି ସେବା ଯୋଗାଇ ଦେଇଥାନ୍ତି । ହେଲେ ବିନା ଚେକ୍ କିମ୍ବା ଉଠାଣ ଫର୍ମରେ ଏତେଗୁଡିଏ ଟଙ୍କା ନିିଜ ଗାଡିରେ ଧରି ଖୋଦ ବ୍ରାଂଚ ମ୍ୟାନେଜର ବିଧାୟକଙ୍କ ଘରକୁ ଯିବା ସନ୍ଦେହ ସୃଷ୍ଟି କରିଛି । ଯେଉଁଥିପାଇଁ ମ୍ୟାନେଜର ମାନସ ରାଉତଙ୍କ ସହ ସାଙ୍ଗରେ ଥିବା ସେଲ୍ସମ୍ୟାନ ସରୋଜ ବେହେରା ଓ ଗନମ୍ୟାନ ଲକ୍ଷ୍ମଣ ପ୍ରଧାନଙ୍କୁ ପୁଲିସ ଗିରଫ କରିନେଇଛି । ଟଙ୍କା ସହ ଗାଡି ଓ ୪ଟି ମୋବାଇଲ ଫୋନକୁ ନିଜ ହେପାଜତରେ ରଖିଛି ।

କେନ୍ଦୁଝର ଚମ୍ପୁଆ ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ବିଧାୟକ ସନାତନ ମହାକୁଡ । ଏହି ବାହୁବଳି ବିଧାୟକଙ୍କ ପତିଆରା କେତେ ତାହା ଆପଣ ପୂର୍ବରୁ ଦେଖିଛନ୍ତି । ବିଧାୟକଙ୍କ ବୋହୁବୋଲି ଦାବି କରୁଥିବା କବିତା ମହାଡୁକ ମାମଲାରେ କିଭଳି ସନା ଘରକୁ ଥାନା ଯାଇଥିଲା ସେନେଇ ଆମେ ଖବର ପ୍ରସାରଣ କରିଥିଲୁ । ବୟାନ ରେକର୍ଡ କରିବାକୁ ସନାଙ୍କ ଘରକୁ ଯାଇଥିଲା କମିଶନରେଟ ପୁଲିସ । ଆଉ ଏବେ ବିଧାୟକଙ୍କ ଘରକୁ ବ୍ୟାଙ୍କ ଗଲାଭଳି ଖବର ସାମ୍ନାକୁ ଆସିଛି । ଯାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

– ବ୍ରାଂଚ ମ୍ୟାନେଜର ହିସାବ ଦେଇପାରୁ ନଥିବାରୁ ଏହା କଳା ଟଙ୍କା ନୁହେଁ ତ?
– ବିଧାୟକଙ୍କର ଏଥିରେ ସଂପୃକ୍ତି ନଥିଲେ ସେ ପ୍ରତିକ୍ରିୟା ରଖୁନାହାନ୍ତି କାହିଁକି?
– କଳାଟଙ୍କା କାରବାରରେ ବ୍ୟାଙ୍କ କର୍ମଚାରୀଙ୍କ ଏଭଳି ସଂପୃକ୍ତି ରହୁଛି କି?
– ବିମୁଦ୍ରାୟନ ସମୟରେ ଏଭଳି ବଡଧରଣର କଳାଟଙ୍କା କାରବାର ହୋଇ ନାହିଁ ତ?