ମୋବାଇଲ ୟୁଜର୍ସଙ୍କ ପାଇଁ ବଡ ଖବର । ଆଧାରକାର୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ୫୦ କୋଟି ମୋବାଇଲ ନମ୍ବର ବନ୍ଦ ହେବା ଆଶଙ୍କା, ଟେଲିକମ କମ୍ପାନି ଗୁଡିକର ବଢିଲା ଚିନ୍ତା

5

ମୋବାଇଲ ଗ୍ରାହକଙ୍କ ପାଇଁ ବଡ ଖବର । ଦେଶର ୫୦ କୋଟି ମୋବାଇଲ ବ୍ୟବହାରକାରୀଙ୍କ ନମ୍ବର ବନ୍ଦ ହେବାର ଆଶଙ୍କା ଦେଖା ଦେଇଛି । ଏହି ନୂଆ ସଙ୍ଗଟ ଆଧାର ସହ ଜଡିତ କେୱାଇସି ନମ୍ବରକୁ ନେଇ ଦେଖାଦେଇଛି । ମୋବାଇଲ ବ୍ୟବହାରକାରୀ ଯଦି ଟେଲିକମ କମ୍ପାନୀକୁ ଆଧାର ବ୍ୟତୀତ ଅନ୍ୟ କେଉଁ ପ୍ରମାଣପତ୍ର ଦେଇନଥାନ୍ତି ତେବେ ସେମାନଙ୍କର ମୋବାଇଲ ନମ୍ବର ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

କିଛି ଦିନ ପୂର୍ବେ ମୋବାଇଲ ନମ୍ବର ସହ ଆଧାର ଲିଙ୍କ୍ କରିବା ଉପରେ ସୁପ୍ରିମକୋର୍ଟ ଶୁଣାଣି କରି ସମସ୍ତ ଟେଲିକମ କମ୍ପାନିକୁ ନିର୍ଦ୍ଦେଶ ଦେଇଥିଲେ ଯେ, ମୋବାଇଲ ନମ୍ବର ପାଇଁ ଟେଲିକମ କମ୍ପାନି ଆଧାର ନମ୍ବର ବ୍ୟବହାର କରିପାରିବେ ନାହିଁ । କିନ୍ତୁ ଏବେ ୫୦ କୋଟିରୁ ଅଧିକ ନମ୍ବର ଆଧାର ଅନୁଯାୟୀ ହିଁ ଚାଲିଛି । ସୁପ୍ରିମକୋର୍ଟଙ୍କ ରାୟ ପରେ ଟେଲିକମ କମ୍ପାନି ଗୁଡିକୁ ମୋବାଇଲ ନମ୍ବରରୁ ଆଧାର ତଥ୍ୟ ହଟାଇବାକୁ ପଡିବ ।

ଏନେଇ ସରକାରୀ ସ୍ତରରେ ମଧ୍ୟ ବିଚାର କରାଯାଉଛି । ଏହି ସମସ୍ୟାର ସମାଧାନ ପାଇଁ ସରକାର ବିଭିନ୍ନ ଉପାୟ ନେଇ ଚିନ୍ତା କରୁଛନ୍ତି । ମୋବାଇଲ ନମ୍ବରରୁ ଆଧାର ତଥ୍ୟ ହଟାଯିବା ଓ ନୂଆ ବୈଧ ପ୍ରମାଣପତ୍ର ଡିପୋଜିଟ କରିବା ପର୍ଯ୍ୟନ୍ତ ଯେପରି କୌଣସି ମୋବାଇଲ ବ୍ୟବହାରକାରୀ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସରକାର ଚେଷ୍ଟା ଚଳାଇଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ରାୟ ରିଲାଏନ୍ସ ଜିଓ ପାଇଁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । କାରଣ ଜିଓର ୨୫ କୋଟି ବ୍ୟବହାରକାରୀ ରହିଛି । ସମସ୍ତ ୨୫ କୋଟି ବ୍ୟବହାରକାରୀଙ୍କୁ ଆଧାରକାର୍ଡର ତଥ୍ୟ ଅନୁଯାୟୀ ସିମ୍ ଦେଇଛି କମ୍ପାନି । ଏହାଛଡା ଭାରତୀ ଏୟାରଟେଲ, ଭୋଡାଫୋନ, ବିଏସଏନଏଲ ସାମ୍ନାରେ ମଧ୍ୟ ବଡ ଚ୍ୟାଲେଞ୍ଜ ରହିଛି ।

Comments are closed.