ରାଉଲକେଲା ଶୀତଳପଡ଼ା ବସ୍ତିର ୫ ନିଖୋଜ ଘଟଣା : ଡ୍ରେନରୁ ମିଳିଲା ଗୋଟିଏ ଶବ,ଜାରି ରହିଛି ଉଦ୍ଧାର କାର୍ଯ୍ୟ

32

କନକ ବ୍ୟୁରୋ: ରାଉଲକେଲା ଶୀତଳପଡାର ନିଖୋଜ ଯୁବକଙ୍କ ଉଦ୍ଧାର କାମ ଜାରି ରହିଛି । ନିଖୋଜ ୫ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ବି ଆଉ ୪ ଜଣ ନିଖୋଜ ଅଛନ୍ତି । ଆରଏସପି କର୍ମଚାରୀ, ପୁଲିସ, ଅଗ୍ନିଶମ ଓ ଓଡ୍ରାଫ ଟିମ୍ ଉଦ୍ଧାର କାମ ଜାରି ରଖିଛନ୍ତି । ଗତ ୩ ତାରିଖରେ ଶୀତଳପଡାର କ୍ରୀଷ୍ଣା ବଡାଇକ୍, ସୁରଜ ସିଂ, ସୂରଜ କୃର୍ମୀ, ରାଜୁ ନାଏକ ଏବଂ ଗହନୁ ଲୋହାର ଜଣାପଡିଛି । ତେବେ ଗହନୁ ଲୋହାରଙ୍କ ମୃତଦେହ ଗତକାଲି ସଂଧ୍ୟାରେ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ଜଣେ ନାବାଳକଙ୍କଠାରୁ ଏହି ଯୁବକମାନଙ୍କ ନିଖୋଜ ନେଇ ସୂଚନା ପାଇବା ପରେ ଉଦ୍ଧାର ପାଇଁ ଉଦ୍ୟମ ହେଉଛି ।

ସୂଚନା ମୁତାବକ, ଗତକାଲି ସକାଳୁ ଆରଏସପି ୯ ନମ୍ବର ଆଉଟ୍ ଫଲ୍ ଡ୍ରେନ୍ ନିକଟରେ ଡିଏସପି ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ଡ୍ରେନ୍ ପାଣିକୁ ମୋଟର ଯୋଗେ ଖାଲି କରିବାକୁ ଚେଷ୍ଟା କରାଯାଇଥିଲା। ମାତ୍ର ଆରଏସପି ପରିସରସ୍ଥ ବିଭିନ୍ନ ଡ୍ରେନରୁ ପାଣି ଆସୁଥିବାରୁ ଏହି ଉଦ୍ୟମ ଫେଲ ମାରିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଉଦ୍ଧାରକାରୀ ଦଳ ସେସ୍ ପୁଲ୍ ଗାଡ଼ି ଲଗାଇ ପାଇପ୍ ଭିତରେ ଥିବା ପଙ୍କ ଓ ଆବର୍ଜନା ବାହାର କରିବାକୁ ଉଦ୍ୟମ କରିଥିଲେ। ଭିତରେ ପିଚୁ ଓ ଏସିଡମିଶା ବର୍ଜ୍ୟ ଜମାଟ ବାନ୍ଧିଥିବାରୁ ସେସ୍ ପୁଲ୍ ଗାଡ଼ି ସେଗୁଡ଼ିକୁ ଟାଣି ପାରିନଥିଲା। ଦୀର୍ଘ ସମୟ ପରେ ଏହି ପ୍ରୟାସ ମଧ୍ୟ ବିଫଳ ହୋଇଥିଲା। ତୃତୀୟ ପର୍ଯ୍ୟାୟରେ ଅକ୍ସିଜେନ୍ ମାକ୍ସ ଲଗାଇ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ଯବାନମାନେ ପାଇପ୍ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ପ୍ରାୟ ୨୦/୩୦ ଫୁଟ୍ ଭିତରକୁ ଯିବା ପରେ ଆଉ ଅଗ୍ରସର ହୋଇନପାରି ଫେରିଥିଲେ।

ସେମାନଙ୍କ କହିବା ଅନୁଯାୟୀ, ତରଳ ପିଚୁ, ଏସିଡମିଶା ବର୍ଜ୍ୟ ଜମାଟ ବାନ୍ଧିଥିବାରୁ ପାଇପ୍ ଭିତରେ ଆଗକୁ ଯିବା ଅସମ୍ଭବ। ତେବେ ପାଇପ୍ ଭିତରେ ପ୍ରାୟ ୭୦ ମିଟର ପରେ କୌଣସି ଏକ ବସ୍ତୁ ଥିବା ସେମାନେ ଲାଇଟ୍ ପକାଇ ଠାବ କରିଥିଲେ। ଓଡ୍ରାଫ୍ ପକ୍ଷରୁ ବ୍ୟବହୃତ ଟ୍ୟୁବରେ କଣ୍ଟା ଲଗାଇ ଦମକଳ ଗାଡ଼ି ପାଣି ସ୍ପ୍ରେରେ ଦ୍ରୁତ ଗତିରେ ପାଇପ୍ ଭିତରକୁ ପଠାଯାଇଥିଲା। ଟ୍ୟୁବ୍ ସହ କଣ୍ଟାଟି ମୃତ ଶରୀରରେ ଲାଗି ଯାଇଥିଲା। ଟ୍ୟୁବକୁ ଟାଣି ବାହାରକୁ ଆଣିବା ବେଳେ ମୃତ ଶରୀର ପଦାକୁ ଆସିଥିଲା।