ବାଃ ବାଃରେ ଟ୍ରାଫିକ ବ୍ୟବସ୍ଥା… ଟ୍ରାଫିକ ଗହଳି ନେଇଗଲା ଜୀବନ । ଆମ୍ବୁଲାନ୍ସରେ ଯିବାବେଳେ ଭିଡ ପାଇଁ ବାଟରେ ଆଖି ବୁଜିଲା ଶିଶୁ । ରାସ୍ତା ଛାଡ଼ିବାକୁ ନେହୁରା ହେଉଥିଲେ ବାପା, ବାଟ ଛାଡ଼ିଲେନି ଲୋକେ । କୁଆଡେ ଗଲା ବାଟ ନଛାଡିଲେ ଫାଇନ ଦେବାର ନିୟମ ?

5,709

କନକ ବ୍ୟୁରୋ: ହଜିଗଲା ମାନବିକତା, ମରିଗଲା ମଣିଷ ପଣିଆ । ଆମ୍ବୁଲାନ୍ସର ସାଇରନ ଆଉ ବାରମ୍ବାର ହର୍ଣ୍ଣ ବଜାଇବା ପରେ ରାସ୍ତାରୁ ହଟିଲେନି ଲୋକ । ପଛରୁ ଆମ୍ବୁଲାନ୍ସ ଆସୁଥିବା ଜାଣିବା ସତ୍ୱେ ବି ବାଟ ଛାଡି ଲେନି ଗାଡି ଚାଳକ । ଯେଉଁଥିପାଇଁ ଅଧା ବାଟରେ ଚାଲିଗଲା ୫ ବର୍ଷର ଶିଶୁର ଜୀବନ । ଟ୍ରାଫିକ ଭିଡ ପାଇଁ ଆମ୍ବୁଲାନ୍ସ ମେଡିକାଲରେ ବିଳମ୍ବରେ ପହଞ୍ଚିବାରୁ ବାଟରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ତେବେ ଟ୍ରାଫିକ୍ ଜାମ ପାଇଁ ଜୀବନ ଯାଇଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି ଭୁବନେଶ୍ୱରରୁ । ରାସ୍ତାରେ ଥିଲା ପ୍ରବଳ ଗହଳି, ନିୟନ୍ତ୍ରଣରେ ନଥିଲା ଟ୍ରାଫିକ୍ ବ୍ୟବସ୍ଥା । ଆଉ ଏତିକି ବେଳେ ଅସୁସ୍ଥ ପୁଅକୁ ହସ୍ପିଟାଲ ନେଇ ଯାଉଥିବା ଜଣେ ବାପା ରାସ୍ତା ମଝିରେ ନେହୁରା ହେଉଥିଲେ ରାସ୍ତା ଛାଡି ଦେବା ପାଇଁ । ହେଲେ କେହି ରାସ୍ତା ଛାଡିବା ମାନସିକତାରେ ନଥିଲେ । ଫଳରେ ଘଟିଗଲା ଏକ ଅଭାବନୀୟ ଘଟଣା ।

ହସ୍ପିଟାଲରେ ସମୟରେ ପହଂଚିନପାରି, ଅଧା ବାଟରେ ଚାଲିଗଲା ୫ବର୍ଷର ଶିଶୁର ଜୀବନ । ଭୁବନେଶ୍ୱର ଓଲ୍ଡ ଟାଉନର ନିରୋଦ ନାୟକଙ୍କ ୫ ବର୍ଷର ପୁଅ ନିଲ୍ ଅସୁସ୍ଥ ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଉ ପିଲାର ଅବସ୍ଥା ଭଲ ନଥିବା ଦେଖି ଡାକ୍ତର କଟକ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ । ହେଲେ କଟକ ଦୂର ବାଟ ହେଉଥିବାରୁ ନୀଲର ବାପା, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଥିଲେ ।

ଆଉ କ୍ୟାପିଟାଲ ହସ୍ପିଟାଲରୁ ପଟିଆ ଅଂଚଳରେ ଥିବା ଏକ ଘରୋଇ ହସ୍ପିଟାଲ ନେବା ରାସ୍ତାରେ ସାମ୍ନା କରିଥିଲେ ଟ୍ରାଫିକ୍ ଜାମ । ବାପା ଜଣକ ବାରମ୍ବାର ନିବେଦନ କରୁଥିଲେ ରାସ୍ତା ଛାଡି ଦେବା ପାଇଁ । ହେଲେ ତାଙ୍କ କଥାକୁ କେହି ଶୁଣୁନଥିଲେ । ମାତ୍ର ୧୫ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଲାଗିଥିଲା ପ୍ରାୟ ଘଂଟାଏ ସମୟ । ଆଉ ଯେତେବେଳେ ସେ ଘରୋଇ ହସ୍ପିଟାଲରେ ପହଂଚିଥିଲେ, ଡାକ୍ତର ଜଣକ ଶିଶୁଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଯାହା ବାପା ମାଆଙ୍କ ମୁଣ୍ଡରେ ଚଡକ ପକାଇଥିଲା ।

ତେବେ ସବୁଠାରୁ ବଡ କଥା ହେଉଛି ପଛରୁ ଆମ୍ବୁଲାନ୍ସ ଆସୁଥିଲେ ବି ସାଧାରଣ ଲୋକ ଛାଡିଲେନି କେମିତି ? ଆମ୍ବୁଲାନ୍ସ ପାଇଁ ଲୋକଙ୍କ ମନରେ ସଚେତନଭାବ ଥାଇ ବି ମଣିଷ ଏତେ ନିଷ୍ଠୁର ହୋଇଗଲା କେମିତି? ବାରମ୍ବାର ସାଇରନ ବାଜୁଛି ମାନେ କୌଣସି ରୋଗୀ ଜୀବନ ମରଣ ସଙ୍ଗେ ଆମ୍ବୁଲାନ୍ସ ଭିତରେ ସଙ୍ଘର୍ଷ କରୁଛି , ହେଲେ ସବୁ ଜାଣି ବି ଲୋକେ ବାଟ ଛାଡିଲେନି କେମିତି? ଆମ୍ବୁଲାନ୍ସ ଯିବା ବାଟରେ ଟ୍ରାଫିକ ପୋଲିସ ମଧ୍ୟ ବାଟ କଢେଇ ନେଇ ନଥିବା ଅଭିଯୋଗ ହୋଇଛି ।

ସେପଟେ ଆମ୍ବୁଲାନ୍ସକୁ ବାଟ ନଛାଡିଲେ ନୂଆ ମୋଟର ଯାନ ଆଇରେ ଫାଇନ ବ୍ୟବସ୍ଥା ଅଛି । ହେଲେ ଏଠି କେତେ ଟଙ୍କା କାଟିବେ ଟ୍ରାଫିକ ପୋଲିସ ? ଯେଉଁ ଲୋକମାନେ ଆମ୍ବୁଲାନ୍ସକୁ ବାଟ ଛାଡି ନଥିଲେ ସେମାନଙ୍କ ନାଁରେ ଚାଲାଣ କାଟିବ କି ଟ୍ରାଫିକ ପୋଲିସ ?

ଗତକାଲି ଟ୍ରାଫିକ ଡିସିପି ଜଣେ କନଷ୍ଟେବଲଙ୍କ ଭିଡିଓ ସେୟାର କରି ପ୍ରଶଂସା କରିଥିଲେ । ବୃଦ୍ଧାଙ୍କୁ ହସ୍ପିଟାଲ ନେଉଥିବା ଆମ୍ବୁଲାନ୍ସ ଭିଡରେ ଫସିଯାଇଥିବା ବେଳେ ତାକୁ ବାଟ କଢାଇ ନେଇଥିବାରୁ କନଷ୍ଟେବଲ ରାଜେସଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମାତ୍ର ସାଗରିକାଙ୍କ ଟୁଇଟର ୨୪ ଘଣ୍ଟା ନପୁରୁଣୁ ଟ୍ରାଫିକ ଜାମ ପାଇଁ ଜଣେ ଶିଶୁର ଜୀବନ ଯିବା ଟ୍ରାଫିକ ପୋଲିସର ଦ୍ୱମୁହାଁ କାମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।